ପିସିସି ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ସୁର-ତାରା ଲଢେଇ ! 

ଭୁବନେଶ୍ୱର : ଆସନ୍ତା କାଲିଠାରୁ ନୂଆଦିଲ୍ଲୀରେ ବସୁଛି ଏଆଇସିସିର ବୈଠକ। ଏଥିରେ ଯୋଗ ଦେବାକୁ ଆଜି ଅଧିକାଂଶ ରାଜ୍ୟ ନେତା ଦିଲ୍ଲୀ ଗସ୍ତ କରିଛନ୍ତି। କିନ୍ତୁ ନେତୃତ୍ୱ ବିବାଦ ପିଛା ଛାଡୁନି। ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ନହଟାଇଲେ ଦଳ ଛାଡିବେ ବୋଲି କିଛି ବିଧାୟକ ଖୋଲାଖୋଲି କହିବା ପରେ ବିଧାୟକ ଦଳକୁ ଟାର୍ଗେଟ କରିଥିଲେ ପ୍ରସାଦଙ୍କ ଶ୍ୱଶୁର ସୁର ରାଉତରାୟ। ଆଉ ଆଜି ସୁରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ଯିଏ ନେତୃତ୍ୱକୁ ଚ୍ୟାଲେଂଜ କରିବ ସେ ତୁରନ୍ତ ଦଳ ଛାଡ। ଯଦି କଂଗ୍ରେସ ଭଲ ଲାଗୁନାହିଁ ତେବେ ତୁରନ୍ତ ଦଳ ଛାଡ। ସୁରଙ୍କ ଏମିତି ବିବୃତିର କଡା ଜବାବ ରଖିଛନ୍ତି ତାରା ବାହିନୀପତି। ସୁରଙ୍କୁ ଟାର୍ଗେଟ କରିବା ସହ ସିଧାସଳଖ ନିଶାନା ସାଧିଛନ୍ତି ସଭାପତି ପ୍ରସାଦଙ୍କୁ। ତାରା କହିଛନ୍ତି ସୁରଙ୍କ କଥାର କୌଣସି ମୂଲ୍ୟ ନାହିଁ । ବରଂ ସୁର ହିଁ କଂଗ୍ରେସ ଧ୍ୱଂସର ମୂଳ କାରଣ। ଏହାଛଡା ପ୍ରସାଦ ଯଦି ପିସିସି ସଭାପତିରୁ ପରିବର୍ତ୍ତନ ନ ହୁଅନ୍ତି ତେବେ ଦଳର ଅଧିକାଂଶ ନେତା ର୍ନିବାଚନ ଲଢିବେନି। ଏପରିକି ସେ ନିଜେ ମଧ୍ୟ ର୍ନିବାଚନ ଲଢିବେ ନାହିଁ ତାହାକୁ ନେଇ ଦ୍ୱନ୍ଦରେ ଅଛନ୍ତି। ଏହାଛଡା ପ୍ରସାଦ ସଭାପତି ରହିଲେ ଦଳର ବଡ କ୍ଷତି ହେବ ବୋଲି ସେ ସର୍ତକ କରିଛନ୍ତି।

ସୁର ଓ ତାରାଙ୍କ ଭିତରେ ବୟାନବାଜି ଦଳ ଭିତରେ ଚାଲିଥିବା ଅସନ୍ତୋଷର ଆଉ ଏକ ପ୍ରତିଫଳନ। ଆଉ ଏହାର ମୁଳରେ ରହିଛି ପିସିସି ପରିବର୍ତନ ପ୍ରସଙ୍ଗ। ଯାହା ପୁରା ଦଳକୁ ଜଟିଳ ପରିସ୍ଥିତି ଆଡକୁ ଟାଣି ନେଉଛ। ଏଆଇସିସି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଉଛନ୍ତି କିନ୍ତୁ ମନରେ ଆଶା ଓ ଆଶଙ୍କାର କଳା ବାଦଲ। ନେତୃତ୍ୱ ବିବାଦ ଭିତରେ ଦଳର ସ୍ଥିତିକୁ ନେଇ ସମସ୍ତେ ଏବେ ସନ୍ଦେହ ଘେରରେ। ଏହାରି ଭିତରେ ଖବର ଆସୁଛି ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ଯୋଗେଶ ସିଂହ ଓ ପ୍ରଫୁଲ୍ଲ ମାଝୀଙ୍କ ସମେତ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ନାମକୁ ଏଆଇସିସି ସଭ୍ୟ ତାଲିକାରୁ ବାଦ ଦେଇଛନ୍ତି ହାଇକମାଣ୍ଡ। ତେଣୁ ଏହା ଯଦି ସତ ହୋଇଥାଏ ତେବେ ରାଜ୍ୟ କଂଗ୍ରେସରେ ବିସ୍ଫୋରଣକୁ ଏଡେଇ ଦେଇ ହେବନାହିଁ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର