ଜୟପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଜୟପୁର : ଜୟପୁରରେ କଂଗ୍ରେସ ଆଜି ତା’ର ଶକ୍ତି ପ୍ରଦର୍ଶନ କରିଛି। ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ ଦଳ କ୍ଷମତାକୁ ଆସିଲେ ଖଟିଖିଆ ଓ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ସହିତ ଚାଷୀଙ୍କୁ ମାସିକ ଏକ ହଜାର ଟଙ୍କା ପେନ୍‌ସନ୍‌ ଦେବ ବୋଲି ଘୋଷଣା କରିଛନ୍ତି।

ଜୟପୁର ମେଘମାଳତୋଟାଠାରେ ଦଳ ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ଟଙ୍କିକିଆ ଚାଉଳ ଦେଇ ବିଜେଡି ନିଜକୁ ଗରିବଙ୍କ ଦଳ ବୋଲି ଦାବି କରୁଛି। ଯଦି ସରକାରଙ୍କର ଗରିବଙ୍କ ପ୍ରତି ଏତେ ଦରଦ ରହିଛି ମାଗଣାରେ ତେଲ, ଡାଲି, ଆଳୁ ଓ ପିଆଜ ମଧ୍ୟ ଦେଉ ବୋଲି ସେ ଆହ୍ଵାନ ଦେଇଥିଲେ। ଏଥିସହିତ, କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୟୁପିଏ ସରକାରଙ୍କ ଯୋଜନାକୁ ନିଜର ବୋଲି କହି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ବି ସବୁ ଯୋଜନାରେ ବିଜୁ ନାମ ଯୋଡି ଲୋକଙ୍କୁ ଭୁଆଁ ବୁଲାଉଛି। ୨୦୧୯ ନିର୍ବାଚନରେ ଲୋକେ ଏହାର ଠିକଣା ଜବାବ ଦେବେ ବୋଲି ଶ୍ରୀ ପଟନାୟକ କହିଥିଲେ। ଏଥିସହିତ, ମହାନଦୀ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଥିଲେ।

ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂହ ଯୋଗଦେଇ କହିଥିଲେ ଯେ, କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଗରିବ ମାରଣ ନୀତି ଆପଣେଇଛନ୍ତି। ଗରିବ ଆଦିବାସୀଙ୍କ ଜମିକୁ ଏହି ଦୁଇ ସରକାର ବଡ ବଡ କମ୍ପାନି ହାତକୁ ଟେକି ଦେଇ ରାଜ୍ୟକୁ ରସାତଳକୁ ପଠାଇ ଦେଇଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଅଭିଭାଷଣରେ ରାଜ୍ୟରେ ଅପାରଗ ଓ କେନ୍ଦ୍ରରେ ମିଛୁଆ ସରକାର ଶାସନ କରୁଛନ୍ତି ବୋଲି କହିଥିଲେ। ଏଥିସହିତ, ୨୦୧୯ରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରାଯିବ ବୋଲି ସେ କହିଥିଲେ।

ଏହି ସମାବେଶରେ ବିଧାୟକ ତାରା ପ୍ରସାଦ ବାହିନୀପତି, ଦଳର ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ସମ୍ପାଦକ ଅନୀଲ କୁମାର ଚୌଧୁରୀ, ଶେଖ୍‌ ମସ୍ତାନ ଭାଲ୍ଲୀ, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, ଏଆଇସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ନବ କିଶୋର ଦାସ, ପିସିସିର ପୂର୍ବତନ ସଭାପତି ତଥା ଆବାହକ ଶରତ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ରତ୍ନମଣି ଉଲ୍ଲାକା, ଚନ୍ଦ୍ରମା ସାଆନ୍ତା, ରାମଚନ୍ଦ୍ର କାଡାମ୍‌, ଲକ୍ଷ୍ମୀପୁର ବିଧାୟକ କୌଳାସ କୁଲେସିକା, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି ଓ ଡାବୁଗାଁ ବିଧାୟକ ଭୁଜବଳ ମାଝି ପ୍ରମୁଖ ଉପସ୍ଥିତ ରହି ଉଭୟ ସରକାରଙ୍କ ଉପରେ ବର୍ଷିଥିଲେ।

ସମ୍ବନ୍ଧିତ ଖବର