ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଡ଼େ ଉଠୁଥିବା ଆଙ୍ଗୁଠି ଓ ହାତକୁ କାଟିଦିଆଯିବା ଉଚିତ: ବିହାର ବିଜେପି ମୁଖ୍ୟ

ପାଟନା: ‘ଯଦି କୌଣସି ହାତ କିମ୍ବା ଆଙ୍ଗୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼େ ଉଠୁଛି ତେବେ ତାହାକୁ ଭାଙ୍ଗି ଦିଆଯିବା କିମ୍ବା କାଟି ଦିଆଯିବା ଉଚିତ।’ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିହାରର ବିଜେପି ମୁଖ୍ୟ ତଥା ଲୋକସଭାର ସାଂସଦ ନିତ୍ୟାନନ୍ଦ ରାୟ।

ବୈଶ୍ୟ ଏବଂ କାନୁ ସମ୍ପ୍ରଦାୟ ପକ୍ଷରୁ ସୋମବାର ଡକାଯାଇଥିବା ଏକ ସଭାରେ ରାୟ ଏହି ମନ୍ତବ୍ୟ ଦେଇଛନ୍ତି।  ସେ କହିଛନ୍ତି,  ‘ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଉଠୁଥିବା ଆଙ୍ଗୁଠି ଓ ହାତକୁ  ଭାଙ୍ଗି ଦେବା ନହେଲେ କାଟି ଦେବା ଦରକାର।’ ସେ ଆହୁରି ବି କହିଛନ୍ତି ଯେ ଦେଶର ନେତୃତ୍ୱ ନେବା ପାଇଁ ମୋଦି ବହୁ କଠିନ ସ୍ଥିତିର ସାମ୍ନା କରିଛନ୍ତି।

ମୋଦିଙ୍କ ଅତୀତରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇ ବିହାର ବିଜେପି ମୁଖ୍ୟ ଶ୍ରୀ ରାୟ କହିଛନ୍ତି, ‘ଯାହାଙ୍କ ମାଆ ଖାଇବା ବାଢୁଥିଲେ, ନରେନ୍ଦ୍ର ମୋଦିଙ୍କୁ ଖୁଆଇବାକୁ ବସି ରହୁଥିଲେ, ସେହି ଥାଳିରେ ମାଆକୁ ନା ପୁଅ ଦିଶୁଥିଲା ନା ପୁଅକୁ ମାଆ। ସେହି ପରିସ୍ଥିତିର ଗରିବ ପୁଅ ଆଜି ଦେଶର ପ୍ରଧାନମନ୍ତ୍ରୀ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ସମ୍ମାନ କରିବା ଉଚିତ।’

ହାତ ଓ ଆଙ୍ଗୁଠି କାଟିବା ନେଇ  ରାୟ ଦେଇଥିବା ବୟାନ ସଂପର୍କରେ ସେ ପୁନର୍ବାର ବୁଝାଇ କହିଛନ୍ତି, ‘କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଦଳଙ୍କୁ ମୁଁ ଇଙ୍ଗିତ କରିନାହିଁ। ଯିଏ ଦେଶର ଗର୍ବ ଏବଂ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବେ ସେମାନଙ୍କ ସହ ଏପରି ଆଚରଣ ପ୍ରଦର୍ଶନ ଜରୁରୀ। ମୋ କଥାକୁ କଦର୍ଥ କରାଯାଇଛି। ଯଦି ମୋ ମନ୍ତବ୍ୟରେ କେହି ଦୁଃଖି ହୋଇଛନ୍ତିି ମୋ କ୍ଷମା ଚାହୁଁଛି। ମୁଁ ମୋ କଥାକୁ ଫେରାଇ ମଧ୍ୟ ନେଉଛି।’

ରାୟଙ୍କ ସହ ଉକ୍ତ ସଭାରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ନିତ୍ୟାନନ୍ଦ ରାୟଙ୍କୁ ୨୦୧୪ ମସିହାରେ ଉଜିୟରପୁରରୁ ଲୋକସଭା ଟିକେଟ ମିଳିଥିଲା।

ସମ୍ବନ୍ଧିତ ଖବର