ଦିଲ୍ଲୀ ବିମାନ ବନ୍ଦରରେ ଭେଟାଭେଟି ହେଲେ ନବୀନ-ଧର୍ମେନ୍ଦ୍ର, ଜାଣନ୍ତୁ କ’ଣ ହେଲା ତା’ପରେ…

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଏକତ୍ର ଯାଉଥିବା ଦେଖାଯାଇଛି। ରାଜ୍ୟର ଦୁଇ ହେଭିୱେଟ୍‌ ନେତା ତଥା ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦେଢ ମାସ ଧରି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଥିବା ଏହି ଦୁଇ ଶୀର୍ଷ ନେତାଙ୍କ ଭେଟ୍‌ ଘାଟ୍‌ ରାଜ୍ୟ ରାଜନୀତିର ପାରଦ ବଢାଇ ଦେଇଛି। କାରଣ ଦିଲ୍ଲୀ ବିମାନବନ୍ଦରର ପ୍ରସ୍ଥାନ ଦ୍ୱାର ଦେଇ ଉଭୟ ନବୀନ ଓ ଧର୍ମେନ୍ଦ୍ରଙ୍କୁ ସାଥି ହୋଇ ବାହାରୁଥିବା ଦେଖିବାକୁ ମିଳିଛି।

ଏପରିକି ଉଭୟ ରାଜନୈତିକ ମୈଦାନରେ ‘ଶତ୍ରୁ’ ଭଳି ରହିଥିଲେ ମଧ୍ୟ ଯେବେ ଦୁହେଁ ବିମାନବନ୍ଦରରେ ଭେଟ ହେବାପରେ ପରସ୍ପର କରମର୍ଦ୍ଦନ କରିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଖାଲି ଏତିକି ନୁହେଁ ନବୀନଙ୍କୁ ଦେଖିବା ପରେ ଧର୍ମେନ୍ଦ୍ର ପ୍ରଧାନ ନମସ୍କାର ଜଣାଇଥିଲେ। ନବୀନ ସ୍ମିତହାସ୍ୟ ସହ ଧର୍ମେନ୍ଦ୍ରଙ୍କ ସହ କରମର୍ଦ୍ଦନ କରିଥିଲେ। କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ନବୀନଙ୍କୁ ବିମାନବନ୍ଦରର ପାର୍କିଂ ସ୍ଥାନରେ ଥିବା ବ୍ୟାଟେରି ଚାଳିତ ଗାଡ଼ିରେ ବସାଉଥିବା ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ଉଭୟଙ୍କ ମଧ୍ୟରେ କିଛି ମିନିଟ୍‌ ଧରି ଆଲୋଚନା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଠିକ୍‌ ଗୋଟିଏ ଦିନ ପୂର୍ବରୁ ରାଜ୍ୟ ରାଜନୀତିର ଯେଉଁ ଦୁଇ ହେଭିୱେଟ୍‌ ପରସ୍ପର ବିରୁଦ୍ଧରେ ଯୁଦ୍ଧଂଦେହୀ ଡ଼ାକରା ଦେଉଥିଲେ, ଏବେ ସେମାନଙ୍କ ଭେଟ୍‌ ଘାଟ୍‌ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଆଉ ଯେବେ ଉଭୟ ଭେଟ ହୁଅନ୍ତି ରାଜନୈତିକ ମନୋମାଳିନ୍ୟ ଥିଲେ ମଧ୍ୟ ପରସ୍ପରକୁ ସମ୍ନାନ ଜଣାଇବା ଘଟଣା ଏକ ରାଜନୈତିକ ସୁସ୍ଥ ବାତାବରଣର ଉଦାହରଣ ଦେଉଛି।

ସମ୍ବନ୍ଧିତ ଖବର