କଂଗ୍ରେସ ଟିକେଟ ପାଇଁ ପିସିସି ସଭାପତିଙ୍କ ବାସଭବନରେ ଆଶାୟୀ ପ୍ରାର୍ଥୀ ଏବଂ ଯୁବ ନେତାଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାର୍ଥୀମାନଙ୍କ ଭିତରେ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନରେ ଟିକେଟ୍ ପାଇଁ ଏବେ କଂଗ୍ରେସରେ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଚାଲିଛି କସରତ୍ । ହାତରେ ବାୟୋଡାଟା ଧରି ଲବି କରୁଛନ୍ତି ନେତା । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବାସଭବନ ଆଗରେ ଲାଗୁଛି ଲମ୍ବା ଧାଡି । କଂଗ୍ରେସ ଭବନ ଭଳି ଏଠି ମଧ୍ୟ ଟିକେଟ୍ ଆଶାୟୀଙ୍କ ଲମ୍ବା ଲାଇନ୍ । ହାତରେ ବାୟୋଡାଟା ଓ ସାଙ୍ଗରେ ସମର୍ଥକଙ୍କୁ ଧରି ସଭାପତିଙ୍କ ନିକଟରେ ଲବି କରୁଛନ୍ତି ଜଣକ ପରେ ଜଣେ ଆଶାୟୀ ପ୍ରାର୍ଥୀ ଏବଂ ଯୁବ ନେତା । ନିଜର ସାଂଗଠନିକ ଦକ୍ଷତା ଦର୍ଶାଇ ଯୁକ୍ତି ବାଢୁଛନ୍ତି ନିଜ ସପକ୍ଷରେ । ଗତ ୫ ବର୍ଷ ଭିତରେ ଦଳ ପାଇଁ କଣ କରିଛନ୍ତି ଏବଂ ତାଙ୍କ ପଛରେ କେତେ ଲୋକଙ୍କ ସମର୍ଥନ ରହିଛି, ସେନେଇ ପିସିସିକୁ ଜଣାଉଛନ୍ତି । କେହି କେହି ତ କହୁଛନ୍ତି, ଟିକେଟ୍ ମିଳିଲେ ଏଥର ନିଶ୍ଚିତ ବିଜୟୀ ହେବେ ।

କିଛି କିଛି ନିର୍ବାଚନ ମଣ୍ଡଳୀରୁ ଏକାଧିକ ଅଶାୟୀ ଅଛନ୍ତି । ନିଜକୁ ଅନ୍ୟ ଠାରୁ ଯୋଗ୍ୟ ପ୍ରମାଣ କରିବାକୁ ଦଳବଳ ଧରି ପହଁଚୁଛନ୍ତି ପିସିସି ସଭାପତିଙ୍କ ନିକଟରେ । ଏପରିକି ପରସ୍ପର ବିରୋଧରେ ମଧ୍ୟ ମତ ଦେଉଛନ୍ତି କିଛି ନେତା । ବେଶ ଧୈର୍ଯ୍ୟର ସହ ସମସ୍ତଙ୍କ କଥା ଶୁଣୁଛନ୍ତି ପିସିସି ସଭାପତି ଓ ଆଉ ସେମାନଙ୍କୁ ଦେଉଛନ୍ତି ଆଶ୍ୱସ୍ତି । ତେବେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନେକ ଆଶାୟୀ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସମସ୍ତଙ୍କୁ ବୁଝାଇ ସୁଝାଇ ସଂଗଠନକୁ ମଜବୁତ କରିବା ଲାଗି ପରାମର୍ଶ ଦେଉଛନ୍ତି ନିରଂଜନ ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ମହଲରେ ହଲଚଲ ସେତିକି ବଢ଼ିବାରେ ଲାଗିଛି । ଗୋଟିଏ ପଟେ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଚାଲିଛି, ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ ବାରିପଦା ଓ ସମ୍ବଲପୁରରେ ଆରମ୍ଭ ହୋଇଛି । ମାର୍ଚ୍ଚ ୫ରେ କୋରାପୁଟ ଗସ୍ତ କରିବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଚୂଡାନ୍ତ ଟିକେଟ ତାଲିକା ଘୋଷଣା କରିବାକୁ କସରତ କରୁଛି କଂଗ୍ରେସ ।

ସମ୍ବନ୍ଧିତ ଖବର