ଭୁବନେଶ୍ୱର: ବିମୁଦ୍ରାୟନ ଏବଂ ଜିଏସ୍ଟି ପାଇଁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ହାରିବା ପରେ ବିଜେପି ଗୋଡ଼ତଳୁ ମାଟି ଖସିଗଲାଣି ବୋଲି ଭଦ୍ରକର ବାସୁଦେବପୁର ଅନ୍ତର୍ଗତ ବାଲିନଗରସ୍ଥିତ ଯାଦବ ପଡ଼ିଆରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ମଙ୍ଗଳବାର ଦିନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସମବେତ ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ଉଦ୍ବୋଧନ ଦେଇ ସେ କହିଲେ ଯେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ।
ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।
କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଲେ, ଫାଇଲିନ୍, ତିତିଲି, ହୁଡୁହୁଡ୍ ଆଦି ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଏବଂ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ବିପୁଳ ସଂଖ୍ୟରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି।
ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନରେ ଭଦ୍ରକର ନେହେରୁ ଷ୍ଟାଡିୟମ୍ ପଡ଼ିଆ, ଭଣ୍ଡାରୀପୋଖରୀ, ବନ୍ତ ଓ ଧୁସୁରିରେ ଆୟୋଜନ ହୋଇଥିବା ନିର୍ବାଚନୀ ସଭାରେ ଭାଷଣ ଦେବେ।
ସେଠାରୁ ସେ ହେଲିକପ୍ଟର୍ ଯୋଗେ ଯାଜପୁର ଜିଲ୍ଲାର କୋରେଇ ଅନ୍ତର୍ଗତ ପାଣିକୋଇଲି, ସୁକିନ୍ଦାର ଡୁବୁରି ଓ ବାଲିଚନ୍ଦ୍ରପୁରରେ ନିର୍ବାଚନ ପ୍ରଚାର ସଭାରେ ଉଦ୍ବୋଧନ ଦେବେ।
ଏହା ପରେ ସେ ସଡ଼କ ପଥରେ ଯାଇ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗାର ବନୁଆ କଲେଜ ପଡ଼ିଆ ଓ ସାଲେପୁର ହାଇସ୍କୁଲ୍ ପଡ଼ିଆରେ ପ୍ରଚାର ସଭାରେ ଭାଷଣ ଦେଇ ଭୁବନେଶ୍ୱରସ୍ଥିତ ନବୀନ ନିବାସକୁ ଫେରିବେ।