ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ଟାର୍ଗେଟ କଲା କଂଗ୍ରେସ : ଓଡ଼ିଶା ଆସିବା ପୂର୍ବରୁ ମହାନଦୀରେ ସବୁ ନିର୍ମାଣ ବନ୍ଦ କରନ୍ତୁ ମୋଦି

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ପୂର୍ବରୁ ଆଜି ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉଠାଇ ଉଭୟ ମୋଦି ଓ ବିଜେପିକୁ ଅକଳରେ ପକାଇଛି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଏକତରଫା ତଥା ବେନିୟମ କାମକୁ ସ୍ୱୀକାର କରି ସେଥିପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛି କଂଗ୍ରେସ। ଯେତେପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ନିଷ୍ପତ୍ତି ନ ହୋଇଛି, ସେତେପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କ ଦ୍ୱାରା ହୋଇଥିବା ସବୁ ବ୍ୟାରେଜ୍‌ ନିର୍ମାଣ ବନ୍ଦ ରହିବ ବୋଲି ମୋଦି କଟକର ମହାନଦୀ କୂଳରେ ଘୋଷଣା କରନ୍ତୁ ବୋଲି ଦଳ ଦାବି କରିଛି। ଏଥିସହିତ ପେଟ୍ରୋଲ ଓ ଡିଜେଲ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତଥା ବିଜେପି ଉପରେ ବର୍ଷିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ମୋଦି ବିଜେପିର ନୁହେଁ, ଦେଶର ପ୍ରଧାନମନ୍ତ୍ରୀ। ମହାନଦୀ କେବଳ ଛତିଶଗଡ଼ର ନୁହେଁ। ମହାନଦୀ ଉଜୁଡ଼ିଗଲେ, ଓଡ଼ିଶା ଉଜୁଡ଼ିଯିବ। ଛତିଶଗଡ଼ର ବେନିୟମ କାମ ନଜରକୁ ଆସିବା ପରେ ବି ପ୍ରଧାନମନ୍ତ୍ରୀ ସବୁ ଜାଣ ଧ୍ରୁତରାଷ୍ଟ୍ର ସାଜି ମହାଭାରତକୁ ଅପେକ୍ଷା କରିଛନ୍ତି। ଏଣୁ, ଓଡ଼ିଶାବାସୀଙ୍କ ମନରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାକୁ ପ୍ରଧାନମନ୍ତ୍ରୀ ଦୂର କରନ୍ତୁ। ଟ୍ରିବ୍ୟୁନାଲ୍‌ ରାୟ ନ ଆସିବା ଯାଏଁ, ସବୁ ନିର୍ମାଣ ବନ୍ଦ କରିବା ସହିତ ଅଟକାଇଥିବା ପାଣିକୁ ତୁରନ୍ତ ଛାଡ଼ିବାକୁ ଛତିଶଗଡ଼ ସରକାରଙ୍କୁ ସେ ନିର୍ଦେଶ ଦିଅନ୍ତୁ। ମହାନଦୀ କୂଳରେ ସଭା କରି ଯଦି ସେ ରାଜ୍ୟବାସୀଙ୍କ ଦୁଃଖ ଦୂର ନ କରନ୍ତି, ତେବେ ତାଙ୍କୁ କେହି କ୍ଷମା ଦେବେ ନାହିଁ।
ଦେଶରେ ବିକାଶ ତାଲିକାରେ ଓଡ଼ିଶା ସବୁଠାରୁ ତଳେ ରହିଥିବା ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ରାଜ୍ୟରେ ଜଳସେଚନ ନିମନ୍ତେ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଧାନମନ୍ତ୍ରୀ ଘୋଷଣା କରନ୍ତୁ। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି କାଳିଆର ନାମ ନେଇ, ଲିଙ୍ଗରାଜଙ୍କୁ ପୂଜା କରି, ବକ୍ସି ଜଗବନ୍ଧୁଙ୍କ ନାଁ ନେଇ ଓଡ଼ିଶାବାସୀଙ୍କୁ ଜୁମ୍‌ଲା ଦେଖାଇଛନ୍ତି।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ଏହାକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ ପ୍ରସ୍ତାବ ଦେଉଛନ୍ତି, ତାହା ହାସ୍ୟାସ୍ପଦ। ଜିଏସ୍‌ଟି ଆଇନର ସଂଶୋଧନ କରି ପେଟ୍ରୋଲ୍‌, ଡିଜେଲ୍‌କୁ ଏହା ଅଧୀନରେ ଅଣାଗଲେ, ଲୋକେ ଦର ବୃଦ୍ଧିରୁ ରକ୍ଷା ପାଆନ୍ତେ। ଏ କ୍ଷେତ୍ରରେ ଶିଳ୍ପପତି, କର୍ପୋରେଟ୍‌ ଓ ଧନୀକ ଶ୍ରେଣୀର ଲୋକମାନଙ୍କଠାରୁ ଅଧିକ ଟିକସ ଆଦାୟ କରିବାର ବ୍ୟବସ୍ଥା କରିହେବ। ଯଦି ଜିଏସ୍‌ଟି ଆଇନରେ ପରିବର୍ତନ ସମୟସାପେକ୍ଷ, କେନ୍ଦ୍ର ସରକାର କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରି ମାତ୍ରାଧିକ ଦର ବୃଦ୍ଧିକୁ ରୋକିପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ସୂଚନାଧିକାର ତଥ୍ୟ ଅନୁଯାୟୀ ୨୦୧୭ ସେପ୍ଟେମ୍ବର ସୁଦ୍ଧା ପ୍ରଚାର କ୍ଷେତ୍ରରେ ପେଟ୍ରୋଲିୟମ ମନ୍ତ୍ରାଳୟ ୧୦୦.୫୭ କୋଟି ଖର୍ଚ କରିଥିବା ଦର୍ଶାଇ ଏ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ।

ପାରାଦୀପରେ ଭାରତୀୟ ତୈଳ ନିଗମର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ୧ ଲକ୍ଷ ସ୍ଥାନୀୟ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ ବୋଲି ଘୋଷଣା କରିଥିଲେ। ଏ କଥା ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ପ୍ରତିଶ୍ରୁତି ମୁତାବକ ୪ ବର୍ଷରେ ୪ ହଜାର ସ୍ଥାନୀୟ ଲୋକଙ୍କୁ ଚାକିରି ମିଳିଛି କି ବୋଲି ବିରୋଧୀ ଦଳ ନେତା ପଚାରିଥିଲେ। ଧାନର ଉତ୍ପାଦନ ଖର୍ଚ୍ଚର୍ର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏମ୍‌ଏସ୍‌ପି ଦେଢ଼ଗୁଣ ବୃଦ୍ଧି ପାଇଲେ, ରାଜ୍ୟରେ ଧାନର କ୍ୱିଣ୍ଟାଲ୍‌ ପିଛା ମୂଲ୍ୟ ୨୯୩୦ ଟଙ୍କା ହେବା କଥା। ଏ ନେଇ ବାଚସ୍ପତିଙ୍କ ନେତୃତ୍ୱରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା ପାଇଁ ଅନୁରୋଧ କରି ଚିଠି ଲେଖିଥିଲେ ମଧ୍ୟ ସୌଜନ୍ୟମୂଳକ ପ୍ରାପ୍ତିସ୍ୱୀକାର ମିଳିଲାନାହିଁ। ଏହା ଓଡ଼ିଶାବାସୀଙ୍କ ପାଇଁ ଉପହାସର ବିଷୟ ବୋଲି ବିରୋଧୀ ଦଳ ନେତା କହିଥିଲେ। ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାର ଢାଞ୍ଚା ବଦଳାଇବାକୁ ଏନ୍‌ଡିଏ ସରକାର ଉଦ୍ୟମ ଚଳାଇଥିବା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କେନ୍ଦ୍ରକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର