କୃଷ୍ଣଙ୍କୁ ନେଇ କଂଗ୍ରେସରେ କଳି

ଶ୍ରୀକାନ୍ତଙ୍କୁ ଟାଣିଲେ ତାରା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ଶୃଙ୍ଖଳା କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ବିଧାୟକ ପଦରୁ ଇସ୍ତଫା ଦେଇଥିବା ଦଳିତ ନେତା କୃଷ୍ଣଚନ୍ଦ୍ର ସଗରିଆଙ୍କ ବିବାଦୀୟ ଚିଠି ଓ ଗଣମାଧ୍ୟମକୁ ଦେଇଥିବା ବିବୃତିକୁ ନେଇ କଂଗ୍ରେସ ରାଜନୀତିରେ କଳି ତେଜିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ସୁସଂପର୍କ ରହିଛି। ସେଥିପାଇଁ ସେ(ଶ୍ରୀ ମିଶ୍ର) ଦଳିତ, ଆଦିବାସୀଙ୍କ ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତିି ଦର୍ଶାଇ ତାଙ୍କ ବିରୁଦ୍ଧରେ କୃଷ୍ଣ ବିଷୋଦ୍‌ଗାର କରିଛନ୍ତି। ଏହି ବିବାଦକୁ ଆହୁରି ତେଜିଆନ୍‌ କରିଛନ୍ତି ତାଙ୍କର ପାରମ୍ପରିକ ବିରୋଧୀ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ତାଙ୍କ ସହିତ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ଷଡ଼୍‌ଯନ୍ତ୍ର ରଚନା କରାଯାଇଥିବା ସେ ଖୋଲାଖୋଲି କହିଛନ୍ତି। ଏ ନେଇ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିି ଯେ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ କୃଷ୍ଣଙ୍କ ବିବୃତିକୁ ଅନୁଧ୍ୟାନ କରାଯିବ। ତଦନ୍ତ ପରେ ଯାହା ନିର୍ଯ୍ୟାସ ବାହାରିବ ତା’ ଆଧାରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂର୍ବତନ ବିଧାୟକ ଶ୍ରୀ ସଗରିଆ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଶ୍ରୀ ମିଶ୍ରଙ୍କ ବିବୃତି ଅନୁଯାୟୀ ତାଙ୍କୁ କେତେଜଣ ଦଳୀୟ ନେତା ପ୍ରଭାବିତ କରିବା ଫଳରେ ସେ ଇସ୍ତଫା ଦେବା କେବଳ ନିରାଧାର ନୁହେଁ, ତାଙ୍କୁ ନିନ୍ଦିତ କରିବାର ପ୍ରୟାସ। ବିବେକର ଆହ୍ବାନରେ ସେ ଇସ୍ତଫା ଦେଇଛନ୍ତି। ଜଣେ ୧୪ ବର୍ଷୀୟା ନାବାଳିକାର ଗଣଦୁର୍ଷ୍କମ ଏବଂ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ତାଙ୍କ ବିବେକକୁ ଦଂଶନ କରୁଥିଲା। ସେହିପରି ବିଧାନସଭାରେ ତାଙ୍କ(ବିରୋଧୀ ଦଳ ନେତା) ସହିତ କାର୍ଯ୍ୟ କରିବା ବେଳେ ବହୁବାର ଦଳିତ, ଆଦିବାସୀଙ୍କ ସମସ୍ୟା ସଂପର୍କରେ ସେ ଆଲୋଚନା କରିଛନ୍ତି। କିନ୍ତୁ ଶ୍ରୀ ମିଶ୍ର ତାଙ୍କ କଥାକୁ କେବେ ବି ଗୁରୁତ୍ବ ଦେଇନାହାନ୍ତି। ଉଚ୍ଚଶିକ୍ଷା ଯଥା: ମେଡିକାଲ୍‌, ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ସଂରକ୍ଷଣ ଦାବି ସଂପର୍କରେ ବିଧାନସଭା ଭିତରେ ପ୍ରଶ୍ନ ଉଠାଇଲା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ଅନେକ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଥିଲେ। ଦଳିତ, ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ହେଉ ବା କୁନ୍ଦୁଲି ଗଣଦୁର୍ଷ୍କମ ପୀଡ଼ିତାଙ୍କ କଥା ଉଠାଇବା ପାଇଁ ବିରୋଧୀ ଦଳ ନେତାଙ୍କର ଭୂମିକା ନ ଥିଲା କି ବୋଲି କୃଷ୍ଣ ପ୍ରଶ୍ନ ପଚାରିଛନ୍ତି।

କୃଷ୍ଣଙ୍କ ଚିଠି କଂଗ୍ରେସ ରାଜନୀତିକୁ ସରଗରମ କରିଦେଇଛି। ସେ ପଟେ ଶ୍ରୀକାନ୍ତଙ୍କ ବିବାଦୀୟ ଭୂମିକା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତିି ବିରୋଧୀ ଦଳ ମୁଖ୍ୟ ସଚେତକ ବାହିନୀପତି। ସେ କହିଛନ୍ତି, ଶ୍ରୀକାନ୍ତ ଯାହା କହୁଛନ୍ତିି, କୃଷ୍ଣ ତାହା କରୁଛନ୍ତି। ବିରୋଧୀ ଦଳ ନେତା ଓ ତାଙ୍କୁ ହଟାଇବା ପାଇଁ ଷଡ଼୍‌ଯନ୍ତ୍ର ହୋଇଥିଲା। ଯିଏ ଦଳିତଙ୍କ ଶୋଷଣ କଥା କହୁଛନ୍ତି ସେ ନିଜେ ଶୋଷଣ କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ସହିତ ସଂପର୍କ ଥାଅନ୍ତା, ତେବେ ଗୃହରେ କିପରି ସେମାନେ ମୁଖ୍ୟମନ୍ତ୍ରୀ ମୁର୍ଦାବାଦ୍‌ ନାରା ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ଶ୍ରୀକାନ୍ତ କହିଛନ୍ତି ଯେ ସେ କାହାରି ମୁହଁ ବନ୍ଦ କରିପାରିବେନି। ଚକ୍ରାନ୍ତ କିଏ କାହା ବିରୁଦ୍ଧରେ କଲା ସେ କଥା କିଛି କହିବେନି। କୃଷ୍ଣଙ୍କ ସହିତ ଆଲୋଚନା କରିବା କ’ଣ ପାପ? ସେ କ’ଣ ‌େଛାଟ ଛୁଆ ହୋଇଛନ୍ତିି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ଜେନା।

କୃଷ୍ଣଙ୍କ କଥାରେ ବାସ୍ତବତା ଅଛି। ଏଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲୁ। ତେବେ ଆଜି ସେ ଆଉ କାହା ପ୍ରରୋଚନାରେ ଏଭଳି କହୁଛନ୍ତିି ବୋଲି ବରିଷ୍ଠ ବିଧାୟକ ଡା. ପ୍ରଫୁଲ୍ଲ ମାଝୀ କହିଛନ୍ତି। ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ଏଭଳି ଆକ୍ଷେପ ଲଦିବା ଠିକ୍‌ ନୁହେଁ ବୋଲି କହିଛନ୍ତିି ବିଧାୟକ ଯୋଗେଶ ସିଂହ। ଏଭଳି ପ୍ରସଙ୍ଗ ନେଇ ଆକ୍ଷେପ ଓ ପ୍ରତି ଆକ୍ଷେପ କଂଗ୍ରେସ ପାଇଁ ବିବାଦର ପାହାଡ଼ ଭଳି ଛିଡ଼ା କରିଛି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କୃଷ୍ଣ କ’ଣ କହିଛନ୍ତି ସେ ଜାଣିନାହାନ୍ତି। ସେ ତାଙ୍କ ସହିତ ଆଲୋଚନା କରିବେ। ତେବେ ଏହି ଘଟଣା ଗଣମାଧ୍ୟମକୁ ଆସିବା କଥା ନୁହେଁ। ଦଳର ଶୃଙ୍ଖଳା ଉପରେ ସ‌ମସ୍ତେ ଧ୍ୟାନ ଦେବା ଉଚିତ। ଏ ନେଇ ଶୃଙ୍ଖଳା କମିଟି ବିଚାର ବିମର୍ଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର