ସୋନିଆ-ରାହୁଲଙ୍କ ବାର୍ତ୍ତା ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବ

ନୂଆଦିଲ୍ଲୀ : ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କଂଗ୍ରେସ ମହାଅଧିବେଶନର ବାର୍ତ୍ତା ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବ ବୋଲି ରାଜ୍ୟର କଂଗ୍ରେସ କର୍ମକର୍ତ୍ତାମାନେ ଆଜି ଏଠାରେ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ନିଜର ସ୍ଥିତିକୁ ମଜବୁତ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।

ଏଠାରେ ଆୟୋଜିତ କଂଗ୍ରେସର ୮୪ତମ ମହାଅଧିବେଶନରେ ଯୋଗ ଦେବା ପାଇଁ ରାଜ୍ୟର ୨ଶହ କର୍ମକର୍ତ୍ତା ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏକତ୍ରିତ ହୋଇଛନ୍ତି। ଏହି ଅଧିବେଶନର ପ୍ରଭାବ ରାଜ୍ୟ ରାଜନୀତିରେ ନିଶ୍ଚିତ ପଡ଼ିବ ବୋଲି ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେପଟେ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଅଧିବେଶନର ଗୃହୀତ ପ୍ରସ୍ତାବରେ ସାମିଲ କରିବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଥିଲେ। ରଘୁରାମ ରାଜନ କମିଟିରେ ଓଡ଼ିଶାକୁ ଗରିବ ରାଜ୍ୟ ଭାବେ ଚିତ୍ରଣ କରାଯାଇଥିବାରୁ ସ୍ୱତନ୍ତ୍ର ପାହ୍ୟାର ଆବଶ୍ୟକତା ରହିଥିବା ଏଆଇସିସି ସଦସ୍ୟମାନେ କହିଥିଲେ। ଅଧିବେଶନର ଦ୍ୱିତୀୟ ଦିନରେ ଆୟୋଜିତ ‘ଟୁଓ୍ଵାର୍ଡସ୍‌ ଏ ସେୟାର୍ଡ ଫ୍ୟୁଚର’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ନେତା ପ୍ରଦୀପ କୁମାର ମାଝି ଭାଗ ନେଇଥିଲେ। ରବିବାର ହେବାକୁ ଥିବା ଅନ୍ୟତମ ଆଲୋଚନାଚକ୍ର ‘ଭିଜନ ୨୦୨୦’ରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଭକ୍ତ ଚରଣ ଦାସ ଭାଗନେବେ ବୋଲି ଜଣାପଡ଼ିଛି।

ଅପରପକ୍ଷେ, ଅଧିବେଶନ ସରିବା ପରେ ଆସନ୍ତାକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ ନେତାମାନେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଦଳୀୟ ସଂଗଠନ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି। ତେବେ ଅଧିବେଶନ ସରୁ ସରୁ ରାହୁଲ ବିଦେଶ ଗସ୍ତ କରିବାର ଯୋଜନା ଥିବାରୁ ଓଡ଼ିଶାର ନେତାଙ୍କ ସହ ଆଲୋଚନା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର