ଭୁବନେଶ୍ୱର : ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ବାଜିଲାଣି କଂଗ୍ରେସର ପ୍ରସ୍ତୁତି ବିଗୁଲ୍। ଦଳୀୟ ହାଇକମାଣ୍ଡ ରାହୁଲ ଗାନ୍ଧୀ ତନାଘନା ଆରମ୍ଭ କରିଦେଲେଣି। ଆଜି ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତିଙ୍କୁ ନିର୍ବାଚନ ପ୍ରସ୍ତୁତି ପାଇଁ ସେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ପିସିସି ସଭାପତିମାନେ ନିଜ ନିଜ ରାଜ୍ୟର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ତଥ୍ୟ ସମ୍ବଳିତ ରିପୋର୍ଟ ଉପସ୍ଥାପନ କରିବାକୁ ସେ ନିର୍ଦେଶ ଦେଇଛନ୍ତିି। କେବଳ ସେତିକି ନୁହେଁ, ନିର୍ବାଚନ ପ୍ରସଙ୍ଗ ନେଇ ଚଳିତ ମାସର ତୃତୀୟ ସପ୍ତାହରେ ରାହୁଲ ସଭାପତିମାନଙ୍କ ସହିତ ବଡ଼ ଧରଣର ବୈଠକ ଡାକି ଆଲୋଚନା କରିପାରନ୍ତି।
ଏ ନେଇ ଏଆଇସିସି ସାଧାରଣ ସଂପାଦକ ଅଶୋକ ଗେହଲଟ୍ ସବୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତିଙ୍କୁ ପତ୍ର ଲେଖିଛନ୍ତିି। ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ସଂପର୍କରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଖୁବଶୀଘ୍ର ଏଆଇସିସିର ସମସ୍ତ ସାଧାରଣ ସଂପାଦକ, ନିର୍ବାହୀ ସଂପାଦକ ଓ ପିସିସି ସଭାପତିମାନଙ୍କ ସହିତ ଆଲୋଚନା କରିବେ। ଏ ନେଇ ବୈଠକ ତାରିଖ, ସ୍ଥାନ ଓ ଆଲୋଚନାର ବିସ୍ତତ ବିଷୟବସ୍ତୁ ସେମାନଙ୍କୁ ଜଣାଇ ଦିଆଯିବ। ଚଳିତ ମାସର ତୃତୀୟ ସପ୍ତାହ ବେଳକୁ ଏଭଳି ବୈଠକ ହେବ ବୋଲି ସେ ପ୍ରକାଶ କରିଛନ୍ତିି।
ନିର୍ବାଚନ ପ୍ରସ୍ତୁତିପର୍ବ ସ୍ୱରୂପ ପିସିସି ସଭାପତିମାନେ ନିଜ ନିଜ ରାଜ୍ୟର ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀକୁ ସେମାନଙ୍କର ପ୍ରତିନିଧିମାନଙ୍କୁ ପଠାଇ ସେଠାକାର ବିବରଣୀ ସଂଗ୍ରହ କରିବେ। ଏଥିପାଇଁ ସେମାନଙ୍କୁ ୯ଟି ପ୍ରସଙ୍ଗ ଦିଆଯାଇଛି, ଯାହା ଆଧାରରେ ତଥ୍ୟ ସଂଗ୍ରହ କରାଯିବ। ସେହି ପ୍ରସଙ୍ଗଗୁଡ଼ିକ ହେଉଛି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ନିର୍ବାଚନୀ ଇତିହାସ, ନିର୍ବାଚନମଣ୍ଡଳୀର ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ, କଂଗ୍ରେସ ଦଳର ସାଂଗଠାନିକ ଶକ୍ତିି ଓ ଦୁର୍ବଳତା, ସଂପୃକ୍ତ ଲୋକସଭା ଆସନ ଜିତିବା ପାଇଁ ଲକ୍ଷ୍ୟଭିତ୍ତିକ ଭୋଟ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ, କଂଗ୍ରେସର ଭୋଟ ପ୍ରତିଶତ ବୃଦ୍ଧି ପାଇଁ ନିଆଯାଉଥିବା ରଣନୀତି, ଲୋକସଭା ନିର୍ବାଚନମଣ୍ଡଳୀରେ ଥିବା ବୁଥ୍ କମିଟିଗୁଡ଼ିକର ବର୍ତମାନର ସ୍ଥିତି, ସଂପୃକ୍ତ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ କେଉଁ ପ୍ରସଙ୍ଗଗୁଡ଼ିକରେ ନିର୍ବାଚନ ଲଢ଼େଇ ହେବ ଓ କଂଗ୍ରେସ ଦଳର ବିଜୟ ପାଇଁ କେଉଁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତି କାର୍ଯ୍ୟ କରିବେ ଆଦି। ଆସନ୍ତା ୧୫ ତାରିଖ ସୁଦ୍ଧା ସେହି ତଥ୍ୟ ସମ୍ବଳିତ ରିପୋର୍ଟ ପଠାଇବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/cong-2.jpg)