କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ:ରାହୁଲ ନିର୍ବାଚିତ

୧୬ରେ ଦାୟିତ୍ୱଭାର ଗ୍ରହଣ

ନୂଆଦିଲ୍ଲୀ: ସୋମବାର ରାହୁଲ ଗାନ୍ଧୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଦଳର ଏହି ସର୍ବୋଚ୍ଚ ପଦବି ପାଇଁ ଅନ୍ୟ କୌଣସି ନେତା ନାମାଙ୍କନପତ୍ର ଦାଖଲ କରିନଥିଲେ। ସୋମବାର ଅପରାହ୍ଣ ୩ଟା ଯାଏ ନାମାଙ୍କନପତ୍ର ଫେରାଇନେବାର ସମୟ ଥିଲା। ତେବେ ରାହୁଲଙ୍କ ସପକ୍ଷରେ ଆସିଥିବା ମୋଟ ୮୯ଟି ଯାକ ନାମାଙ୍କନପତ୍ର ଯାଞ୍ଚ ପରେ ସେ ହିଁ ଦଳର ଅଧ୍ୟକ୍ଷ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (ସିଇଏ) ଅଧ୍ୟକ୍ଷ ମୁଲାପାଲ୍ଲି ରାମଚନ୍ଦ୍ରନ୍‌ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଜାତୀୟ କଂଗ୍ରେସ ସମ୍ବିଧାନ ଧାରା ୧୬(ଘ)ଅନୁଯାୟୀ ରାହୁଲଙ୍କ ଅଧ୍ୟକ୍ଷ ପଦ ସୁନିଶ୍ଚିତ ହୋଇଥିବା ରାମଚନ୍ଦ୍ରନ କହିଛନ୍ତି।
ଫଳରେ ରାହୁଲ ନେହେରୁ-ଗାନ୍ଧୀ ବଂଶର ଷଷ୍ଠ ରାଜନେତା ଭାବେ ଏହି ଗାଦି ସମ୍ଭାଳିବାକୁ ଯାଉଛନ୍ତି। ଆସନ୍ତା ୧୬ ତାରିଖରେ ୪୭ ବର୍ଷୀୟ ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଠାରୁ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱଭାର ଗ୍ରହଣ କରିବେ। ଉଲ୍ଲେଖ ଥାଉ କି, ସୋନିଆ ୧୯୯୮ ମସିହାରୁ କଂଗ୍ରେସର ଏହି ଗାଦି ସମ୍ଭାଳି ଆସୁଥିଲା ବେଳେ ୨୦୧୩ରୁ ପୁଅ ରାହୁଲ ଉପାଧ୍ୟକ୍ଷ ପଦରେ ରହିଆସିଛନ୍ତି।
ଉଲ୍ଲେଖ ଥାଉ କି, ୧୩୨ ବର୍ଷର କଂଗ୍ରେସ ଇତିହାସରେ ଏ ଯାବତ୍‌ କେବଳ ନେହରୁ-ଗାନ୍ଧୀ ପରିବାରର ସଦସ୍ୟମାନେ ୪୪ବର୍ଷ କାଳ ଅଧ୍ୟକ୍ଷ ପଦରେ ରହି ଆସିଛନ୍ତି। ସବୁଠୁ କମ୍‌ ବୟସ(୨୫ବର୍ଷ)ରେ ମୋତିଲାଲ୍‌ ନେହରୁ ଏହି ପଦ ଅଳଙ୍କୃତ କରିଥିଲା ବେଳେ ସବୁଠୁ ଅଧିକ ବୟସ(୫୨ ବର୍ଷ)ରେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ।

ସମ୍ବନ୍ଧିତ ଖବର