ପୁରୀରେ ହେବ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ

ମହିଳା ମୋର୍ଚ୍ଚା ମହାଧିବେଶନ ଉଦ୍‌ଯାପିତ

ଭୁବନେଶ୍ୱର : ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ବିଜେପି ଶିବିରରେ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା ବେଳେ ମହିଳା ଶାଖାକୁ ସକ୍ରିୟ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ଓଡ଼ିଶାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୋଦୀଙ୍କ ଗସ୍ତର ସପ୍ତାହକ ପରେ ଅର୍ଥାତ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଏହି କାର୍ଯ୍ୟକାରିଣୀ ପୁରୀରେ ଅନୁଷ୍ଠିତ ହେବ। ଗତକାଲି ଠାରୁ ଚାଲିଥିବା ବିଜେପି ମହିଳା ମୋର୍ଚ୍ଚାର ମହାଧିବେଶନର ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।

ମହାଧିବେଶନରେ ଉଦ୍‌ବୋଧନ ଦେଇ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର କହିଲେ, ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଯୋଜନା କରିଛନ୍ତି। ସ୍ୱତନ୍ତ୍ର ଭାବେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ଉଜ୍ଜ୍ୱଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଦକ୍ଷତା ବିକାଶ, ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣ ଆଦି ଆରମ୍ଭ କରାଯାଇଛି। ମହିଳାମାନେ ମଧ୍ୟ ଏହି ଯୋଜନାରୁ ଲାଭ ଉଠାଇ ସଶକ୍ତ ହୋଇପାରିଛନ୍ତି। ଉଜ୍ଜ୍ୱଳା ଯୋଜନାରେ ଦେଶର ୫ କୋଟି ମହିଳା ଉପକୃତ ହୋଇଛନ୍ତି। ମୋଦୀ ସରକାରଙ୍କ ଏହି ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବାକୁ ଶ୍ରୀମତୀ ରାହତକର ଆହ୍ଵାନ ଦେଇଥିଲେ।

ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ରାଜ୍ୟ ସରକାର ଖେଳୁଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କୁ ବଦଳାଇବାର ସଂକଳ୍ପ ନେଇଛି ମହିଳା ମୋର୍ଚ୍ଚା। ଏହି ସଂକଳ୍ପ ଅଭିଯାନକୁ ତୃଣମୂଳ ସ୍ତରକୁ ନେବା ସହ ଆସନ୍ତା ସେପ୍ଟେମ୍ବର ୫ରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍‌ ଚାଲ ଅଭିଯାନ ଆରମ୍ଭ କରାଯିବ।

ମହାଧିବେଶନରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ମୋର୍ଚ୍ଚାର ସାଂଗଠନିକ ବୈଠକ ଝାରପଡ଼ା ପଲ୍ଲବୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରାମା ପାଢ଼ୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତିଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ଓ ମଣ୍ଡଳର ମହିଳା ସଭାନେତ୍ରୀଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର