ହାଇଦ୍ରାବାଦ: ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ଆଜି ଅପରାହ୍ଣରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଜାତୀୟ କଂଗ୍ରେସ।

Advertisment

ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂଆଦିଲ୍ଲୀ ଠାରେ ଏହି ଦଳୀୟ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ରେଭାନାଥ ରେଡ୍ଡିଙ୍କୁ ମାଲକାଜଗିରି ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ ସାଂସଦ ରମେଶ ରାଥୋଡ୍‌ଙ୍କୁ ଅଦିଲାବାଦ ସଂରକ୍ଷିତ ଆସନରୁ, ଏ ଚନ୍ଦ୍ରଶେଖରଙ୍କୁ ପେଡ଼ାପାଲ୍ଲୀ ସଂରକ୍ଷିତ ଆସନରୁ, ପୋନାମ୍‌ ପ୍ରଭାକରଙ୍କୁ କରିମ୍‌ନଗର ସଂସଦୀୟ ଆସନରୁ, କେ ମଦନ ମୋହନ ରାଓଙ୍କୁ ଜାହିରାବାଦ ଆସନରୁ, ଗାଲି ଅନୀଲ କୁମାରଙ୍କୁ ମେଡକ୍‌ ଆସନରୁ, କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡିଙ୍କୁ ଜେଭେଲା ଆସନରୁ ଏବଂ ପୂର୍ବତନ ସାଂସଦ ପୋରିକା ବଳରାମ ନାଏକଙ୍କୁ ମେହେବୁବାବାଦ ସଂରକ୍ଷିତ ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ।

ଉଲ୍ଲେଖଯୋଗ୍ୟ, ରେଭନାଥ ରେଡ୍ଡି ଓ ପୋନମ୍‌ ପ୍ରଭାକର ଗତ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିବା ବେଳେ, ବିଶ୍ୱେଶ୍ୱର ରେଡ୍ଡି ଚେଭେଲା ଆସନରେ ଟିଆର୍‌ଏସ୍‌ର ଦଳୀୟ ସାସଦ ଥିଲେ। ତେବେ ଳୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ଟିଆର୍‌ଏସ୍‌ରୁ ଆସି କଂଗ୍ରେସରେ ଯୋଗ ଦେଇଥିଲେ।