ଆହା କି ସୁନ୍ଦର ରାଜନୀତି ! ପିଠା କାର୍ଯ୍ୟକ୍ରମ ତୋରଣରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଲାଗିଛି କଂଗ୍ରେସ ବିଧାୟକଙ୍କ ଫଟୋ

ସାଲେପୁର: ବିସ୍ମୟଜନକ ମନେ ହେଉଥିଲେ ବି କଥା ଟି ସତ।  ପିଠା କାର୍ଯ୍ୟକ୍ରମ ତୋରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଲାଗିଛି କଂଗ୍ରେସ ବିଧାୟକଙ୍କ ଫଟୋ । ଏଭଳି ପୋଷ୍ଟର ଦେଖିବାକୁ ମିଳିଛି ସାଲେପୁର ନିର୍ବାଚନମଣ୍ଡଳୀର ଚମ୍ପତିରେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ । ଆଉ ସାଲେପୁର ନିର୍ବାଚନମଣ୍ଡଳୀରେ ପିଠା କାର୍ଯ୍ୟକ୍ରମ ଲାଗି ନିର୍ମିତ ହୋଇଥିବା  ପୋଷ୍ଟରରେ ନବୀନଙ୍କ ସହ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ଦେଖିବାକୁ ମିଳିଛି ।

ଦୀର୍ଘଦିନ ଧରି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ପ୍ରକାଶ ବେହେରା । ଏପରିକି ସେ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ବି ଚାଲିଛି । କିଛି ଦିନ ତଳେ ସାଲେପୁରର ଚମ୍ପତିରେ ଏହି ପୋଷ୍ଟର ଲାଗିଥିଲା । ଏ ନେଇ  ପ୍ରକାଶ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ  ସେ ପୋଷ୍ଟର  ନିଜେ ଲଗାଇନାହାନ୍ତି, କେହି ସମର୍ଥକ ଲଗାଇ ଥାଇପାରନ୍ତି ବୋଲି କହିଛନ୍ତି।

pragativadi.com

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ପଦଯାତ୍ରାରେ ଏହାର ଝଲକ ଦେଖିବାକୁ ମିଳିଥିଲା । ବିନା ଦଳୀୟ ପତାକାରେ ଏକ ବିରାଟ ପଦଯାତ୍ରା ଆୟୋଜନ କରିଥିଲେ ସାଲେପୁର ବିଧାୟକ । ପଦଯାତ୍ରା ମାଧ୍ୟମରେ  ଦଳୀୟ ଲୋକପ୍ରିୟତା  ଅପେକ୍ଷା ତାଙ୍କର ଲୋକପ୍ରିୟତା ଅଧିକ ବୋଲି ପରୋକ୍ଷରେ ଦର୍ଶାଇ ଥିଲେ ପ୍ରକାଶ । ତେବେ ନିକଟରେ ଦେଖିବାକୁ ମିଳିଥିବା ପୋଷ୍ଟରରୁ ମିଶ୍ରଣ ରାଜନୀତିର ଗନ୍ଧ ବାରି ହେଉଛି । ତେବେ ଏବେ ବି ସିଧାସଳଖ କିଛି କହିବା ପାଇଁ ନାରାଜ ସାଲେପୁର ବିଧାୟକ ।

ଗୋଟିଏ ପଟେ କଂଗ୍ରେସ ତା’ର ସମସ୍ତ ବିଧାୟକଙ୍କୁ ଟିକେଟ ମିଳିବା ନେଇ ଘୋଷଣା କରିଥିବା ବେଳେ ପ୍ରକାଶ ବେହେରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଅର୍ଥାତ କଂଗ୍ରେସ ଟିକେଟରୁ ପ୍ରକାଶ ବେହେରା ଏକରକମ ଲଢ଼ିବା ସ୍ଥିର ହୋଇଯାଇଥିବା ବେଳେ ପ୍ରକାଶ କିନ୍ତୁ କେଉଁଠୁ ଲଢ଼ିବେ ସେନେଇ କିଛି ସ୍ପଷ୍ଟ କରି ନ ଥିଲେ । ସେ ନେଇ ରାଜ୍ୟ ରାଜନୀତିରେ ସସପେନ୍ସ ବଢ଼ିବାରେ ଲାଗିଥିଲା । ଏପରିସ୍ଥଳେ ନବୀନ ପଟ୍ଟନାୟକଙ୍କ ସହ ପ୍ରକାଶ ବେହେରାଙ୍କ ଫଟୋ ସ୍ପଷ୍ଟଭାବେ ଆଗାମୀ ମିଶ୍ରଣର ସଙ୍କେତ ଦେଉଛି ।

ସମ୍ବନ୍ଧିତ ଖବର