ରାଜ୍ୟରେ କଂଗ୍ରେସର ପରାଜୟର କାରଣ ଖୋଜିବା ଲାଗି ୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଖୋଜିବା ଲାଗି ଆସନ୍ତା ୨୯ ତାରିଖରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି।

ଶ୍ରୀ ସିଂହଙ୍କ ଉପସ୍ଥିତିରେ ରାଜ୍ୟର ନିର୍ବାଚନ ପଳାଫଳର ସମୀକ୍ଷା କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି। ଏଥର ରାଜ୍ୟର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଛି। ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜୁ ଜନତା ଦଳ ୧୨ଟି ଓ ଭାରତୀୟ ଜନତା ପାର୍ଟି ୮ଟି ଆସନ ଜିତିଥିବା ବେଳେ କଂଗ୍ରେସ ଜିତିଛି ମାତ୍ର ଗୋଟିଏ ଆସନ। ସେହିପରି ରାଜ୍ୟ ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ମାତ୍ର ୯ଟି ଜିତି ଦଳ ତୃତୀୟ ସ୍ଥାନକୁ ଖସି ଆସିଛି ଏବଂ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଛି। ୨୦୧୪ ବିଧାନସଭା ନିର୍ବାଚନରେ ଏହା ୧୬ଟି ଆସନ ଜିତିଥିବା ବେଳେ ଏଥର ଏହାର ସଭ୍ୟ ସଂଖ୍ୟା ୯କୁ ଖସି ଆସିଛି।

latestly.com

ଅନ୍ୟପକ୍ଷରେ ବିଜୁ ଜନତା ଦଳ ୧୧୨ ଆସନ ହାସଲ କରି ପୁଣିଥରେ ସରକାର ଗଢୁଥିବା ବେଳେ ଭାରତୀୟ ଜନତା ପାର୍ଟିର ଆସନ ସଂଖ୍ୟା ୧୦ ରୁ ୨୩ କୁ ବୃଦ୍ଧି ପାଇଛି ଏବଂ ଏହା ବିରୋଧୀ ଦଳର ଆସନ ଅଳଙ୍କୃତ କରିଛି। ରାଜ୍ୟରେ ଦଳର ପରାଜୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନିଜ ନିଜ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ବହୁ ରଥୀ ମହାରଥୀ ଏଥର ପରାଜୟ ବରଣ କରିଛନ୍ତି। ଗତ ଥରର ବିଧାୟକଙ୍କ ମଧ୍ୟରୁ କେବଳ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ନିଜ ନିଜର ଆସନ ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର