ନାରାୟଣ, ନାରାୟଣ। ବିଜେଡି ନେତାଙ୍କ କାରବାର ଦେଖି ଅକ୍ଷୟ ମହାନ୍ତିଙ୍କ ଗୀତର ଧାଡ଼ି ମନେପଡୁଛି- ତୁମ ନା’ର ମାନେ ହଁ, ତୁମ ହଁର ମାନେ ନା। ବାବୁ ପିନାକୀ ମିଶ୍ର ହେଲେ ବିଜେଡିର ସା˚ସଦ, ଜଣାଶୁଣା ଓକିଲ। ଏହା ସତ୍ତ୍ବେ ସେ ଯେତେବେଳେ ଲୋକସଭାରେ କହିଲେ ଯେ ତାଙ୍କର ବିଜେଡି ଦଳ ଉଭୟ ଭାରତୀୟ ଜନତା ପାର୍ଟି ଏବ˚ କ˚ଗ୍ରେସ ଦଳଠାରୁ ସମଦୂରତ୍ବ ରକ୍ଷା କରୁଛି, ସେତେବେଳେ ବିଭିନ୍ନ ଦଳର ସା˚ସଦମାନେ ନିଜ ନିଜର ହସ ରୋକିପାରିଲେ ନାହିଁ। ଏକଥା ହାଟରେ ଘାଟରେ ଚର୍ଚ୍ଚା ହେଉଛି ଯେ ବିଜେଡି ହେଉଛି ପଦ୍ମଦଳର ଅନୁଗତ ସହଯୋଗୀ ଦଳ। ପ୍ରଧାନମନ୍ତ୍ରୀ ଦୁଇ ହାତରେ ବିଷ୍ଣୁଙ୍କ ପରି ପଦ୍ମ ଓ ଶଙ୍ଖ ଧାରଣ କରିଛନ୍ତି। ତଥାପି ଓଡ଼ିଶାର କିଛି ଲୋକ ଭାବୁଥିଲେ ବିଜେଡି ତ ମହିଳାମାନଙ୍କ ସମ୍ମାନ ପ୍ରସଙ୍ଗରେ ସାଲିସ୍ କରିବା କଥା ନୁହେଁ, ତେଣୁ ମଣିପୁର ମହିଳାଙ୍କ ନିର୍ଯାତନା ଘଟଣାରେ ନିଶ୍ଚୟ କିଛି ଗୋଟାଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମାତ୍ର ଦେଖାଗଲା, ସମସ୍ୟା ଯାହା ହୋଇଯାଉନା କାହିଁକି ନିଜର ସ୍ବାର୍ଥ ହିଁ ବଡ଼ ପ୍ରଶ୍ନ। ପାଠକଙ୍କର ମନେଥିବ ଯେ ଯେତେବେଳେ ବିଜେଡିର ଲୋକସଭା ନେତା ଆଉଜଣେ ସାଂସଦ ଥିଲେ, ସେତେବେଳେ ଅର୍ଥାତ୍ ୨୦୧୮ ମସିହାରେ ରାଜ୍ୟ ସ୍ବାର୍ଥ ପାଇଁ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ ଏବଂ ମୋଦୀଙ୍କୁ ବିରୋଧ କରିଥିଲେ। ଏବେ ବାବୁ ପିନାକୀ ମିଶ୍ର କହିଛନ୍ତି ଯେ ଆମେ ଗୋଟେ ଆଞ୍ଚଳିକ ଦଳ, ଆମର ରାଜ୍ୟ ସ୍ବାର୍ଥ ପାଇଁ ଆମେ ଦିଲ୍ଲୀ ଅଧ୍ୟାଦେଶ ମାମଲାରେ ମୋଦୀଙ୍କୁ ସମର୍ଥନ କରିବୁ। ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବୁ ନାହିଁ। ୨୦୧୮ରୁ ୨୦୨୩ ଭିତରେ କେଉଁ ମହତ୍ତ୍ବପୂର୍ଣ୍ଣ ରାଜ୍ୟ-ସ୍ବାର୍ଥର ସୁରକ୍ଷା ହୋଇଗଲା ଯେ ବିଜେଡି ତାହାର ଭୂମିକା ବଦଳେଇଦେଲା। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ମହାନଦୀ ପାଣି ପ୍ରସଙ୍ଗ ନା ଆଉକିଛି ପ୍ରସଙ୍ଗରେ ମୋଦୀ ବାବୁ ନବୀନଙ୍କୁ ବହୁତ ସାହାଯ୍ୟ କରିଛନ୍ତି ତାହା ଲୋକେ ଜାଣିବା ଦରକାର। ସେ ଯାହାହେଉ, ଗତକାଲି ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପରେ ପୁଣିଥିରେ ଶଙ୍ଖ-ପଦ୍ମ ମେଣ୍ଟ ସମୟ ପ୍ରାୟ ଫେରିଆସିଛି ଏବ˚ ବାବୁ ତଥାଗତ ସତପଥୀ ଟୁଇଟ୍ କରିବା ପ୍ରାୟେ, କ˚ଗ୍ରେସ ଦଳ ରାଜ୍ୟରୁ ଆପାତତଃ ଲୋପ ପାଇଯିବା ପରେ ଆଉ ଗୋଟେ ଆଞ୍ଚଳିକ ଦଳ ମୁଣ୍ତ ନ ଟେକିବା ପର୍ଯ୍ୟନ୍ତ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଡ଼ମ୍ବିତ ହୋଇ ରହିବ।
ଅନେକ ବିଭୀଷଣ
ରାମାୟଣରେ ସିନା ଜଣେ ବିଭୀଷଣ ଥିଲେ ମାତ୍ର କୋରାପୁଟ ବିଜେଡିରେ ଅନେକ ବିଭୀଷଣ ବୋଲି ସେହି ଦଳର ନେତାଏ କହୁଛନ୍ତି। ଗଲା ୧ ତାରିଖରେ ଜୟପୁରଠାରେ ବିଜୁ ଯୁବ-ଛାତ୍ର ସଙ୍ଗଠନର ସମ୍ମିଳନୀ ହେଉଥିଲା। ସେଥିରେ ବିଜେଡିର କୋରାପୁଟ ନେତା ଝୀନ ହିକ୍କା, ବାବୁ ଈଶ୍ବର ପାଣିଗ୍ରାହୀ, ରମାକାନ୍ତ ରାଉଳଙ୍କ ସହ ବାବୁ ରବିନାରାୟଣ ନନ୍ଦ ଏବ˚ ଜିଲ୍ଲା ବିଜେଡି ସହପର୍ଯ୍ୟବେକ୍ଷକ ବାବୁ ହରିଶଙ୍କର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଭାଷଣ ପ୍ରସଙ୍ଗରେ ବାବୁ ହରିଶଙ୍କର କହିଲେ ଯେ ସମଗ୍ର ଓଡ଼ିଶାରେ ନବୀନ ଲହରି ବୋହୁଥିବା ବେଳେ କୋରାପୁଟରେ ଦଶବର୍ଷ ହେଲା ବିଜେଡି ହାରୁଛି। ଚାରିଆଡୁ କ˚ଗ୍ରେସ ଦୀପ ଲିଭି ଆସିଲାଣି, ମାତ୍ର କୋରାପୁଟରେ ସେ ଦୀପ ଜୋର୍ରେ ଜଳୁଛି। ଏହାର ଅର୍ଥ ନୁହେଁ ଯେ ଲୋକେ କ˚ଗ୍ରେସକୁ ସମର୍ଥନ କରୁଛନ୍ତି, ବାସ୍ତବରେ ଆମରି ଦଳର କିଛି ନେତା ଷଡ୍ଯନ୍ତ୍ର କରି ଦଳକୁ ହରଉଛନ୍ତି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ରମାକାନ୍ତ କହିଲେ, ରାମାୟଣରେ ଯୁଦ୍ଧ ହେଲାବେଳେ ସବୁ ଭାଇ ରାମଙ୍କ ପାଖରେ ଥିଲେ, ମାତ୍ର ରାବଣ ପାଖକୁ ତା ଭାଇ ବିଭୀଷଣ ଚାଲିଆସିଥିଲେ। ଜୟପୁରରେ କିନ୍ତୁ ଆମେ ସମସ୍ତେ ବିଭୀଷଣ ହେଇଯାଉଛୁ, କାରଣ ଆମେ ଏଠି ରାମଚନ୍ଦ୍ର ପରି ଭାଇଙ୍କୁ ପାଉନାହୁଁ। କଥାଟା ପୂର୍ବତନ ମନ୍ତ୍ରୀ, ଦିଥର ପରାଜିତ ବିଜେଡି ପ୍ରାର୍ଥୀ ରବି ନନ୍ଦଙ୍କ ଆଡ଼କୁ ଯାଉଥିବା ଦେଖି ନନ୍ଦେ ଜବାବ ଦେଲେ, ଆମର ନେତାମାନେ କହୁଛନ୍ତି ପ୍ରକାରେ, କରୁଛନ୍ତି ଅନ୍ୟପ୍ରକାରେ- ଉଚ୍ଚାରଣ ଆଉ ଆଚରଣ ଭିତରେ ଘୋର୍ ପ୍ରଭେଦ। ଏହାପରେ, ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାର ଆଶା ବାନ୍ଧିଥିବା ଈଶ୍ବର ପାଣିଗ୍ରାହୀ ମତଦେଲେ, ଯାହା ହେବାର ହେଇଗଲା। ଏଥର କିନ୍ତୁ ଦଳ ପକ୍ଷରୁ ଷଡ୍ଯନ୍ତ୍ରକାରୀଙ୍କ ଉପରେ ସତର୍କ ଦୃଷ୍ଟି ରହିଛି। ଯିଏ ଯାହା କରିବ ସିଏ ତାର ଫଳ ଭୋଗ କରିବ।
ସୁବାସଙ୍କ ତାମିଲ ପ୍ରୀତି
କଟକ ମେୟର ସୁବାସ ସି˚ହ ଅଚିରେ ସୁର ରାଉତରାୟ ମାର୍କା ନେତା ଭାବେ ପରିଚିତ ହେବାକୁ ଯାଉଛନ୍ତି, ଯିଏ କହିବା ଆଗରୁ କିଛି ଚିନ୍ତା କରନ୍ତି ନାହିଁ, ମାତ୍ର କହିସାରିଲା ପରେ ବହୁବାର ଚିନ୍ତା କରନ୍ତି। ଶାସ୍ତ୍ର କହିଲା, ମଣିଷ କିପରି କଥା କହିବାକୁ ପଡ଼ିବ ସେଇଟା ଶିଖିବାକୁ ବର୍ଷେ ଦେଢ଼ବର୍ଷ ସମୟ ନିଏ। ମାତ୍ର କଣ ନ କହିବାକୁ ହେବ ତାହା ଶିଖିବାଲାଗି ଜୀବନକାଳ ସୁଦ୍ଧା ନିଅଣ୍ଟ ପଡ଼ିଥାଏ। ବାବୁ ସୁବାସ ସି˚ହ ସେକଥା ଭାବୁନାହାନ୍ତି। ଗଲା ରବିବାର ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ଚୌଦ୍ବାର-କଟକ ବିଜେଡି କାର୍ଯ୍ୟକାରିଣୀ ସଭା ହେଉଥିଲା। ସେଇଠି ଭାଷଣ ଦେବାବେଳେ ସା˚ସଦ ଭର୍ତ୍ତୃହରି ମହତାବ କହିଲେ ଯେ, ଆମର ମେୟର ଚାରିଆଡ଼େ ବୁଲାବୁଲି କରୁଛନ୍ତି। ତାଙ୍କର ବିଧାୟକ ହେବା ଲାଗି ଇଚ୍ଛା ରହିଛି। ଏଭଳି ଇଚ୍ଛା ରହିବା ଖରାପ କଥା ନୁହେଁ, କିନ୍ତୁ ସିଏ ଟିକେ କଟକ ସହରର ରାସ୍ତାଘାଟ, ନାଳନର୍ଦ୍ଦମାର ଉନ୍ନତି ପାଇଁ ପ୍ରଥମେ ଧ୍ୟାନ ଦିଅନ୍ତୁ। ନିଜ ଉତ୍ତରରେ ବାବୁ ସୁବାସ କହୁ କହୁ କହିପକାଇଲେ, ‘‘ଆଉ କଟକ ଜଳବନ୍ଦୀ ହେବନାହିଁ। ଏହା ଭିତରେ ତାମିଲ ଯନ୍ତ୍ରୀମାନେ ଆସି ପରିଦର୍ଶନ କରିଯାଇଛନ୍ତି, ଖୁବ୍ ଶୀଘ୍ର ଏସବୁ ସମସ୍ୟାର ସମାଧାନ ହୋଇଯିବ।’’ କଥାକଥାକେ ଓଡ଼ିଶାର ଇତିହାସ, କଳିଙ୍ଗ ଯୁଦ୍ଧ, କଟକ ସହର ଇତ୍ୟାଦିକୁ ନେଇ ଗର୍ବ କରୁଥିବା ବାବୁ ସୁବାସ ସି˚ହ ତାମିଲ ଯନ୍ତ୍ରୀଙ୍କ କଥା କହିବା ପରେ ଉପସ୍ଥିତ ଲୋକଙ୍କ ଭିତରେ ମୃଦୁ ଗୁଞ୍ଜରଣ ହେଲା। ଏହାର କାରଣ, ସମସ୍ତେ ଜାଣନ୍ତି ଯେ କେତେଜଣ ଦକ୍ଷ ତାମିଲ ଅଫିସର ହିଁ ବର୍ତ୍ତମାନ ଓଡ଼ିଶାର ଶାସନ ଚଳଉଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ନାମକୁମାତ୍ର ଶାସନ ମୁଖ୍ୟ। ତେବେ, କଟକ ଜଳବନ୍ଦୀ ସମସ୍ୟାର ସମାଧାନ କୌଣସି ଓଡ଼ିଆ ଯନ୍ତ୍ରୀ କରିପାରିବେ ନାହିଁ, ସେଥିପାଇଁ ତାମିଲ ଯନ୍ତ୍ରୀ ଲୋଡ଼ାପଡ଼ିଲେ- ଏକଥାଟି ବାବୁ ଭର୍ତ୍ତୃହରିଙ୍କୁ ଟିକିଏ ଖାପଛଡ଼ା ଲାଗିଲା। ସିଏ ରହସ୍ୟଜନକ ସ୍ମିତହସ ହସି ମନ୍ତବ୍ୟ ଦେଲେ, ‘‘ହଁ, ବିଧାୟକ ହେବା ପାଇଁ ଆଗ୍ରହ ସହିତ ଆମ ମେୟରଙ୍କ ପାଖରେ ଅଧିକ ତାମିଲ ପ୍ରୀତି ମଧ୍ୟ ଏବେ ଦେଖିବାକୁ ମିଳୁଛି।’’
ବିଶ୍ବସ୍ତରୀୟ ସହରର ଦୁର୍ଦ୍ଦଶା
ଭୁବନେଶ୍ବର ମେୟର ଏ ସହରର ଜଳବନ୍ଦୀ ସମସ୍ୟା ଆଲୋଚନାବେଳେ କୁଆଡ଼େ କହିଛନ୍ତି ଯେ ଦିଲ୍ଲୀରେ ବି ତ ଏପରି ସମସ୍ୟା ଦେଖାଦେଇଛି, ଖାଲି କଣ ଏଇଠି ଏ ସମସ୍ୟା। ତାଙ୍କ ଆଦର୍ଶରେ ଅନୁପ୍ରାଣିତ କର୍ପୋରେସନ୍ର କମିସନର ମଧ୍ୟ କହିଛନ୍ତି, ଆଗରୁ ଏଭଳି ସମସ୍ୟା ୨୦୧୮ରେ ମଧ୍ୟ ଥରେ ହୋଇଥିଲା। ଏଥର ଆଉ ଥରେ ହେଇଛି। ଏହାର ଅର୍ଥ ହେଲା ୨୦୧୮ରୁ ୨୦୨୩ ଏହି ପାଞ୍ଚବର୍ଷ ଭିତରେ ବିଶ୍ବସ୍ତରୀୟ ସ୍ମାର୍ଟସିଟି ଭୁବନେଶ୍ବରର ଜଳବନ୍ଦୀ ସମସ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। କଥାରେ ଅଛି ସମସ୍ତେ ଭୁଲ୍ କରନ୍ତି, ମାତ୍ର ବାରମ୍ବାର ଭୁଲ୍ କରୁଥିବା ଲୋକଙ୍କୁ ନିର୍ବୋଧ କୁହାଯାଏ। ଏଥର ବର୍ଷାପାଣି ସମସ୍ୟାରେ ଭୁବନେଶ୍ବରବାସୀ ଯେମିତି ହନ୍ତସନ୍ତ ହେଲେ ତାହା କଥାରେ କହିହେବନାହିଁ। ଏ ପ୍ରସଙ୍ଗରେ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବରେ ଥିବା କେନ୍ଦ୍ର ସରକାରଙ୍କ ଯନ୍ତ୍ରୀମାନେ ମଧ୍ୟ ଦୋଷୀ। ତେବେ ବେଶି ଦୋଷୀ ବିଡିଏ, ମ୍ୟୁନିସିପାଲ୍ କର୍ପୋରେସନ୍ର ଅଧିକାରୀଗଣ। ଟେଲିଭିଜନ୍ରେ ମନ୍ତବ୍ୟ ଦେଉ ଦେଉ ଜଣେ ଭୁବନେଶ୍ବର ବାସିନ୍ଦା କହିଛନ୍ତି, ଆଉ ସ୍ମାର୍ଟସିଟିରେ ରହିବାକୁ ସାହସ ନାହିଁ, ଆମେ ଗାଁକୁ ଚାଲିଯାଉଛୁ। ବାସ୍ତବିକ୍, କିଛି ଲୋକ ଗାଁକୁ ପଳେଇ ଯାଇଥିଲେ। କାରଣ ଥରେ ଘର ଭିତରେ ପାଣି ପଶିଗଲେ ତାହା ବାହାର କରିବାକୁ ଢେର୍ ସମୟ ଲାଗିବ। ଇଏ ତ ରାସ୍ତା ଉପର ପାଣି ହେଇନି ଯେ ନଳାକୁ ଗଡ଼ିଯିବ। ବର୍ଷକୁ ବର୍ଷ ଭୁବନେଶ୍ବର ସହରର ସମସ୍ୟା କଦର୍ଯ୍ୟ ହୋଇ ଚାଲୁଥିବା ବେଳେ ସରକାରୀ ସ˚ସ୍ଥାର ଅଧିକାରୀମାନେ ଯେମିତି ଶୁଖିଲା ବିବୃତି ଦେଇ ନିରବ ରହୁଛନ୍ତି ତାହା ବାସ୍ତବରେ ଦୁର୍ଭାଗ୍ୟଜନକ।
କେନ୍ଦ୍ରାପଡ଼ାରେ ଆଶାୟୀଙ୍କ ଭିଡ଼
୨୦୧୯ ମସିହାରୁ କେନ୍ଦ୍ରାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀଙ୍କର ପୁନରାବୃତ୍ତି ହୋଇନାହିଁ। ୨୦୦୯ରେ ସିପ୍ରା ମଲ୍ଲିକ ପ୍ରାର୍ଥୀ ହୋଇଥିଲେ, ତାପରେ ୨୦୧୪ରେ କିଶୋର ତରାଇ ଏବ˚ ୨୦୧୯ରେ ବାବୁ ଶଶିଭୂଷଣ ବେହେରା। ଏବେ ୨୦୨୪ରେ କିଏ ପ୍ରାର୍ଥୀ ହେବ ଜଣାନାହିଁ, ମାତ୍ର ଆଶାୟୀମାନେ ପ୍ରବଳ ଲବି କରିବା ଆରମ୍ଭ କରିଦେଲେଣି। ଆମ ଖବର ଅନୁସାରେ ପ୍ରାୟ ଆଠଜଣ ପ୍ରାର୍ଥୀ ବିଜେଡି ଟିକେଟ୍ ପାଇଁ ଆଶାୟୀ। ସେମାନେ ହେଲେ ଯଥାକ୍ରମେ- କେନ୍ଦ୍ରାପଡ଼ା ଯୁବ ବିଜେଡିର ସଭାପତି ରାଜେଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ନିୟମିତ ଭାବେ ବିଭିନ୍ନ ପର୍ବପର୍ବାଣି ଓ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜ ଫଟୋ ମିଶେଇ ହୋର୍ଡି˚ ଲଗଉଥିବା ମୁରଲୀଧର ସେଠୀ, ବିଜେଡିର କାର୍ଯ୍ୟନିର୍ବାହୀ ସମିତି ସଭ୍ୟ ଦୁଷ୍ମନ୍ତ ମଲ୍ଲିକ, ନିମାଇଁ ସେଠୀ, ପୂର୍ବତନ ବିଧାୟକ ତାପସ ଦାସଙ୍କ ପୁଅ ବିଭୂତି ଭୂଷଣ ଦାସ ଏବ˚ ଏହାଙ୍କ ସାଙ୍ଗକୁ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବ˚ ନିଜ ପାଇଁ ସମସ୍ୟା ହେଲେ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଆଶାୟୀ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ। ଏହି ଆଠଜଣଙ୍କ ପରେ ଖୋଦ୍ ଶଶିଭୂଷଣ ବେହେରା ମିଶିଗଲେ ନଅଜଣ ନେତା ଆଶାୟୀ ତାଲିକାରେ ହୋଇଯିବେ। କାହା ମୁଣ୍ତରେ ବଳଦେବଜୀଉ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା କରାଯାଉ। ଓହୋ, ଭୁଲିଯାନ୍ତୁ, ଏମାନଙ୍କ ଭିନ୍ନ, ନିଜ ନାମ ପ୍ରକାଶ କରିବାକୁ ଚାହୁଁ ନ ଥିବା ଦୁଇ ନେତା ମଧ୍ୟ ଏଇ ଲବିରେ ଅଛନ୍ତି।
ଛୋଟ ସାପର ବିଷ ବେଶି
ବାପା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ପୁଅ ସୂର୍ଯ୍ୟବ˚ଶୀ ସୂରଯ ରାଜନୀତିକୁ ଆସିଥିଲେ। ସେ ସହାନୁଭୂତି ଲାଭକରି ଧାମନଗର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବୋଲି ଅନେକ କହିଥାନ୍ତି। ମାତ୍ର ବାସ୍ତବପକ୍ଷେ ତାଙ୍କ ପାଖରେ ନେତୃତ୍ବ ନେବାର ନିଷ୍ଠା ଥିବା ଏବର ବନ୍ୟାଗ୍ରସ୍ତ ଧାମନଗରବାସୀ ଅନୁଭବ କରୁଛନ୍ତି। ବୈତରଣୀ ବନ୍ୟାରେ ଧାମନଗର ବେଶି କ୍ଷତିଗ୍ରସ୍ତ ହୋଇଛି। ତାପରେ ଭଣ୍ତାରିପୋଖରୀ ଓ ଚାନ୍ଦବାଲିର ଚାରିଟି ପଞ୍ଚାୟତ। ତେବେ ପ୍ରଥମ ଦିନରୁ ଧାନମନଗରର ଯୁବ ବିଧାୟକ ରିଲିଫ୍ ଓ ଉଦ୍ଧାର କାମରେ ଲାଗିପଡ଼ିଛନ୍ତି। ରାଜସ୍ବ ମନ୍ତ୍ରୀ କିମ୍ବା ଅନ୍ୟ ବିଧାୟକ ଆସିବା ଆଗରୁ ସିଏ ନିଜେ ତାଙ୍କ ସହକର୍ମୀମାନଙ୍କୁ ନେଇ ବନ୍ୟାଞ୍ଚଳ ଲୋକଙ୍କ ଦୁଃଖ ଶୁଣିବାକୁ ବାହାରିଯାଇଥିଲେ। ଆଗାମୀ ନିର୍ବାଚନବେଳେ ତାଙ୍କର ଏହି ନିଷ୍ଠା ଅବଶ୍ୟ ଫଳ ଦେବ- ଏକଥା ଲୋକେ ଚର୍ଚ୍ଚା କରୁଛନ୍ତି। ଅନ୍ୟପକ୍ଷରେ ଭଦ୍ରକର ଜିଲ୍ଲାପାଳ ସିଦ୍ଧେଶ୍ବର ବଲିରାମ ବନ୍ଦରଙ୍କ କାର୍ଯ୍ୟକୁ ମଧ୍ୟ ଲୋକେ ପ୍ରଶ˚ସା କରୁଛନ୍ତି। ଏହି ଜିଲ୍ଲାପାଳ ତାଙ୍କର ସହକର୍ମୀମାନଙ୍କୁ ନେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବନ୍ୟାଞ୍ଚଳ ଘୂରୁଛନ୍ତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ବିଜୟଙ୍କ ଯୋଜନା କଣ
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କର ଆଗାମୀ ଯୋଜନା ସମ୍ବନ୍ଧରେ ତାଙ୍କର କର୍ମୀମାନେ କିଛି ଜାଣିପାରୁନାହାନ୍ତ। ସେ ମହାକାଳପଡ଼ାରୁ ଛିଡ଼ା ହେବେ ନା ପାଟକୁରାରୁ କିମ୍ବା ତାଙ୍କ ପୁଅକୁ ଏ ଦି ନିର୍ବାଚନମଣ୍ତଳୀ ମଧ୍ୟରୁ ଗୋଟିକରେ ଠିଆ କରେଇବେ ସେକଥା ଆଲୋଚନା ହେଉଛି। ଅନ୍ୟପକ୍ଷରେ ସେ ପଦ୍ମଦଳରେ ଥାଇ ନ ଥିଲା ପରି ମାନେ ପଦ୍ମପତ୍ରରେ ନୀର ପ୍ରାୟେ। ଶୁଣାଯାଉଛି ସିଏ ମୋଦୀ-ବିରୋଧୀ ମେଣ୍ଟ ‘ଇଣ୍ତିଆ’ରୁ ସୁଦ୍ଧା ପ୍ରାର୍ଥୀ ହୋଇପାରନ୍ତି। ଏହା ଭିତରେ ସେ ଗତ ୨୯ ତାରିଖରେ ମହାକାଳପଡ଼ା ନିର୍ବାଚନମଣ୍ତଳୀର ମାର୍ଶାଘାଇ ବ୍ଲକ୍ ଅଙ୍ଗୁଳେଇ ଯାଇଥିଲେ ଏବ˚ ସେଇଠି ପଦ୍ମଦଳର ବହୁ କର୍ମୀଙ୍କୁ ଭେଟିଥିଲେ। ଏହାପରେ ସେ ଯଦୁପୁର ଯାଇ ଆଉଗୋଟେ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ କିଛି ଲୋକଙ୍କୁ ଭେଟିଥିଲେ। ଏହାଦ୍ବାରା ଗୋଟେ ଧାରଣା ସୃଷ୍ଟି ହେଲା ଯେ ସିଏ ହୁଏତ ପୁଣି ପଦ୍ମଦଳରୁ ପ୍ରାର୍ଥୀ ହୋଇପାରନ୍ତି। କିଛିଦିନ ହେଲା ତାଙ୍କ ପୁଅ ମଧ୍ୟ ପାଟକୁରା ଓ ମହାକାଳପଡ଼ାରେ ବୁଲାବୁଲି କରୁଛନ୍ତି। ନେତା ବା ନେତାଙ୍କ ପୁଅ-ଝିଅ ତ କେବଳ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ ବୁଲନ୍ତି ନାହିଁ, ସେମାନଙ୍କର ଉଦ୍ଦେଶ୍ୟ ଭିନ୍ନ। ପୁଅ ଅରବିନ୍ଦ ରାଜନୀତିରେ ପ୍ରବେଶ ସଭା ଅୟୋଜନବେଳେ କହିଥିଲେ ଯେ ଖୁବ୍ ଶୀଘ୍ର ସବୁକଥା ସ୍ପଷ୍ଟ ହୋଇଯିବ। ଦିବର୍ଷ ହେଇଗଲାଣି, କିଛି ତ ସ୍ପଷ୍ଟ ହେଇନାହିଁ, ଯାହା ଯେତିକି ସ୍ପଷ୍ଟ ଥିଲା ତାହା ମଧ୍ୟ ଅସ୍ପଷ୍ଟ ହେଇଗଲାଣି। ନାରାୟଣ, ନାରାୟଣ।