ଦଳରୁ ଇସ୍ତଫା ଦେଲେ ବିଜେପୁର ବିଧାନସଭା ଉପନିର୍ବାଚନ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ଆଉ ଜଣେ  କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି  । କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ପ୍ରଣୟ ସାହୁ । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସେ ସମସ୍ତ ପଦ ଓ ଦଳର ସଦସ୍ୟତାରୁ  ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା ହୋଇ ରହିଥିବାରୁ ସମ୍ମାନ ଜଗି ଇସ୍ତଫା ଦେଲି ବୋଲି ପ୍ରଣୟ କହିଛନ୍ତି। ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିରୋଧରେ ଲଢିଥିଲେ ପ୍ରଣୟ ସାହୁ । ନବ ଦାସ ଇସ୍ତଫା ଓ ଯୋଗେଶ ସିଂଙ୍କ ନିଲମ୍ବନ ପରେ  ପରେ ପ୍ରଣୟ ଇସ୍ତଫା ଦେଇଛନ୍ତି ।

ଉଲ୍ଲେଖ ଥାଉ କି, ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ ।  ସେ ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କ ପାଖକୁ ଇସ୍ତଫାପତ୍ର ପଠାଇଦେଇଛନ୍ତି  । ଆଉ ଏହି ଚିଠିରେ ବିଜେଡିରେ ଯୋଗ ଦେବା ନେଇ ବି ସେ ସ୍ପଷ୍ଟ କରିଥିଲେ । ଝାରସୁଗୁଡ଼ା ଲୋକଙ୍କ ବିକାଶର କଥା କହି, କଂଗ୍ରେସର ପ୍ରାଥମିକ ସଦସ୍ୟ ଏବଂ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ନବ ଦାସ । ଗୋଟିଏ ପୃଷ୍ଠାର ଏହି ଇସ୍ତଫାପତ୍ରରେ ଗୋଟିଏ ହେଲେ ବି ଅଭିଯୋଗ ନାହିଁ, ଯଦି କିଛି ଅଛି, ତାହା କେବଳ ଉଚ୍ଚକାଂକ୍ଷା । ଝାରସୁଗୁଡ଼ାର ବିକାଶ କଥା କହୁଥିବା ନବ,ଏହି ଚିଠିରେ ଏକ ପ୍ରକାର ସ୍ପଷ୍ଟ ଲେଖିଛନ୍ତି, ଆଗାମୀ ୨୪ ତାରିଖ ନବୀନଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବିଜେଡିର ହାତ ଧରିବେ ବୋଲି ।

ସେପଟେ, ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ଯୋଗେଶ ସିଂଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ପିସିସି ଶୃଙ୍ଖଳା କମିଟି ବୈଠକ ପରେ ନିଷ୍ପତ୍ତି ନିଆଯାଇଥିଲା । ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ କଳି ବଢ଼ିବାରେ ଲାଗିଥିବା ବେଳେ ଜଣକ ପରେ ଜଣେ ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିବା କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରୁଛି । ତେବେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ରାହୁଲଙ୍କ ଓଡ଼ିଶା ଗସ୍ତ କାର‌୍ୟ୍ୟକ୍ରମରେ ବିଧାୟକ ଯୋଗେଶ ସିଂ ଯୋଗ ଦେବେନି ବୋଲି କହିଥିଲେ । ବ୍ୟକ୍ତିଗତ କାରଣରୁ ରାହୁଲଙ୍କ କାର‌୍ୟ୍ୟକ୍ରମରେ ଯୋଗଦେବେନି ବୋଲି କହିବା କଂଗ୍ରେସକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ନାପସନ୍ଦ ହୋଇଥିଲା। କାରଣ ନବଙ୍କ ରାସ୍ତାରେ ଯୋଗେଶ ମଧ୍ୟ ଚାଲୁଛନ୍ତି ବୋଲି କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ହେଉଥିଲା। ଏହା ପୂର୍ବରୁ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରିଥିଲା ପିସିସି ଶୃଙ୍ଖଳା କମିଟି ।

ସମ୍ବନ୍ଧିତ ଖବର