ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଆୟୋଜନ ହେବ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ନିର୍ବାଚନରେ ଦଳୀୟ ସମସ୍ତ ବିଧାନସଭା ଓ ଲୋଭସଭାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ଉକ୍ତ ବୈଠକରେ ପ୍ରତିନିଧି ଭାବେ ଡକାଯାଇଥିଲା। ଆଲୋଚନା ଆରମ୍ଭକରି ପ୍ରଦେଶ କଂଗ୍ରେସ ସଭାପତି ପଟ୍ଟନାୟକ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଅନୁଯାୟୀ ସର୍ବନିମ୍ନ ୧ ଘଣ୍ଟା ପଦଯାତ୍ରାର ଆୟୋଜନ ହେବ। ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନମାନଙ୍କରେ ବିଭିନ୍ନ ପର୍ଯ୍ୟାୟରେ ପଦଯାତ୍ରା କରିବାପାଇଁ ସ୍ଥିର ହୋଇଛି।

ଅକ୍ଟୋବର ୩ରୁ ୯ ତାରିଖ (ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ) ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ବକୃତାମାଳା, ସେମିନାର ଓ ଫଟୋ ପ୍ରଦର୍ଶନୀ କରାଯିବ। ଜନସାଧାରଣଙ୍କର ଅବଗତି ନିମନ୍ତେ ମହାତ୍ମାଙ୍କ ଉପରେ ସମ୍ବଳିତ ଚିନ୍ତନର ପ୍ରତିଫଳନ ସଦୃଶ ସ୍ୱାଧୀନତା ସଂଗ୍ରାମ, ଜାତୀୟତାବାଦ, ଧର୍ମନିରପେକ୍ଷତା ତଥା ଅହିଂସା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ସାଂପ୍ରତିକ ସମାଜରେ ପ୍ରତ୍ୟହ ଘଟୁଥିବା ଅର୍ଥନୈତିକ ସ୍ଥିତି ଓ ରାଜନୈତିକ ବାତାବରଣ ଉପରେ ଆଲୋଚନା ହେବ।

ସଭ୍ୟ ସଂଗ୍ରହ ସଂପର୍କରେ ରାଷ୍ଟ୍ରୀୟ ସଭାପତି ଗାନ୍ଧୀ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରିଛନ୍ତି। ସଭ୍ୟସଂଗ୍ରହ ଉଭୟ ଡିଜିଟାଲ ଓ ପାରମ୍ପରିକ ପୁସ୍ତିକା ମାଧ୍ୟମରେ ଆଗାମୀ ୨ ଅକ୍ଟୋବର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଆରମ୍ଭ କରାଯିବ। ଦେଶରେ ଏନଡିଏ ସରକାରଙ୍କ ଦ୍ୱାରା ଅର୍ଥନୀତିର ଦୁର୍ବଳ ପରିଚାଳନା ତୃଟି ଯୋଗୁଁ ମୋଦୀ ସରକାର ଉପରୁ ଜନସାଧାରଣଙ୍କର ବିଶ୍ୱସନୀୟତା ଦୃତ ଗତିରେ ହ୍ରାସ ପାଉଛି।
ଏଣୁ ଏ ସଂପର୍କରେ ଜନ ସଚେତନତା ସୃଷ୍ଟିପାଇଁ ଅକ୍ଟୋବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆନ୍ଦୋଳନାତ୍ମକ କାର୍ଯ୍ୟ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି।

ସମ୍ବନ୍ଧିତ ଖବର