ପିସିସି ବିରୋଧରେ ବିଦ୍ରୋହ, ହାଇକମାଣ୍ଡ ନିରବ : ଦିଲ୍ଲୀରେ ହାତ ଟାଣ ପାଇଁ କସରତ

ଓଡ଼ିଶାରେ ଛିଡ଼ିଗଲାଣି, ଭୋଟର ଦୂରେଇଲେଣି

ଭୁବନେଶ୍ୱର : ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ସଶକ୍ତ କରିବା ଲାଗି ଆସନ୍ତାକାଲିଠାରୁ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସୁଛି ଏଆଇସିସି ବୈଠକ। ଆଗାମୀ ଦିନରେ କଂଗ୍ରେସ କେତେ ଦୃଢ ଭାବେ ବିଜେପି ନେତୃତ୍ୱାଧୀନ ସରକାରର ମୁକାବିଲା କରିବ, ତାହା ସମୟ କହିବ। ଓଡ଼ିଶାରେ କିନ୍ତୁ କଂଗ୍ରେସର ହାତ ଖଣ୍ଡ ଖଣ୍ଡ ହେବାରେ ଲାଗିଛି। ଏମିତି ଯେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ବିଧାୟକମାନେ କେବଳ ଖୋଲାଖୋଲି ମତମନ୍ତବ୍ୟ ଦେଉଛନ୍ତି ତା ନୁହେଁ, ଜଣେ ପରେ ବିଦ୍ରୋହ ଘୋଷଣା କଲେଣି। ଜଣେ ପରେ ଜଣେ ନେତା ଜଣାଇବାରେ ଲାଗିଛନ୍ତି ପ୍ରସାଦଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ ନାହିଁ।

ସେପଟେ ପଞ୍ଚାୟତ ନିର୍ବାଚନ ପରେ ବିଜେପୁର ଉପନିର୍ବାଚନ ଫଳାଫଳ ସୂଚାଇ ଦେଇଛି ଯେ ଭୋଟରମାନେ ଆଉ ହାତ ଚିହ୍ନ ସହିତ ରହିବାକୁ ଚାହୁଁନାହାନ୍ତି। ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିବାକୁ ଯାଇ ସେମାନେ ଭିନ୍ନ ଦଳ ମୁହାଁ ହେଲେଣି। ଖାସ୍‌ ଏହି କାରଣରୁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତିନି ନମ୍ବର ସ୍ଥାନକୁ ଖସି ଆସିଥିଲା। ବିଜେପୁରରେ ସରକାର ବିରୋଧରେ ମତ ରଖି ଭୋଟର ତିନି ତିନି ଥର କଂଗ୍ରେସ ସପକ୍ଷରେ ନିଜର ଦୃଢ଼ତା ଦେଖାଇଥିଲେ। ଏଥର କିନ୍ତୁ ୧୪ ବର୍ଷର ସମ୍ପର୍କ ଛିଡାଇ ହାତ ଚିହ୍ନର ଅମାନତ ହରାଇ ଦେଇଛନ୍ତି।

ଏହି ଦୁଇଟି ନିର୍ବାଚନ ରାଜ୍ୟ କଂଗ୍ରେର ଶୋଚନୀୟ ସ୍ଥିତିକୁ ବୟାନ କରୁଥିଲେ ହେଁ, ହାଇକମାଣ୍ଡଙ୍କ କିନ୍ତୁ ହେଜିନାହାନ୍ତି। ‘ମୁଁ ନୁହେଁ, ଆମେ’ ସ୍ଲୋଗାନ ଦେଇଥିବା ଶ୍ରୀ ହରିଚନ୍ଦନ ମଧ୍ୟ ସବୁ ନେତାଙ୍କୁ ଏକାଠି କରିବା ଲାଗି ଆଗ୍ରହ ଦେଖାଉନାହାନ୍ତି। ବରଂ ତାଙ୍କ ସପକ୍ଷବାଦୀଙ୍କ ବୟାନବାଜି କଂଗ୍ରେସ କଳିକୁ ଇନ୍ଧନ ଯୋଗାଉଛି। ଆଗାମୀ ଦିନରେ କଂଗ୍ରେସରେ ବଡ଼ ବିସ୍ଫୋରଣ ଘଟିବ ବୋଲି ନେତାମାନେ ଚେତାବନୀ ଦେଲେଣି।

ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ସଜବାଜ ଜୋର କରିଥିବା ବେଳେ କଂଗ୍ରେସ ତାର ସ୍ଥିତି ସଜାଡିବା ପରିବର୍ତେ ଉଜାଡିବାକୁ ଯୋଜନା ଚଳାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଏଭଳି ସ୍ଥିତି ଲାଗି ରହିଲେ, ଆଗାମୀ ଦିନରେ କଂଗ୍ରେସ ସ୍ଥିତି ହରାଇପାରେ ବୋଲି ଏହି ମହଲରେ ଆଶଙ୍କା ପ୍ରକାଶ କରୁଛନ୍ତି।

ରାଜ୍ୟ କଂଗ୍ରେସର ଏଭଳି ସଙ୍ଗିନ ସ୍ଥିତିକୁ ସ୍ୱୀକାର କରି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି, ରାଜ୍ୟରେ କଂଗ୍ରେସ ଦଳ ବିପର୍ଯ୍ୟୟ ଆଡ଼କୁ ମୁହାଁଇଛି। ଏହାର ଅନେକ ପ୍ରମାଣ ରହିଛି। ରାଜ୍ୟ କଂଗ୍ରେସ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହାର ନେତୃତ୍ୱ। ଏହାର ପରିବର୍ତନ ପାଇଁ ଆମେ ବାରମ୍ବାର ହାଇକମାଣ୍ଡଙ୍କୁ ଜଣାଇଛୁ। କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ହାତରେ ନେତୃତ୍ୱ ପରିବର୍ତନ କ୍ଷମତା ରହିଛି। ସେ ଚାହିଁଲେ, ଓଡ଼ିଶାରେ କଂଗ୍ରେସ ସଂଗଠନ ସୁଦୃଢ଼ ହୋଇପାରିବ। ହେଲେ କିଛି ବି ହେଉନି। ପରୋକ୍ଷରେ ଶ୍ରୀ ଶର୍ମା ହାଇକମାଣ୍ଡଙ୍କ ଆଭିମୁଖ୍ୟ ଓ ଓଡ଼ିଶା ପ୍ରତି ନେତୃତ୍ୱର ଆନ୍ତରିକତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଟାଣିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାୟକ ଡା. ପ୍ରଫୁଲ୍ଲ ମାଝୀ କହିଛନ୍ତି, କଂଗ୍ରେସ ଦଳ ବିପର୍ଯ୍ୟୟ ପରେ ବିପର୍ଯ୍ୟୟର ଶିକାର ହେଉଛି। ଏଆଇସିସି ହେଉ ବା ପିସିସି ନେତାମାନେ ଯେଉଁମାନେ ଦଳର ନେତୃତ୍ୱ ନେଉଛନ୍ତି, ସେମାନେ କିଛି ଦାୟିତ୍ୱ ନିର୍ବାହ କରୁଥିବା ଭଳି ମନେ ହେଉନାହିଁ। ବିଜେଡି ନିଜ ସଂଗଠନକୁ ମଜବୁତ୍‌ କରିଚାଲିଛି। ଏବେ ବିଜୁ ଯୁବ ବାହିନୀ ଗଠନ କରୁଛି। କିନ୍ତୁ ରାଜ୍ୟରେ କଂଗ୍ରେସ ଦଳ ସଂଗଠନ ଶୂନ୍ୟ ହେବାକୁ ବସିଲାଣି। ବିଧାୟକମାନେ ହେଉଛନ୍ତିି ଦଳ ପାଇଁ ପୁଞ୍ଜି। କିନ୍ତୁ ବିଧାୟକ, ସାଂସଦ ନ ଥିବା ଦଳର ବ୍ୟକ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୋଟିସ ଦେବା କେତେଦୂର ଯଥାର୍ଥ ବୋଲି ସେ କ୍ଷୋଭର ସହ ପ୍ରଶ୍ନ କରିଥିଲେ।

ଗତକାଲି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ମଧ୍ୟ ଖୋଲାଖୋଲି ଭାବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ବିରୋଧ କରିଥିଲେ। ତାଙ୍କ ନେତୃତ୍ୱରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ଏପରିକି କଂଗ୍ରେସ ଦଳ ଛାଡ଼ିବେ ବୋଲି ଶ୍ରୀ ସିଂହ ଧମକ ଦେଇଥିଲେ।

ଏମିତି ସ୍ଥିତିରେ ଯିଏ ନେତୃତ୍ୱକୁ ଚ୍ୟାଲେଂଜ କରିବ, ଯାହାକୁ କଂଗ୍ରେସ ଭଲ ଲାଗୁନାହିଁ, ସେ ତୁରନ୍ତ ଦଳ ଛାଡୁ ବୋଲି ବରିଷ୍ଠ ନେତା ସୁର ରାଉତରାୟଙ୍କ ମନ୍ତବ୍ୟ ପିସିସି ସଭାପତିଙ୍କ ବିରୋଧରେ ଦେଖା ଦେଇଥିବା ଅସନ୍ତୋଷକୁ ଆହୁରି ତୀବ୍ର କରିଛି। ସୁରଙ୍କ ଏମିତି ବିବୃତିର କଡା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି। ସୁରଙ୍କୁ ଟାର୍ଗେଟ କରିବା ସହ ସିଧାସଳଖ ସମାଲୋଚନା କରିଛନ୍ତି ସଭାପତିଙ୍କୁ। କହିଛନ୍ତି, ସୁରଙ୍କ କଥାର କୌଣସି ମୂଲ୍ୟ ନାହିଁ। ସେ ହିଁ କଂଗ୍ରେସ ଧ୍ୱଂସର ମୂଳ କାରଣ। ପ୍ରସାଦ ଯଦି ପିସିସି ସଭାପତିରୁ ପରିବର୍ତ୍ତନ ନ ହୁଅନ୍ତି ତେବେ ଦଳର ଅଧିକାଂଶ ନେତା ନିର୍ବାଚନ ଲଢିବେନି। ଏପରିକି ସେ ନିଜେ ମଧ୍ୟ ନିର୍ବାଚନ ଲଢିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ପ୍ରସାଦ ସଭାପତି ରହିଲେ ଦଳର ବଡ କ୍ଷତି ହେବ ବୋଲି ସେ ସର୍ତକ କରାଇଛନ୍ତି।

ସମ୍ବନ୍ଧିତ ଖବର