ନୂଆଦିଲ୍ଲୀ : ଛତିଶଗଡରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଠାରେ  ଶାସକ କଂଗ୍ରେସ କ୍ଷମତା ବଜାୟ ରଖିବାକୁ ଚାହୁଁଥିବା ବେଳେ ବିଜେପି ପୁଣି ଥରେ କ୍ଷମତାକୁ ଆସିବାକୁ ଉଦ୍ୟମ କରୁଛି । ନଭେମ୍ବର ୭ ଓ ୧୭ରେ ଏଠାରେ ମତଦାନ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି ପକ୍ଷରୁ କରାଯାଇଥିବା ଏକ  ସର୍ଭେରେ କଂଗ୍ରେସ ସପକ୍ଷରେ ହାୱା ଥିବା ପ୍ରତୀତ ହେଉଛି। ଏହି ସର୍ଭେରେ ୩୯ ପ୍ରତିଶତ  ଚୟନକର୍ତ୍ତା କହିଛନ୍ତି ଯେ ସେମାନେ ଭୂପେଶ୍ ବାଘେଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି । ଏନଡିଟିଭି-ସିଏସଡିଏସ୍ ଲୋକନୀତି  ସର୍ଭେ ଅନୁଯାୟୀ, ୨୪ ପ୍ରତିଶତ ଅଂଶଗ୍ରହଣକାରୀ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି।

Advertisment

ତେବେ  ଆଶ୍ଚର୍ଯ୍ୟର କଥା ହେଉଛି, କେବଳ ୪  ପ୍ରତିଶତ ଅଂଶଗ୍ରହଣକାରୀ ଟି.ଏସ୍ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି, ଯିଏ କଂଗ୍ରେସ ଭିତରେ ବାଘେଲ୍‌ଙ୍କ ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ ପରିଗଣିତ ହେଉଛନ୍ତି। ସେହିପରି ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପି ନେତା ବ୍ରିଜମୋହନ ଅଗ୍ରୱାଲଙ୍କ ପାଇଁ କିଛି ପରିମାଣର ସମର୍ଥନ ରହିଛି । ତାଙ୍କୁ ମାତ୍ର ୭ ପ୍ରତିଶତ ବ୍ୟକ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୪୫ ପ୍ରତିଶତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ବାଘେଲଙ୍କ ଉପରେ ସେମାନେ କିଛିକାଂଶରେ ସନ୍ତୁଷ୍ଟ ଥିବା ବେଳେ ୩୪ ପ୍ରତିଶତ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବୋଲି କହିଛନ୍ତି।

ଶାସନ ବା ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଶ୍ରୀ ବାଘେଲ୍ ବେଶ୍ ଆଗୁଆ ଅଛନ୍ତି। ତାଙ୍କୁ ରାସ୍ତାର ଅବସ୍ଥା, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସଫଳତା ନେଇ ଯଥାକ୍ରମେ ୫୬ ପ୍ରତିଶତ,  ୬୪ ପ୍ରତିଶତ ଏବଂ  ୫୩ ପ୍ରତିଶତ ଅଂଶଗ୍ରହଣକାରୀଙ୍କ ସମର୍ଥନ ମିଳିଛି। ବର୍ତ୍ତମାନର ସରକାରଙ୍କ ଅଧୀନରେ ସଡ଼କ, ବିଦ୍ୟୁତ୍ ଏବଂ ପାନୀୟ ଜଳର ଅବସ୍ଥା ସୁଧୁରିଛି ବୋଲି ମତ ଆସିଛି।

ଏହି ସର୍ଭେରେ ଭାଗ ନେଇଥିବା ୫୦ ପ୍ରତିଶତ ଏବଂ ୬୪ ପ୍ରତିଶତ ଲୋକ କହିଛନ୍ତି ଯେ ବର୍ତ୍ତମାନର କଂଗ୍ରେସ ସରକାରଙ୍କ ଅଧୀନରେ ସରକାରୀ ଡାକ୍ତରଖାନା ଏବଂ ବିଦ୍ୟାଳୟଗୁଡ଼ିକର ଅବସ୍ଥା ସୁଧୁରିଛି।

ଅକ୍ଟୋବର ୨୪ରୁ ୩୦ ମଧ୍ୟରେ ୨୫ଟି ନିର୍ବାଚନମଣ୍ଡଳୀରେ ସର୍ଭେ କରାଯାଇଥିବା ୨୫୪୧ ଜଣଙ୍କ ମଧ୍ୟରୁ ୪୫ ପ୍ରତିଶତ ଲୋକ ଆଦିବାସୀଙ୍କ ଅବସ୍ଥାରେ ଉନ୍ନତି ଘଟିଥିବା ଅନୁଭବ କରୁଥିବାବେଳେ ୬୧ ପ୍ରତିଶତ  କହିଛନ୍ତି ଯେ ବାଘେଲ୍‌ଙ୍କ ଶାସନରେ କୃଷକମାନେ ଭଲରେ ଅଛନ୍ତି।

ସର୍ଭେ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ୩୭  ପ୍ରତିଶତ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବ୍ୟାପକ ପ୍ରସାର ଉଦ୍ୟମ ଦଳକୁ ସାହାଯ୍ୟ କରି ନ ଥିବାବେଳେ ୨୯ ପ୍ରତିଶତ ଲୋକ କହିଛନ୍ତି ଯେ ପ୍ରାୟ ୪ ମାସରେ  ୪୦୦୦ କିଲୋମିଟରରୁ ଅଧିକ ଭାରତ ଯୋଡା ଯାତ୍ରା ଦ୍ବାରା ଦଳ ଉପକୃତ ହେବ।