ଅମରାବତୀ: ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ତେଲୁଗୁ ଦେଶମ୍‌ ପାର୍ଟି ଶୁକ୍ରବାର ଦିନ ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଓହରି ଆସିଛି।

ସର୍ବସମ୍ମତି କ୍ରମେ ପାର୍ଟିର ପଲିଟିବ୍ୟୁରୋ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଏହା ଛଡ଼ା ଦଳ ଓ୍ଵାଇଏସ୍‌ଆର୍‌ କଂଗ୍ରେସ୍‌ ପାର୍ଟିକୁ ସମର୍ଥନ ଜଣାଇଛି। ଓ୍ଵାଇଏସ୍‌ଆର୍‌ କଂଗ୍ରେସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ସରକାରଙ୍କ ବିରୋଧରେ ପାର୍ଲାମେଣ୍ଟ୍‌ରେ ମାର୍ଚ ୧୬ ତାରିଖ ଦିନ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ଟିଡିପି ସମର୍ଥନ କରିବ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପିର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଦିନ କହିଥିଲେ, ଯଦି ଆବଶ୍ୟକ ହୁଏ, ଯିଏ ଆଗତ କରୁନା କାହିଁକି, ଆମେ କେନ୍ଦ୍ର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବୁ।

ଲୋକସଭାରେ ଟିଡିପିର ୧୬ ଜଣ ସଦସ୍ୟ ଅଛନ୍ତି।

ବହୁ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାମାନେ ମେଣ୍ଟ ଛାଡ଼ିବାକୁ ନାଇଡୁଙ୍କୁ ପୂର୍ବରୁ କହି ଆସୁଥିଲେ।

ଟିଡିପି ନେତା କମ୍ଭମ୍‌ପତି ରାମମୋହନ ରାଓ କହିଲେ, ଏଇଟା ଥିଲା ଚୂଡ଼ାନ୍ତ ବିକଳ୍ପ। ରାଜ୍ୟ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ପରିବର୍ତ୍ତେ ବିଜେପି ତାମିଲନାଡୁରେ ଗୋଳିଆ ରାଜନୀତି କରୁଥିବାରୁ ମୁଖ୍ୟମନ୍ତ୍ରୀ ରାଗିଲେ।