୪୪ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କଲା କଂଗ୍ରେସ

ସ୍କ୍ରିନିଂ କମିଟିକୁ ତାଲିକା ସୁପାରିସ

ଭୁବନେଶ୍ୱର : ଅଗଷ୍ଟ ମାସରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ଘୋଷଣା କରିଥିଲା। କିନ୍ତୁ ଅକ୍ଟୋବର ପହିଲାରେ ଚୂଡ଼ାନ୍ତ ହେଲା ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା। ଅବଶ୍ୟ, ଏହି ତାଲିକା ଚୂଡ଼ାନ୍ତ ନୁହେଁ। ଏହାକୁ ପିସିସି ପକ୍ଷରୁ ସ୍କ୍ରିନିଂ କମିଟିକୁ ସୁପାରିସ କରାଯାଇଛି। ସ୍କ୍ରିନିଂ କମିଟି ଚୂଡ଼ାନ୍ତ କରିବା ପରେ ଦଳୀୟ ସଭାପତି ରାହୁଲ ଗାନ୍ଧୀ ଏହା ଉପରେ ମୋହର ଲଗାଇବେ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟି(ପିଇସି) ଓ ସ୍କ୍ରିନିଂ କମିଟିର ମିଳିତ ବୈଠକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ବୈଠକରେ ପ୍ରାର୍ଥୀ ଚୟନ କସରତ ହେବା ପରେ ୪୪ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସେହି ପ୍ରାର୍ଥୀମାନଙ୍କ ତାଲିକା ସ୍କ୍ରିନିଂ କମିଟିକୁ ସୁପାରିସ କରାଯାଇଛି ବୋଲି ଦଳର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ନାୟକ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସଥେସାନ୍‌, ନୌସାଦ୍‌‌ ସୋଲାଙ୍କି, ସହପ୍ରଭାରୀ ରୁଦ୍ରରାଜୁ, ମସ୍ତାନ ଭାଲି, ଅନିଲ ଚୌଧୁରୀ, ଆଦିତ୍ୟ ଶର୍ମା, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ପିସିସି ୪୪ଜଣଙ୍କ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିଲେ ବି ଆନୁଷ୍ଠାନିକ ଭାବେ ସେମାନଙ୍କ ନାମ ଘୋଷଣା କରିନାହିଁ। ତେବେ ଏହି ତାଲିକାରେ ସମସ୍ତ ୧୫ଜଣ ବିଧାୟକଙ୍କ ନାମ ରହିଛି। ମୋଟାମୋଟି ଭାବେ ଦକ୍ଷିଣ ଓଡ଼ିଶାରୁ ୨୦ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବା ବେଳେ ଉପକୂଳରୁ ୧୩ଜଣ ଓ ପଶ୍ଚିମ ଓଡ଼ିଶାରୁ ୧୧ଜଣ ପ୍ରାର୍ଥୀଙ୍କୁ ବଛାଯାଇଥିବା କୁହାଯାଉଛି। ଏହି ତାଲିକାରେ ଅନ୍ୟ କେଉଁ ପ୍ରାର୍ଥୀଙ୍କ ନାମ ଯେ କୌଣସି ସ୍ତରରେ ଯୋଡ଼ିହେବ ବୋଲି ଜଣେ ଦଳୀୟ କର୍ମକର୍ତା କହିଛନ୍ତି।

ପିସିସି ଚୂଡ଼ାନ୍ତ କରିଥିବା ୪୪ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ କାହାରି ନାମ ତାହା ଦଳ ସ୍ପଷ୍ଟ କରିନଥିଲେ ବି ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପବନରେ ଘୂରିବୁଲୁଛି। ଏହି ତାଲିକା ହିଁ ଖୋଦ୍‌ ଦଳୀୟ ନେତାଙ୍କୁ ଗୋଲକଧନ୍ଦା‌ରେ ପକାଇଛି। ଏହି ତାଲିକାରେ ପାରାଦୀପରୁ ବାପି ସର୍ଖେଲ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ, ଭୁବନେଶ୍ବର(ମଧ୍ୟ)ରୁ ମାନସ ଚୌଧୁରୀ, ଆନନ୍ଦପୁରରୁ ଜୟଦେବ ଜେନା, ସାନଖେମୁଣ୍ଡିରୁ ରମେଶ ଜେନା, ମୋହନାରୁ ଦାଶରଥୀ ଗମାଙ୍ଗ, ସୁକିନ୍ଦାରୁ ଶରତ ରାଉତ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂ ଭୋଇ, ଅତାବିରାରୁ ନିହାର ମହାନନ୍ଦ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା, କଟକ ବାରବାଟୀରୁ ମହମ୍ମଦ ମୋକିମ୍‌, ଭଣ୍ଡାରିପୋଖରୀରୁ ଅନନ୍ତ ସେଠୀ, ପଦ୍ମପୁରରୁ ସତ୍ୟଭୂଷଣ ସାହୁ, ଆଠଗଡ଼ରୁ ଉମାବଲ୍ଲଭ ରଥ, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ବିଷମ କଟକରୁ ଡମ୍ବରୁଧର ଉଲ୍ଲାକା, ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାଁ, ନିମାପଡ଼ାରୁ ବିଶ୍ୱରଂଜନ ମହାନ୍ତି, ଭୁବନେଶ୍ୱର(ଏକ୍ରାମ)ରୁ ରଶ୍ମୀ ମହାପାତ୍ର ପ୍ରମୁଖଙ୍କ ନାମ ନେଇ ଚର୍ଚା ଜୋର ଧରିଛି। ଏହି ତାଲିକା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର