ଶ୍ରେୟ ନେବାକୁ କଂଗ୍ରେସ-ବିଜେପି ବାକ୍‌ଯୁଦ୍ଧ

୨୧୩ ସାମଗ୍ରୀର ଜିଏସ୍‌ଟି କମିବା ପରେ...

ନୂଆଦିଲ୍ଲୀ: ଗୌହାଟିଠାରେ ଗତକାଲି ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୩ତମ ବୈଠକରେ ୨୮ ପ୍ରତିଶତରେ ଥିବା ସାମଗ୍ରୀ ମଧ୍ୟରୁ ୧୭୮ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏତଦ୍‌ବ୍ୟତୀତ ଅନ୍ୟ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ମିଶାଇ ମୋଟ ୨୧୩ଟି ସାମଗ୍ରୀର ଜିଏସ୍‌ଟି ହ୍ରାସ ହୋଇଛି। ଜିଏସ୍‌ଟି ହ୍ରାସ ପରେ ପରେ ଏହାର ଶ୍ରେୟ ନେବାକୁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଜିଏସ୍‌ଟି ହ୍ରାସର ଶ୍ରେୟ କଂଗ୍ରେସ ପକ୍ଷରୁ ଦଳର ଉପସଭାପତି ରାହୁଳ ଗାନ୍ଧୀଙ୍କୁ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାହୁଲଙ୍କ ପକ୍ଷରୁ ଲଗାତାର ଜିଏସ୍‌ଟିକୁ ସମାଲୋଚନା କରାଯାଇ ଆସୁଛି। ଜିଏସ୍‌ଟିକୁ ରାହୁଲ ଗବର ସିଂହ ଟ୍ୟାକ୍ସର ଆଖ୍ୟା ମଧ୍ୟ ଦେଇ ଆସୁଛନ୍ତି। ଏତଦ୍‌ବ୍ୟତୀତ ଗୁଜରାଟ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାରରେ କଂଗ୍ରେସକୁ ମିଳୁଥିବା ବିପୁଳ ସମର୍ଥନକୁ ଦେଖି ବିଜେପି ସରକାର ଏକାଧିକ ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ କରିବାକୁ ବାଧ୍ୟ ହୋଇଛି। କିନ୍ତୁ ଏହା ଉପରେ କଡ଼ା ପ୍ରତିକ୍ରିୟା ବିଜେପି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କଂଗ୍ରେସ କିଭଳି ଏ ପ୍ରକାର ଦାବି କରୁଛି। ଜିଏସ୍‌ଟି ପରିଷଦ କ’ଣ ରାହୁଲଙ୍କ ଅଧୀନରେ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ ଲଗାତାର ଜିଏସ୍‌ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ରାହୁଲ ନିକଟରେ ଏହା ମଧ୍ୟ କହିଛନ୍ତି ଯେ ଜିଏସ୍‌ଟିର ସର୍ବୋଚ୍ଚ ଟିକସ ହାରକୁ ୧୮ ପ୍ରତିଶତ ସ୍ତରକୁ ଆଣିବା ଲାଗି କଂଗ୍ରେସ ତାର ଲଢ଼େଇ ଜାରି ରଖିବ। ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି ଏହି କାର୍ଯ୍ୟ କରି ନପାରିଲେ କଂଗ୍ରେସ ଏହା କରି ଦେଖାଇବ। ଗୁଜରାଟରେ ନିର୍ବାଚନ ପ୍ରଚାରବେଳେ ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଭାରତକୁ ସରଳ ଟିକସ ବ୍ୟବସ୍ଥା ଦରକାର, ଗବର ସିଂହ ଟିକସ ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ ଆଜି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ମଧ୍ୟ ଗତକାଲିର ଜିଏସ୍‌ଟି ହ୍ରାସ ପ୍ରସଙ୍ଗରେ ଆଜି ମତ ରଖିଛନ୍ତି। ସେ କହିଛନ୍ତି ସରକାରଙ୍କ ସାଧାରଣ ଜ୍ଞାନ ଉଦୟ ହେବାକୁ ୪ ମାସ ଲାଗିଗଲା ବୋଲି ସେ କହିଛନ୍ତି। ମଞ୍ଜି ଗଜା ହୋଇ ଫୁଲ ଏବଂ ଫଳ ହେବାକୁ ଚାରି ମାସ ଲାଗିଗଲା ବୋଲି ସେ କହିଛନ୍ତି। ଦେଶର ସ୍ଥଳ ଅର୍ଥନୀତିରେ ସୁଧାର ଆଣିବା ଲାଗି ୪ ମାସ ୧୦ ଦିନ ଲାଗିଥିବାରୁ ସେ ଅର୍ଥମନ୍ତ୍ରାଳୟକୁ ସାଧୁବାଦ ଜଣାଇଛନ୍ତି।

ଗୁଜରାଟ ହେଉଛି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ନିଜ ରାଜ୍ୟ। ଏଠାରେ ବିଜେପି ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ସରକାରରେ ରହିଛି। ତେଣୁ କଂଗ୍ରେସ ଏଠାରେ ବିଜେପିକୁ ହରାଇବା ଲାଗି ପ୍ରାଣପ୍ରଣେ ଉଦ୍ୟମ ଚଳାଇଛି। ରାହୁଲଙ୍କ ସମେତ କଂଗ୍ରେସର ଅନ୍ୟନେତାମାନେ ସେମାନଙ୍କ ପ୍ରଚାରରେ ଜିଏସ୍‌ଟି ଏବଂ ବିମୁଦ୍ରାକରଣକୁ ପ୍ରମୁଖ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି। ଗୁଜରାଟରେ ଆସନ୍ତାମାସ ୯ ଏବଂ ୧୪ ତାରିଖରେ ନିର୍ବାଚନ ହେବ।

ରିଅଲ ଇଷ୍ଟେଟ, ପେଟ୍ରୋଲ, ବିଜୁଳିକୁ ଜିଏସ୍‌ଟି ପରିସରକୁ ଆଣିବା ଦାବି

ନୂଆଦିଲ୍ଲୀ: ଜିଏସ୍‌ଟି ପରିସରକୁ ସରକାର ପେଟ୍ରୋଲିୟମ ଉତ୍ପାଦ, ରିଅଲ ଇଷ୍ଟେଟ ଏବଂ ବିଦ୍ୟୁତ୍‌କୁ ଆଣିବା ଲାଗି କଂଗ୍ରେସ ଆଜି ଦାବି କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁର୍ଯ୍ୟେଓ୍ଵାଲା ଏହି ଦାବି କରିଛନ୍ତି। ଏଥିସହିତ ଜିଏସ୍‌ଟିର ସର୍ବୋଚ୍ଚ ଟିକସ ହାରକୁ ୧୮ ପ୍ରତିଶତରେ ରଖିବା ଲାଗି ମଧ୍ୟ ଏହି ଦଳ ଦାବି କରିଛି। ପେଟ୍ରୋଲିୟମ ଉତ୍ପାଦ, ରିଅଲ ଇଷ୍ଟେଟ ଏବଂ ବିଦ୍ୟୁତ୍‌କୁ ଜିଏସ୍‌ଟି ପରିସର ବାହାରେ ରଖାଯିବା ଦ୍ୱାରା ୫୦ ପ୍ରତିଶତ ରାଜସ୍ୱ ଜିଏସ୍‌ଟି ପରସର ବାହାରେ ରହି ଯାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସର ବାହାରେ ରଖାଯାଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟମାନେ ଏହା ଉପରେ ଭିନ୍ନ ଭିନ୍ନ ହାରରେ ଟିକସ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର