ନୂଆଦିଲ୍ଲୀ: କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ  କୁହାଯାଉଥିବା  ‘ଜି-୨୩’ ନେତାଙ୍କ ବୈଠକ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ରାତ୍ରି ଭୋଜନ ପର୍ବରେ ଏକାଠି ହୋଇଛନ୍ତି କଂଗ୍ରେସର ଏହି ନେତୃବୃନ୍ଦ। ପ୍ରଥମେ ଏହି ବୈଠକ କପିଲ ସିବଲଙ୍କ ଘରେ ବସିବା ଧାର୍ଯ୍ୟ ହୋଇଥିବା ବେଳେ ପରେ ତାହା ଆଜାଦଙ୍କ ବାସଭବନକୁ ସ୍ଥାନାନ୍ତରୀତ ହୋଇଥିଲା। ବର୍ତ୍ତମାନ ଏହି ବୈଠକ ଜାରି ରହିଛି। ତେବେ ଆଜି ଏହି ବୈଠକରେ ୨୧ ଜଣ ନେତା ଯୋଗ ଦେଇଛନ୍ତି।

Advertisment

ଆଜାଦଙ୍କ ବାସଭବନରେ ଉପସ୍ଥିତ ଥିବା ନେତାମାନେ ହେଲେ କପିଲ ସିବଲ, ମନୀଷ ତିୱାରୀ, ଆନନ୍ଦ ଶର୍ମା, ଭୁପେନ୍ଦର ସିଂ ହୁଡା, ଅଖିଳେଶ ପ୍ରସାଦ ସିଂ,ପୃଥ୍ବୀରାଜ ଚଭନ, ମଣିଶଙ୍କର ଆୟାର,ଶଙ୍କର ସିଂ ବ‌ାଘେଲା, ପ୍ରନୀତ କୌର, ପି.ଜେ. କୁରିଏନ୍, ସନ୍ଦୀପ ଦୀକ୍ଷିତ, ରାଜ ବବର ଓ ଶଶି ଥରୁର୍।

ସଂପ୍ରତି  ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ କଂଗ୍ରେସକୁ ଅପମାନଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। କଂଗ୍ରେସ ସଂଗଠନର ଅମୂଳଚୂଳ ପରିବର୍ତ୍ତନ ତଥା ଦଳର ସଭାପତି ନିର୍ବାଚନ ପାଇଁ ଦାବି କରୁଛନ୍ତି ଜି-୨୩ ନେତୃମଣ୍ଡଳୀ।

ନିକଟରେ ସମାପ୍ତ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିବାବେଳେ ପଞ୍ଜାବରେ ୧୮ଟି ଆସନ ପାଇଥିଲା । ସେହିପରି ଉତ୍ତରାଖଣ୍ଡରେ ଦଳ ୧୯ଟି, ଗୋଆରେ ୧୨ଟି ଓ ମଣିପୁରରେ ୫ଟି ଆସନ ପାଇଥିଲା । ଏହା ପରେ ଗତକାଲି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।