ଗତ  ତିନି  ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଥିବା ଚମ୍ପୁଆରୁ ଏଥର ଜିତିବ କିଏ ? ଦୌଡ଼ରେ ନାହାନ୍ତି ଦମଦାର ସ୍ୱାଧୀନ ପ୍ରାର୍ଥୀ

ଭୁବନେଶ୍ୱର(ସୁବ୍ରତ ଦାସ):  ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ମଣ୍ଡଳୀ ଅନେକ ସମୟରେ ଏକ ବିସ୍ମୟ ଭେଟି ଦେଇ ଆସିଛି। ଏହି ଆଦିବାସୀ ଅଧ୍ୟୁଷିତ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଏଥର ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଝୁଲି ରହିଥିଲା। ଶେଷରେ ଦଳ ଜଣେ ମହିଳା ପ୍ରାର୍ଥୀ ମିନାକ୍ଷୀ ମହନ୍ତଙ୍କ ନାମ ଘୋଷଣା କରିଛି।
 ଚଳିତ ବିଧାନସଭାରେ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଏଥର ନିଜେ ପ୍ରତିଦ୍ୱନ୍ଦିତା କରୁ ନ ଥିବା ବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ମିନାକ୍ଷୀ ମହନ୍ତଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ‘‘ମୁଁ ବିଜୁ ଜନତା ଦଳରେ ନାହିଁ।ତେବେ ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି’’ ବୋଲି କହିଛନ୍ତି ସନାତନ।
scroll.in
ନିଜର ସଂପତ୍ତି ନେଇ ଚର୍ଚ୍ଚାରେ ଥିବା ସନାତନ ଗତ ୨୦୧୪ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ବିଜୁ ଜନତା ଦଳର ବିଦ୍ରୋହୀ ପ୍ରାର୍ଥୀ କୁଶ ଆପଟ, ଯିଏ ସ୍ୱାଧୀନ ପ୍ରାର୍ଥୀ ରୂପେ ଲଢ଼ିଥିଲେ। ମହାକୁଡ଼ ୬୯,୬୩୫ ଭୋଟ ପାଇଥିବା ବେଳେ ଆପଟ ପାଇଥିଲେ ୫୪,୯୫୭ ଖଣ୍ଡ ଭୋଟ। ବିଜୁ ଜନତା ଦଳର ଆନୁଷ୍ଠାନିକ ପ୍ରାର୍ଥୀ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌ ମାତ୍ର ୧୦,୨୩୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ନିକଟରେ ଶ୍ରୀ ଆପଟଙ୍କ ନିଲମ୍ବନ ଆଦେଶ ଦଳ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେଣୁ ସେ ଏଥର ପ୍ରାର୍ଥୀ ହେବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳୀୟ ହାଇ କମାଣ୍ଡ୍‌ ଶ୍ରୀ ଆପଟଙ୍କୁ ପ୍ରାର୍ଥୀ ନ  କରି ତାଙ୍କ ବଦଳରେ ମିନାକ୍ଷୀ ମହାନ୍ତଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
କୁଶ ଆପଟ ( ଫେସବୁକ୍) 
ମୀନାକ୍ଷୀଙ୍କ ବିପକ୍ଷରେ ଲଢ଼ୁଛନ୍ତି ଭାରତୀୟ ଜନତା ପାର୍ଟିର ମୂରଲୀ ମନୋହର ଶର୍ମା ଏବଂ କଂଗ୍ରେସର ବିଦ୍ୟାଧର ବାରିକ। ଶର୍ମା ଗତ ୨୦୦୯ ବିଧାନସଭା ନିର୍ବାଚନରେ ୧୮,୮୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ତେବେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ୨୦୦୯ରେ  ୨୭,୭୦୦ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡଙ୍କୁ ମାତ୍ର ୧୪୫ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ।

ଜିତୁ ପଟ୍ଟନାୟକ
ତା’ପୂର୍ବରୁ ୨୦୦୦ ମସିହାରେ ବରିଷ୍ଠ ଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମ ସ୍ୱାଧୀନ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୫,୨୩୬ ଖଣ୍ଡ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
 ତେବେ, ୧୯୭୭ ଠାରୁ ୨୦୦୪ ମସିହା ମଧ୍ୟରେ ଅନୁଷ୍ଠିତ ସାତୋଟି ବିଧାନସଭା ନିର୍ବାଚନରେ ମୁଖତଃ କଂଗ୍ରେସ ଓ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଜନତା ପାର୍ଟି, ଜନତା ଦଳ(ଧର୍ମନିରପେକ୍ଷ) ବା ଜନତା ଦଳ ମଧ୍ୟରେ ଛକାପଞ୍ଝା ହୋଇଛି।
ଜନତା ପାର୍ଟି ୧୯୭୭ରେ ,ଜନତା ଦଳ(ଧର୍ମ ନିରପେକ୍ଷ) ୧୯୮୦ ଏବଂ ଜନତା ଦଳ ୧୯୮୦-ମସିହାରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୧୯୮୫,୧୯୯୫ ଏବଂ ୨୦୦୪ ମସିହାରେ  ବିଜୟ ଲାଭ କରିଥିଲା। ପ୍ରଥମ  ଥର ଲାଗି ୨୦୦୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦୁର୍ଯ୍ୟୋଧନ ପିଙ୍ଗୁଆ ୨୮,୭୫୭ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
ସମ୍ବନ୍ଧିତ ଖବର