ଝାଡ଼ଖଣ୍ଡରେ କାହିଁକି ହାରିଲା ବିଜେପି?

ରାଞ୍ଚି : ବିଜେପି ହାତରୁ ପୁଣି ଆଉ ଗୋଟିଏ ରାଜ୍ୟରେ କ୍ଷମତା ଖସି ଯାଇଛି। ଗତ ଲୋକସଭା ନିର୍ବାଚନରେ ବିଜେପିକୁ ଝାଡ଼ଖଣ୍ଡରେ ବିପୁଳ ବିଜୟ ମିଳିଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ଖେଳ ବିଗିଡ଼ି ଯାଇଛି।

ଝାଡ଼ଖଣ୍ଡରେ ବିଜେପି ହାରିବାର କେତେକ ପ୍ରମୁଖ କାରଣ ରହିଛି। ଏଥିମଧ୍ୟରୁ ଗୋଟିଏ କାରଣ ହେଉଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଅହଙ୍କାର। ରଘୁବର ଦାସ ପୂର୍ବ ବି‌ଜେପି ସରକାରରେ ଜଣେ ମନ୍ତ୍ରୀ ଥିଲେ ଏବଂ ସେ ଜମଶେଦପୁର ପୂର୍ବ ଆସନରୁ ଲଗାତାର ନିର୍ବାଚନ ଜିତିଥିଲେ। ୨୦୧୪ ନିର୍ବାଚନରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ରଘୁବର ଦାସଙ୍କ କାର୍ଯ୍ୟଶୈଳୀ ଲୋକଙ୍କୁ ପସନ୍ଦ ଆସିନଥିବା କୁହାଯାଇଛି। ଏପରିକି ବିଜେପି ନେତାମା‌ନେ ମଧ୍ୟ ମତ ପ୍ରକାଶ କରିଥିଲେ ଯେ ରଘୁବର ଦାସଙ୍କ କ୍ରୁର ରାଜନୀତି ଯୋଗୁଁ ରାଜ୍ୟରେ ବିଜେପିକୁ କ୍ଷତି ସହିବାକୁ ପଡ଼ିଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନ୍‌ଙ୍କ ଦ୍ବାରା ଦୀର୍ଘ ଦିନର ଆନ୍ଦୋଳନ ପରେ ୨୦୦୦ ମସିହାରେ ଝାଡ଼ଖଣ୍ଡ ଏକ ଆ‌ଦିବାସୀ ରାଜ୍ୟ ଭାବେ ସୃଷ୍ଟି ହୋଇଥିଲା‌। ଝାଡ଼ଖଣ୍ଡ ଏକ ଆଦିବାସୀ ରାଜ୍ୟ ଭାବେ ବିବେଚିତ। କିନ୍ତୁ ରଘୁବର ଦାସ ସରକାରଙ୍କ ସ୍ବଭାବ ଆଦିବାସୀ ବିରୋଧୀ ଥିଲା। ୨୦୧୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ୨୮ ବିଧାନସଭା ଆସନରୁ ୧୩ଟିରେ ଜିତିଥିଲା। ଏପରିକି ଲୋକସଭା ନିର୍ବାଚନ‌ରେ ମଧ୍ୟ ଝାଡ଼ଖଣ୍ଡରେ ଏସ୍‌ଟି ପାଇଁ ସଂରକ୍ଷିତ ଥିବା ୫ଟି ଆସନରୁ ବିଜେପି ୩ଟିରେ ଜିତିଥିଲା। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ଆଦିବାସୀ ଆସନ ଗୁଡ଼ିକ ବିଜେପି ହାତରୁ ଖସିଯାଇଛି। ଅଧିକାଂଶ ଆଦିବାସୀ ଆସନରେ ଜେଏଏମ୍‌ ଜିତିଛି।

ଭିଡ଼ହିଂସା ପାଇଁ ମଧ୍ୟ ବିଜେପିକୁ କ୍ଷତି ସହିବାକୁ ପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଝାଡ଼ଖଣ୍ଡରେ ୨୦ଟି ଭିଡ଼ହିଂସା ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୧୧ ଜଣ ମୁସଲିମ ଭିଡ଼ହିଂସାର ଶିକାର ହୋଇଥିଲେ। ଅଧିକାଂଶ ଗୋରକ୍ଷାକାରୀଙ୍କ ଦ୍ବାରା ଦଳିତ ଏବଂ ମୁସଲିମ୍‌ଙ୍କୁ ଟାର୍ଗେଟ୍‌ କରାଯାଇଥିଲା। ଝାଡ଼ଖଣ୍ଡରେ ବିଜେପି ହାରିବାର ଶେଷ ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ମେଣ୍ଟ ସହଯୋଗୀ। ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ହେବାଠାରୁ ପ୍ରଥମ ଥର ପାଇଁ ବିଜେପି ଏକାକୀ ନିର୍ବାଚନ ଲଢ଼ିଛି। ଝାଡ଼ଖଣ୍ଡରେ ବିଜେପିର ପୁରୁଣା ମେଣ୍ଟ ସହଯୋଗୀ ଏଜେଏସ୍‌ୟୁକୁ ଏହା ଚଳିତ ଥର ବାଦ୍‌ ଦେଇଛି।

ସମ୍ବନ୍ଧିତ ଖବର