ଭୁବନେଶ୍ୱର (ସୁବ୍ରତ ଦାସ): ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ତିନି ପ୍ରମୁଖ ଦଳ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିବ। ଆଜି ଶାସକ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଜ ଜିଲ୍ଲା ଗଞ୍ଜାମରେ ରୋଡ଼ ସୋ କରି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବାନୀପାଟଣାଠାରେ ତାଙ୍କ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛି।ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ମଧ୍ୟ ଜୟପୁର ଆସି ପ୍ରଚାର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ (କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି ଓ ବ୍ରହ୍ମପୁର) ରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ପ୍ରଚାର ଖୁବ୍‌ ଜୋରସୋର୍‌ ଚାଲିଛି।

publive-image

କୋରାପୁଟ୍‌ ଲୋକସଭା ଆସନରୁ ଏଥର ବିଜୁ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା। ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝିନ୍ନଙ୍କୁ ବଦଳାଇ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛନ୍ତି। ତାଙ୍କ ବିପକ୍ଷରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ। ଜଣେ ପୁରୁଖା ନେତା ଜୟରାମ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । କଂଗ୍ରେସ ପକ୍ଷରୁ ଏଥର ଲଢୁଛନ୍ତି ଇଂଜିନିୟର ଚାକିରି ଛାଡ଼ି ନିକଟରେ ରାଜନୀତିରେ ଯୋଗ ଦେଇଥିବା ସପ୍ତଗିରି ଉଲାକା। ଶ୍ରୀ ଉଲାକା ପୂର୍ବତନ ମନ୍ତ୍ରୀ ତଥା ରୟଗଡ଼ାରୁ ଏଥର ବିଧାୟକ ହୋଇଥିବା ରାମଚନ୍ଦ୍ର ଉଲାକାଙ୍କ ପୁତ୍ର। ସିନିଅର୍‌ ଉଲାକା ମଧ୍ୟ ଦୁଇଥର ସାଂସଦ ଥିଲେ। ତାଙ୍କର ପତ୍ନୀ ରତ୍ନମଣି ମଧ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ।

publive-image ସପ୍ତଗିରି ଉଲାକା (Twitter)

ପଡ଼ୋଶୀ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଜୋରଦାର ନିର୍ବାଚନୀ ଯୁଦ୍ଧ ଦେଖିବାକୁ ମିଳିଛି। ସେଠାରେ ଏଥର ଶାସକ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢୁଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ। ପୁରୁଖା ନେତା ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ ଯାଦବ ମାଝୀଙ୍କ ପୁତ୍ର ରମେଶଙ୍କୁ ଏଥର ପ୍ରାର୍ଥୀ କରାଯାଇଛି ସାଂସଦ ବଳଭଦ୍ର ମାଝୀଙ୍କ ସ୍ଥାନରେ। ବଳଭଦ୍ର ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସେହି ଦଳ ଟିକେଟରେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି ପୂର୍ବତନ ସାଂସଦ ତତା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ପ୍ରଦୀପ ଗତଥର ମାତ୍ର ୨,୦୪୨ ଭୋଟରେ ବଳଭଦ୍ରଙ୍କଠାରୁ ହାରିଥିଲେ।

publive-image ରମେଶ ଚନ୍ଦ୍ର ମାଝୀ

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏଥର ଘମାଘୋଟ ଲଢେଇ ହେଉଛି। ସେଠାରୁ ଏଥର ସାଂସଦ ଅର୍କ କେଶରୀ ଦେଓଙ୍କୁ ବଦଳାଇ ଧର୍ମଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି। ତେବେ କଳାହାଣ୍ଡି ରାଜ ପରିବାରର ସଦସ୍ୟ ଅର୍କ କେଶରୀ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇଥିବାରୁ ଏହା ପୁଷ୍ପେନ୍ଦ୍ରଙ୍କ ବିଜୟ ଧାରାକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଆଶଙ୍କା କରୁଛନ୍ତି। ବିପକ୍ଷରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଏବଂ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା। ତେଣୁ ଏ ଏଥର ଲଢେଇ ଖୁବ୍‌ ଜୋରଦାର ହେବାର ସମ୍ଭାବନା।

publive-image ଚନ୍ଦ୍ରଶେଖର ସାହୁ

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଲୋକସଭା ଆସନ ମଧ୍ୟ ଜୋର୍‌ଦାର ନିର୍ବାଚନୀ ଯୁଦ୍ଧ ଦେଖିବାକୁ ଯାଉଛି। ଏଠାରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥର ଶାସକ ବିଜୁ ଜନତା ଦଳ ବଦଳାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ମହାପାତ୍ରଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ସାହୁ ନିକଟରେ କଂଗ୍ରେସରୁ ଆସି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଚନ୍ଦ୍ରଶେଖରଙ୍କ ବିପକ୍ଷରେ ଲଢୁଛନ୍ତି ଭାରତୀୟ ଜନତା ପାର୍ଟିର ଟାଣୁଆ ଯୁବ ନେତା ଭୃଗୁ ବକ୍ସିପାତ୍ର। ଭୃଗୁ ପୁରୁଖା ଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କର ପୁତ୍ର। ଅନ୍ୟ ପକ୍ଷରେ ଏଥର କଂଗ୍ରେସ ପକ୍ଷରୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ଶିଳ୍ପପତି ଭି.ଚନ୍ଦ୍ରଶେଖର ନାଇଡୁ। ତେବେ ସେ ସ୍ଥାନୀୟ ରାଜନୀତିରେ ନବାଗତ।