‘ରାଜ୍ୟରେ କଂଗ୍ରେସ ଏକମାତ୍ର ବିରୋଧୀ’

ବିଜେଡିକୁ ନିରଞ୍ଜନଙ୍କ ଆହ୍ଵାନ ଯଦି ରାଜ୍ୟର ବିକାଶ ଚାହଁ, ହାତ ମିଳାଅ

ଭୁବନେଶ୍ୱର : ବିଜେଡି ଓ ବିଜେପି ମଧ୍ୟରେ ଥିବା ନିବିଡ଼ ସଂପର୍କ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ହୋଇଯାଇଛି। ରାଜ୍ୟବାସୀଙ୍କୁ ଭୂତାଇବା ପାଇଁ ବିଜେଡି କେବଳ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଛି। ସେହିପରି ନବୀନ ସରକାରଙ୍କୁ ସମାଲୋଚନା କରୁଛି ବିଜେପି। କିନ୍ତୁ ଠିକଣା ସମୟରେ ଉଭୟ ଦଳ କୋଳାକୋଳି ହେଉଛନ୍ତି। ତେବେ ଏହା ଆଉ ଲୁଚାଛପା ରହିନାହିଁ। ଏବେ ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାରେ କଂଗ୍ରେସ ଦଳ ଏକମାତ୍ର ବିରୋଧୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି-ବିଜେପି ସଂପର୍କ ନେଇ ଏଭଳି ଟିପ୍ପଣୀ ଦେଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ମାଧ୍ୟମରେ ଉଠାଇବା ପରିବର୍ତେ ଅନୁପସ୍ଥିତ ବିଜେଡି ସାଂସଦମାନେ ରହିଲେ। ଆଲୋଚନାରେ ଅଂଶଗ୍ରହଣ କଲେ କାଳେ, ମୋଦି ସରକାରଙ୍କ ବିରୁଦ୍ଧରେ ସମାଲୋଚନା କରିବାକୁ ପଡ଼ିବ ସେଥିପାଇଁ ଏଭଳି ପଦକ୍ଷେପ ନେଲା ବିଜେଡି। ସେହିପରି ବେଙ୍ଗାଲୁରୁରେ ବିରୋଧୀ ସରକାରଙ୍କ ଶପଥ ଗ୍ରହଣ ବେଳେ ମଧ୍ୟ ଦଳ ଯୋଗଦେଲା ନାହିଁ। ସଦ୍ୟତମ ଘଟଣା ହେଉଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡିର ଖୋଲାଖୋଲି ସମର୍ଥନ।

ବିଜେଡି ଉପରେ କଟୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଲେ, ବିଜେଡି ରାଜନୀତି ସତ୍ୟ ଉପରେ ପର୍ଯ୍ୟବସିତ ନୁହେଁ। ଦଳ ଦୋମୁହାଁ ନୀତି ଅବଲମ୍ବନ କରୁଛି। ରାଜ୍ୟରେ କେନ୍ଦ୍ରୀୟ ଅବହେଳା ନେଇ ହୁରି ପକାଉଛି। କିନ୍ତୁ ଦିଲ୍ଲୀରେ, ସଂସଦ ଭିତରେ କି ନୀତି ଆୟୋଗ ସ୍ତରରେ ମହାନଦୀ, ପୋଲାଭରମ୍‌ ଭଳି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉନାହିଁ। କେବଳ ବିଜେଡି ନୁହେଁ, ବିଜେପିର ମଧ୍ୟ ରାଜ୍ୟର ବିକାଶ ପାଇଁ ଆଦୌ ଆନ୍ତରିକତା ନାହିିଁ। ଯଦି ବିଜେଡି ଓଡ଼ିଶାର ବିକାଶ ଚାହେଁ, ତେବେ କଂଗ୍ରେସ ସହିତ ହାତ ମିଳାଉ ବୋଲି ପିସିସି ସଭାପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆହ୍ଵାନ ଦେଇଥିଲେ।

ବିଜେଡିର ସମଦୂରତା ନୀତି ସଂପର୍କରେ ରାଜ୍ୟବାସୀଙ୍କୁ ଆଉ ବୁଝିବାକୁ ବାକି ରହିନାହିଁ। ବିଜେଡି ରାଜ୍ୟବାସୀଙ୍କୁ କିପରି ଅସତ୍ୟ ଜରିଆରେ ବିଭ୍ରାନ୍ତ କରିଚାଲିଛି ସେ କଥା ଲୋକଙ୍କୁ କଂଗ୍ରେସ ବୁଝାଇବ। ବିଜେପିକୁ ନୁହେଁ, ଜେଡି(ୟୁ) ପ୍ରାର୍ଥୀଙ୍କୁ ବିଜେଡି ଆଦର୍ଶଗତ ସମର୍ଥନ ଯୋଗାଇ ଦେଇଥିବା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଲେ ଯେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ କେଉଁ ଭାଷାରେ ପୂର୍ବତନ ଜନତା ଦଳ ନେତା ସ୍ୱର୍ଗତଃ ଚନ୍ଦ୍ରଶେଖର ଗାଳିଗୁଲଜ କରିଥିଲେ ସେ କଥା ବିଜେଡି ନେତା ପାସୋରି ଦେଲେଣି କି ବୋଲି ସେ ପଚାରିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟେଲିଫୋନ କଲେନାହିଁ କାହିଁକି ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପ୍ରସଙ୍ଗରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଥିଲା। ପାରାଦୀପରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ବିରୁଦ୍ଧରେ ଦଳୀୟ ନେତା ବିଭୁପ୍ରସାଦ ତରାଇ ଦେଇଥିବା ମନ୍ତବ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରିଛି। ଏହା ସେମାନଙ୍କ ବ୍ୟକ୍ତିଗତ ମତ କହି ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ପିସିସି ସଭାପତି। ଏହି ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା କୈଳାସ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର