ନୂଆ ମୁହଁ ଉପରେ ଭରସା କରିଛି କଂଗ୍ରେସ, ଆଜି ତାଲିକାରେ ୨୩ ନୂଆ ପ୍ରାର୍ଥୀ

ଭୁବନେଶ୍ୱର(ସୁବ୍ରତ ଦାସ) : କଂଗ୍ରେସ ଦଳ ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ମନୋନୟନ ବେଳେ ମୁଖ୍ୟତଃ ନୂଆମୁହଁ ଉପରେ ଭରସା କରିଛି। ଏହି ପର୍ଯ୍ୟାୟରେ ୭ଟି ଲୋକସଭା ଆସନ ମଧ୍ୟରୁ ୫ଟିରେ ନୂଆ ମୁହଁ ଦେଇଥିବା ବେଳେ ଢେଙ୍କାନାଳ ଲୋକସଭା ଆସନ ପାଇଁ ଏଥର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂଦେଓଙ୍କୁ ପୁଣି ପ୍ରାର୍ଥୀ କରିଛି। ଗତ ଲୋକସଭା ନିର୍ବାଚନରେ ଶ୍ରୀ ସିଂହଦେଓଙ୍କୁ ଦଳୀୟ ଟିକେଟ୍‌ ଦିଆ ନ ଯାଇ ସୁଧୀର କୁମାର ସାମଲଙ୍କୁ ଦିଆଯାଇଥିଲା। ଶ୍ରୀ ସାମଲ ନିକଟରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇ ଢେଙ୍କାନାଳ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

ଏଥର ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ନବଜ୍ୟୋତି ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ପୁତ୍ର। ସେ ଦଳରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସ୍ଥାନରେ ମନୋନୀତ ହୋଇଛନ୍ତି।

ଭଦ୍ରକ ଲୋକସଭା ଆସନ ପାଇଁ ଏଥର ଦଳୀୟ ଟିକେଟ ପାଇଛନ୍ତି ଇଂଜିନିୟର ମଧୁସ୍ମିତା ସେଠୀ। ଶ୍ରୀମତୀ ସେଠୀ ଏଥର ଯୁବନେତା ସଂଗ୍ରାମ ଜେନାଙ୍କ ସ୍ଥାନରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ପିସିସି ଉପସଭାପତି ତଥା ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ କନ୍ୟା।

ସେହିପରି ଗତଥର କେନ୍ଦୁଝର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ମାଧବ ସର୍ଦ୍ଦାରଙ୍କ ସ୍ଥାନରେ ମନୋନୀତ ହୋଇଛନ୍ତି ଫକୀର ମୋହନ ନାୟକ। ଜଗତସିଂହପୁରରେ ପୂର୍ବତନ ଲୋକସଭା ସଦସ୍ୟ ବିଭୁପ୍ରସାଦ ତରାଇଙ୍କ ସ୍ଥାନରେ ଏଥର ପ୍ରାର୍ଥୀ ହୋଇଛନ୍ତି ପ୍ରତିମା ମଲ୍ଲିକ। ସେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ କନ୍ୟା।କେବଳ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଗତଥର ପ୍ରାର୍ଥୀ ହୋଇଥିବା ବିଶିଷ୍ଟ ଆଇନଜୀବୀ ଧରଣୀଧର ନାୟକ ଏଥର ବଦଳିନାହାନ୍ତି।

୨୦ ବିଧାନସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୩ଜଣ ଏଥର ଅପରିବର୍ତ୍ତିତ ରହିଛନ୍ତି। ସେମାନେ ହେଲେ ପୂର୍ବତନ ମନ୍ତ୍ରୀ ଶରତ ରାଉତ(ସୁକିନ୍ଦା),ସତ୍ୟଶିବ ଦାସ (ଭୋଗରାଇ) ଏବଂ ଜୟନ୍ତ କୁମାର ମହାନ୍ତି (ପାଟକୁରା)।

ତେଲେକୋଇ ବିଧାନସଭା ଆସନରୁ ଏଥର ମୋହନ ହେମ୍ବ୍ରମ ଧନୁର୍ଜୟ ସିଦ୍ଧୁଙ୍କ ସ୍ଥାନରେ, ପାଟଣାରୁସନାତନ ନାୟକଙ୍କ ବଦଳରେଗୋପେଶ୍ୱର ନାୟକ, ଯଶୀପୁରରୁ ମିନତୀ ନାୟକଙ୍କ ପରିବର୍ତ୍ତେ ମହେନ୍ଦ୍ର ନାୟକ, ଉଦଳାରୁ ଦୁଃଖୀଶ୍ୟାମ ମୁର୍ମୁଙ୍କ ସ୍ଥାନରେ ବେଣୁଧର ମହାପାତ୍ର ଏବଂ ବାରିପଦାରୁ ପ୍ରିୟବ୍ରତ ମାଝୀଙ୍କ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଦଶରଥ ସିଂ।

Deccan Chronicle

ସେହିପରି ନିକଟରେ ଦଳ ଛାଡ଼ିଥିବା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ସ୍ଥାନରେ ବସ୍ତା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ବିଜନ ନାୟକ। ରେମୁଣାରୁ ପ୍ରତ୍ୟୁଷ ରଂଜନ ଜେନାଙ୍କ ସ୍ଥାନରେ ପ୍ରତାପ ସେଠୀ,ବାସୁଦେବପୁରରୁ ମାଧବାନନ୍ଦ ମଲ୍ଲିକଙ୍କ ପରିବର୍ତ୍ତେ ଅଶୋକ କୁମାର ଦାସ, ଧାମନଗରରୁ ହୃଦାନନ୍ଦ ସେଠୀଙ୍କ ବଦଳରେ ବିଦ୍ୟାଧର ଜେନା,ବିଂଝାରପୁରରୁ ବବିତା ମଲ୍ଲିକଙ୍କ ସ୍ଥାନରେ ମନୋରଂଜନ ଦାସ ଏବଂ ବରୀରୁ ଗଗନ ଜେନାଙ୍କ ବଦଳରେ ଉମେଶ ଜେନା ପ୍ରାର୍ଥୀ ହୋଇଛନ୍ତି। ପର୍ଜଙ୍ଗ ବିଧାନସଭା ଆସନରୁ ସନ୍ତୋଷ କୁମାର ରାଉତଙ୍କ ପରିବର୍ତ୍ତେ ଏଥର ଦଳୀୟ ଟିକେଟ ପାଇଛନ୍ତି ଯଶସ୍ୱିନୀ ରାଉତ,ନିଆଳିରୁ ଛବି ମଲ୍ଲିକଙ୍କ ସ୍ଥାନରେ ମମତା ଭୋଇ,ମହାଙ୍ଗାରୁ ପୂର୍ବତନ ମନ୍ତ୍ରୀ ଶେଖ୍‌ ମତହୁବ୍‌ ଅଲ୍ଲୀଙ୍କ ବଦଳରେ ଦେବେନ୍ଦ୍ର କୁମାର ସାହୁ, ପୁରୀରୁ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ସ୍ଥାନରେ ଅରୋ ପ୍ରସାଦ ମିଶ୍ର ଏବଂ ନୟାଗଡ଼ରୁ ଲାଲା ମନୋଜ କୁମାର ରାୟଙ୍କ ସ୍ଥାନରେ ମନୋଜ କୁମାର ସାହୁ। ଅନ୍ୟପକ୍ଷରେ ଜଗତସିଂହପୁରର ପୂର୍ବତନ ଲୋକସଭା ସଦସ୍ୟ ବିଭୁ ପ୍ରସାଦ ତରାଇଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଦଳୀୟ ପ୍ରାର୍ଥୀ କରାଯାଇଛ।

ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି,‘ଆମେ ଏଥର ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ବାଛିଛୁ। ବହୁ ଯୁବକ ଓ ମହିଳା ଏଥର ଟିକେଟ ପାଇଛନ୍ତି।’

ସମ୍ବନ୍ଧିତ ଖବର