କଂଗ୍ରେସ କ୍ଷମତାସୀନ ହେଲେ ପଛୁଆବର୍ଗଙ୍କ ଉନ୍ନତି ହେବ: ନିରଞ୍ଜନ

ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ବର : ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ ଶାସନରେ ଥିବା ଏକ ନିକମ୍ମା ସରକାର ରାଜ୍ୟବାସୀଙ୍କ ସ୍ବାର୍ଥରକ୍ଷାରେ ବିଫଳ ହୋଇଛନ୍ତି। ତେଣୁ ଏ ସରକାର ବଦଳିଲେ ରାଜ୍ୟବାସୀଙ୍କ ସବୁ ସମସ୍ୟାର ସମାଧାନ ହେବ। କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପଛୁଆବର୍ଗ(ଓବିସି)ଙ୍କ ପାଇଁ ସମସ୍ତ ପ୍ରକାର ଯୋଜନା କରାଯିବ। ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କ˚ଗ୍ରେସ ଭବନରେ ପ୍ରଦେଶ କ˚ଗ୍ରେସ ଓବିସି ବିଭାଗର ଜିଲ୍ଲା ଅଧ୍ୟକ୍ଷ ଓ ରାଜ୍ୟ କର୍ମକର୍ତାମାନଙ୍କର ବୈଠକ ଓବିସି ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଉପରୋକ୍ତ ପ୍ରତିଶ୍ରୁତିମାନ ଦେଇଥିଲେ। ଜିଲ୍ଲା ସ୍ତରରେ ସ˚ଗଠନକୁ ସୁଦୃଢ଼ କରିବା ସହ ପଛୁଆବର୍ଗଙ୍କୁ ଏକଜୁଟ କରି ସମ୍ମିଳନୀମାନ ଅନୁଷ୍ଠିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏହି ଅବସରରେ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ତଳୀ ୧୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ସମ୍ବିଧାନ ସ୍ବୀକୃତ ୨୭% ସ˚ରକ୍ଷଣ ବ୍ୟବସ୍ଥା, ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ଓ ସୁଧିକ୍ରିୟା ପାଇଁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ ଆଦି ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର