ଭୁବନେଶ୍ବର : ବରଗଡ଼, ଝାରସୁଗୁଡ଼ା, କଟକ ଓ ପୁରୀ ଜିଲ୍ଲାର ବହୁ କଂଗ୍ରେସ ଓ ବିଜେଡି ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହା ‌ସହ ଏହି ଚାରିଟି ଜିଲ୍ଲାର କିଛି ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ବିଜେପିରେ‌ ‌େଯାଗ ଦେଇଛନ୍ତି। ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

Advertisment

ବରଗଡ଼ର ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ସାନ ଭାଇ ତଥା ସଫଳ ଉଦ୍ୟୋଗୀ ଜଗବନ୍ଧୁ ଭୋଇ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଝାରସୁଗୁଡ଼ା ବ୍ଲକ୍‌ର କଂଗ୍ରେସ ନେତା ତଥା କୁଲତା ସମାଜର ସଭାପତି ସନ୍ତୋଷ କୁମାର ସାହୁ, ଉତ୍କଳ ସମ୍ମିଳନୀର ରାଜ୍ୟ ସାଧାରଣ ସମ୍ପାଦକ ତଥା ସମାଜସେବୀ ରାଧାନାଥ ପ୍ରହରାଜ ବିଜେପିରେ ସାମିଲ ହୋଇଥିଲେ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଦପୁର ପଞ୍ଚାୟତ କଂ‌ଗ୍ରେସ ସଭାପତି ଧନେଶ୍ବର ମିଶ୍ର, ପୂର୍ବତନ ସରପଞ୍ଚ ରଞ୍ଜନ ସାହୁ, ତୁଳସୀପୁର ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଧ‌େଳଶ୍ବର ସାହୁଙ୍କ ସମେତ କିଛି କଂଗ୍ରେସ ଓ ବିଜେଡି ନେତା ବିଜେପିରେ ଯୋଗ ଦେଇଛନ୍ତି। କଟକ ଜିଲ୍ଲା ନିଆଳି କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ସମାଜସେବୀ ଶେକ୍ ହସନ୍‌ଙ୍କ ନେତୃତ୍ବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ବିଜେପିରେ ‌ମିଶିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା ନେଇ ଗଣମାଧ୍ୟମକୁ କହିଥିଲେ। ଏହି ମିଶ୍ରଣ ଦ୍ବାରା ଦଳ ମଜୁବତ୍ ହେବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଥିଲେ। ମିଶ୍ରଣ ପର୍ବରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା, ଛବି ମଲ୍ଲିକ, ନ୍ୟାୟବ୍ରତ ରାଉତ, ପ୍ରଭାତି ଶତପଥୀ ଓ ଅରୁପାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।