ଆଜି ଆଦିବାସୀ ଅଧିକାର କ୍ରାନ୍ତି ଦିବସ ପାଳନ କରିବ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଆଦିବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ ଦିଗରେ କଂଗ୍ରେସ ଲଢ଼େଇ ଜାରି ରଖିବ। ବିଶେଷ କରି ଆଦିବାସୀଙ୍କୁ ସେମାନଙ୍କର ଅଧିକାର ସୁରକ୍ଷିତ ରଖିବା ପାଇଁ ଅଗଷ୍ଟ ୯ ତାରିଖକୁ ଆଦିବାସୀ ଅଧିକାର କ୍ରାନ୍ତି ଦିବସ ଭାବେ କଂଗ୍ରେସ ପାଳନ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସକୁ ବିଶ୍ୱ ଆଦିବାସୀ ଦିବସ ଭାବରେ ଘୋଷଣା କରାଯାଇଛି। ଏହି ଦିବସରେ ଜାତିସଂଘ ପକ୍ଷରୁ ଆଦିବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଦିବାସୀଙ୍କୁ ବାଦ୍‌ ଦେଇ ସମୁଦାୟ ରାଜ୍ୟବାସୀଙ୍କ ବିକାଶ କଥା ଚିନ୍ତା କରିହେବନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ କିଛି କରୁଥିବାର ଭେଳିକି ଦେଖାଇ ଭୋଟ କିଣିବାରେ ଲାଗିଛନ୍ତି। କିନ୍ତୁ ସମାଜର ତଳସ୍ତରରେ ଥିବା ଜନସାଧାରଣ, ଆଦିବାସୀ ଓ ଦଳିତମାନଙ୍କ ଅବସ୍ଥାରେ ସାମାନ୍ୟତମ ଉନ୍ନତି ଘଟିନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମନ୍ତ୍ରୀ କି ସରକାରୀ ବାବୁଙ୍କ ପାଦ ପଡ଼ୁନାହିଁ। ନଗଡ଼ା ଭଳି ଅନେକ ଗାଁ ରହିଛି। କନ୍ୟାଶ୍ରମଗୁଡ଼ିକରେ ନାବାଳିକା ଛାତ୍ରୀମାନଙ୍କୁ ଶୋଷଣ କରାଯାଉଛି। ପିଲାମାନେ ଅପପୁଷ୍ଟିର ଶିକାର ହେଉଥିବା ଶ୍ରୀ ପଟ୍ଟନାୟକ ଦର୍ଶାଇ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତିି।

ସମ୍ବନ୍ଧିତ ଖବର