ବ୍ରହ୍ମପୁର : କଂଗ୍ରେସ ଦଳ ସହ ଦୀର୍ଘବର୍ଷର ସଂପର୍କ ତୁଟାଇ ବିଜେଡ଼ିରେ ମିଶିବାକୁ ଯାଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ପିସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଏହି ଘୋଷଣା କରିଛନ୍ତି। ଆସନ୍ତା ୪ ତାରିଖରେ ବ୍ରହ୍ମପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ତାଙ୍କୁ ଭେଟି ବିଜେଡିରେ ସାମିଲ ହେବେ। ବ୍ରହ୍ମପୁର ଷ୍ଟାଡିୟମ ଠାରୁ ପ୍ରାୟ ୨୦ ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ବାହାରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ପହଞ୍ଚିବ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡିରେ ସାମିଲ ହେବୁ ବୋଲି ଶ୍ରୀ ସାହୁ କହିଛନ୍ତି। ସେହିପରି ଗଂଜାମ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା, ବ୍ଳକ ସଭାପତି, ବିଧାୟକ ପ୍ରାର୍ଥୀ, ବିଏମସିର ସମସ୍ତ ଦଳୀୟ କର୍ପୋରେଟର, ନଗର ସଭାପତି, ଯୁବ, ଛାତ୍ର, ମହିଳା ସଭାପତିଙ୍କ ସମେତ ଗଜପତି, ଜୟପୁର ଭଳି ବିଭିନ୍ନ ସ୍ଥାନରୁ ନେତା ଓ କର୍ମୀ ମାନେ ବି ବିଜେଡିରେ ସାମିଲ ହେବେ। ଗତକାଲି ରାତିରେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ବନମାଳି ସେଠୀ ମଧ୍ୟ ନିଜର ଇସ୍ତଫା ପିସିସିକୁ ପଠାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗ ଦେଇଛନ୍ତି।