ବିଜେପୁରକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ବିଗୁଲ ଏ ପର୍ଯ୍ୟନ୍ତ ବାଜି ନାହିଁ। କିନ୍ତୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ୧୨୬୦ କୋଟି ଟଙ୍କାର ଗଙ୍ଗାଧର ମେହେର ଭୂତଳ ଜଳସେଚନ ଯୋଜନା ଘୋଷଣା କରିବାର ୧୫ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଅପରପକ୍ଷେ ଆଜି ବିଜେପୁର ଉପନିର୍ବାଚନ ନେଇ କସରତ ଆରମ୍ଭ କରିଛି କଂଗ୍ରେସ। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ବୈଠକ ବସିଛି। ଏହି ବୈଠକରେ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେଡିରୁ ପ୍ରାର୍ଥୀ ହେଉଥିବାରୁ, ବିଜେପୁର ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରାଯିବ ସେ ନେଇ ବିଚାରବିମର୍ଷ ଚାଲିଛି।

ସୂଚନାଯୋଗ୍ୟ ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ରାଜ୍ୟର ୩ଟି ପ୍ରମୁଖ ରାଜନୈକ ଦଳ ପାଇଁ ଏସିଡ୍‌ ଟେଷ୍ଟ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜୟୀ ହୋଇ ପ୍ରତ୍ୟେକ ରାଜନୈତିକ ଦଳ ଲୋକଙ୍କ ଆସ୍ଥା ସେମାନଙ୍କ ପ୍ରତି ରହିଛି ବୋଲି ଦର୍ଶାଇବା ପାଇଁ ଉଦ୍ୟମ କରିବେ। ଏଥିପାଇଁ ଉଭୟ ବିଜେଡ଼ି ଓ ବିଜେପି ପ୍ରାୟ ୧ ମାସ ହେବ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାରେ ଲାଗିଥିବା ବେଳେ ଦୀର୍ଘ ଦିନର ନିରବତା ପରେ ପୁଣି କଂଗ୍ରେସ ଏବେ ଏହି ମଇଦାନକୁ ଲମ୍ପ ମାରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଶାସକ ବିଜେଡି ଓ ବିରୋଧୀ ବିଜେପି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏ ନେଇ ନିରବ ରହିଥିଲା। ମାତ୍ର ଆଜି କଂଗ୍ରେସ ପକ୍ଷରୁ ବିଜେପୁର ଉପନର୍ବାଚନ ପ୍ରସ୍ତୁତି ନେଇ ତତ୍ପରତା ପ୍ରକାଶ ପାଇଛି।

ବିଜେଡି ତାର ରଣନୀତିର ପ୍ରଥମ ପଦକ୍ଷେପ ସ୍ୱରୁପ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିରେ ସାମିଲ କରି ସ୍ୱର୍ଗତ ସାହୁଙ୍କ ମୃତ୍ୟୁଜନିତ ଅନୁକମ୍ପା ହାସଲ ପାଇଁ ଉଦ୍ୟମ କରିଛି। ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁର ଚାଷୀମାନଙ୍କ ପାଇଁ ୧୨୬୦ କୋଟି ଟଙ୍କାର ଭୂତଳ ଜଳସେଚନ ଯୋଜନା ଘୋଷଣା କରିବା ସହିତ ଏହାକୁ ସାର୍ଥକ ସାରସ୍ୱତ ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରି ଭୋଟରମାନଙ୍କୁ ପ୍ରଲୋଭିତ କରିପାରିଛନ୍ତି । ଏହା ସତ୍ତ୍ୱେ ସହରୀ ଭୋଟଙ୍କୁ ଆକୃଷ୍ଟ କରିବା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ବିଜେପୁରକୁ ଏନଏସି ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏହାଦ୍ୱାରା ସମଗ୍ର ବିଜେପୁର ନିର୍ବାଚନ ମଣ୍ଡଳିର ଭୋଟରମାନଙ୍କୁ ଆକୃଷ୍ଟ କରାଯାଇପାରିବ ବୋଲି ବିଜେଡି ଭାବୁଛି।

ସେହିପରି ଏହି ରଣନୀତିରେ ବିଜେପି ମଧ୍ୟ କିଛି ପଛରେ ନାହିଁ। ବିଜେପି ପୂର୍ବତନ ବିଜେଡି ବିଧାୟକ ଅଶୋକ ସାହୁଙ୍କୁ ଦଳରେ ସାମିଲ କରି ତାଙ୍କ ଦ୍ୱାରା ଏଠାରେ ବିଜେଡିକୁ ରୋକିପାରିବ ବୋଲି ରଣନୀତି ପ୍ରସ୍ତୁତ କରିଛି। ତେବେ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏ ନେଇ ନିରବ ରହିଥିଲା। ମାତ୍ର ଆଜି କଂଗ୍ରେସ ପକ୍ଷରୁ ବିଜେପୁର ଉପନର୍ବାଚନ ପ୍ରସ୍ତୁତି ନେଇ ତତ୍ପରତା ପ୍ରକାଶ ପାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇ ବିଜେପୁର ଆସନକୁ କିପରି କଂଗ୍ରେସ ଦଳ ନିଜ ପାଖରେ ବଜାୟ ରଖିପାରିବ ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର