କମର କଷିଲା କଂଗ୍ରେସ

ପ୍ରଣୟଙ୍କ ସପକ୍ଷରେ ଅଧିକ ମତ

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ପାଇଁ ଆଜି କଂଗ୍ରେସ କମର କଷିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତାମାନେ ଏକାଠି ନିର୍ବାଚନ ସଂପର୍କରେ ଠୋସ୍‌ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଳର ବରିଷ୍ଠ ନେତା ରିପୁନାଥ ସେଠ୍‌ କିମ୍ବା ପ୍ରଣୟ ସାହୁଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରାଯାଇପାରେ। ତେବେ ପ୍ରଣୟଙ୍କ ସପକ୍ଷରେ ଦଳର ଅଧିକାଂଶ ନେତା ମତ ଦେଇଛନ୍ତି। ଏପରିକି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନୋଟି ବ୍ଲକ ବିଜେପୁର, ବରପାଲି ଓ ଗାଇସିଲେଟର ବ୍ଲକ କଂଗ୍ରେସ ସଭାପତିଙ୍କ ଅଲଗା ଅଲଗା ସହିତ ଆଲୋଚନା କରାଯାଇ ମତ ନିଆଯାଇଥିଲା। ଖୁବ୍‌ ଶୀଘ୍ର ଏଆଇସିସି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ଅନ୍ୟପକ୍ଷରେ ଆଜି ଦଳର ବହୁ ବରିଷ୍ଠ ନେତା ସଂଘବଦ୍ଧ ହୋଇ ଉପନିର୍ବାଚନ ଲଢିବା ଲାଗି ପରାମର୍ଶ ଦେଇଥିଲେ। ଯଦିଓ ସଭାପତିଙ୍କ ନେତୃତ୍ୱରେ ଦଳ ଏହି ଉପନିର୍ବାଚନ ଲଢିବ, ତେବେ ସମସ୍ତଙ୍କୁ ସାଙ୍ଗରେ ନେବା ଲାଗି ଏକ ଅଭିନବ ପରିକଳ୍ପନା ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୁରବି ଆସନରେ ରଖିବେ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉପ ନିର୍ବାଚନ ଲଢିବା ନେଇ ଦିଗ୍‌ଦର୍ଶନ ଦେବେ। ପ୍ରଚାର ସଂଯୋଜକ ଭାବେ ବିଧାୟକ ନବ ଦାସ କାର୍ଯ୍ୟ କରିବେ। ଗାଇସିଲଟ, ବିଜେପୁର, ବରପାଲି ବ୍ଲକ ଓ ବରପାଲି ଏନ୍‌ଏସି ଏହିଭଳି ୪ଟି କ୍ଷେତ୍ରରେ ୪ଜଣ ପୂର୍ବତନ ପିସିସି ମୁଖ୍ୟଙ୍କୁ ଦାୟିତ୍ୱ ଦେବା ଲାଗି ବିଚାର ଚାଲିଛି। ଏମାନଙ୍କୁ ଛାଡି ବରିଷ୍ଠ ନେତା କିଶୋର ପଟେଲ, ରିପୁନାଥ ସେଠ୍‌, ପ୍ରକାଶ ଦେବତା, ସ୍ଥାନୀୟ ପୂର୍ବତନ ବିଧାୟକମାନଙ୍କୁ ନେଇ ଏକ ସମନ୍ଵୟ କମିଟି ଗଠନ ହୋଇପାରେ। ନିର୍ବାଚନ ତାରିଖ ଘୋଷଣା ପରେ ଦଳର ସବୁ ବରିଷ୍ଠ ନେତା ବରଗ଼ଡରେ କ୍ୟାମ୍ପ କରିବେ ଓ ସେମାନଙ୍କୁ ଗୋଟିଏ ଗୋଟିଏ ପଞ୍ଚାୟତ ଦାୟିତ୍ୱରେ ରଖିବାକୁ ନକ୍ସା ପ୍ରସ୍ତୁତ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ସାହୁ କଂଗ୍ରେସ ଅପେକ୍ଷା ବିଜେଡି ଉପରେ ଅଧିକ ଭରସା କରିଛନ୍ତି। ତାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ସେହିଭଳି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ତାଙ୍କ ଦ୍ୱାରା ଏଠାରେ ବିଜେଡିକୁ ରୋକିପାରିବ ବୋଲି ବିଜେପି ଯୋଜନା କରିଛି। ଏଭଳିସ୍ଥିତିରେ କଂଗ୍ରେସ ଏମାନଙ୍କ ଠାରୁ ବହୁ ପଛରେ ପଡିଛି।

ସମ୍ବନ୍ଧିତ ଖବର