କଂଗ୍ରେସ ପ୍ରଚାର ଦାୟିତ୍ୱରେ ହେଭିେଓ୍ଵଟ

ବରଗଡ଼/ବରପାଲି : ପ୍ରଚାରରେ ଦୁର୍ବଳ ବୋଲି ବିବେଚନା କରାଯାଉଥିବା କଂଗ୍ରେସ ଏବେ ନିଜ ଅଭିଯାନକୁ ଦମ୍‌ଦାର କରିବାରେ ଲାଗି ପଡ଼ିଛି। ନିଜର ସବୁ ଶକ୍ତି ଯୋଗାଡ଼ କରି ଦଳ ପ୍ରଚାର ମଇଦାନକୁ ଓହ୍ଲାଇଛି। ଦଳର ହେଭିେଓ୍ଵଟ୍‌ ନେତାମାନେ ଏକାଠି ହୋଇ ପ୍ରଚାରକୁ ବ୍ୟାପକ କରିବାକୁ ଉଦ୍ୟମ ଚଳାଇଛନ୍ତି। ଶୁକ୍ରବାର ଦଳର ତୁଙ୍ଗ ନେତାଙ୍କୁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏଥିରେ ସାମିଲ ଥିଲେ ବିଧାନସଭା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ଶରତ ରାଉତ, ପ୍ରକାଶ ଦେବତା, ରିପୁନାଥ ସେଠ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସାଧୁ ନେପାକ, ନିହାର ମହାନନ୍ଦ, ବିଧାୟକ କୃଷ୍ଣ ସାଗରିଆ, ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢ଼ୀ, ମୁଖପାତ୍ର ହମିଦ ହୁସେନ, କୃଷକ ସେଲ୍‌ ଆବାହକ ଅମୀୟ ପଟ୍ଟନାୟକ, ସଂଖ୍ୟାଲଘୁ ସେଲ୍‌ ଆବାହକ ମହମ୍ମଦ ସାହାନବାଜ, ଆନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ବରପାଲି ବ୍ଲକ ଆଗଲପୁର ଗାଁରେ ନିର୍ବାଚନୀ ସଭା ହୋଇଥିଲା। ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାର ଚାଷୀ ସବୁଠୁ ଅଧିକ ଦୁଃଖ-ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଧାନ ଅଭାବୀ ବିକ୍ରି, କ୍ଷେତକୁ ପାଣି ଅଭାବ, ଫସଲ କ୍ଷତି, ଋଣଭାର ବୃଦ୍ଧି ଯୋଗୁଁ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରି ଚାଲିଛି। ଋଣ ଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କରୁନି ବୋଲି ସରକାର କହୁଛନ୍ତି। ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ବିଜେଡି ସରକାର ୧୮ବର୍ଷ ମଧ୍ୟରେ କରି ପାରିଲାନି। କେବଳ ନିର୍ବାଚନ ପାଇଁ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନେତାମାନେ ଅଭିଯୋଗ କରିଥିଲେ। ଚାଷ ଓ ଚାଷୀ ସମସ୍ୟା ପ୍ରସଂଗକୁ ନେଇ କଂଗ୍ରେସ ଭୋଟର୍‌ଙ୍କ ପାଖକୁ ଯିବ ବୋଲି ନିଷ୍ପତ୍ତି ହୋଇଛି। ସଭା ପରେ ମହଦାରୁ ଦଳୀୟ ପ୍ରଚାର ରଥ ବାହାରିଛି। ଏହାପରେ ତାଲପଦର ଠାରେ ନିର୍ବାଚନୀ ସଭା ହୋଇଥିଲା। ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହ ନେତାମାନେ ଘରଘର ବୁଲି ପ୍ରଚାର କରିଛନ୍ତି।

ବିଧାନସଭା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ନରସିଂହ ସେଠାରୁ ଆସି ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ବରପାଲି ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ଶ୍ରୀ ମିଶ୍ର ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଏହା ହେଉଛି ତାଙ୍କର ପ୍ରଥମ ନିର୍ବାଚନୀ ସଭା।

ସମ୍ବନ୍ଧିତ ଖବର