ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଦେଲା ଚେତାବନୀ

ଜଣେ ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟ ବାର ଆସୋସିଏସନ୍‌ ଯେଉଁ ଆନ୍ଦୋଳନ ଚଳାଇଥିଲା ସେଥିରେ ଗତକାଲି ସୃଷ୍ଟି ହୋଇଥିବା ଫାଟ ଆଜି ଭୟଙ୍କର ରୂପ ନେଇଛି। ହାଇକୋର୍ଟ ପରିସରରେ ଓକିଲ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ସଂଘର୍ଷ ସୃଷ୍ଟି ହୋଇଛି। ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଉଠିଛି। ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଏହାର ସମାଧାନ ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡିଛି। ଯଦି ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନ ହୁଏ ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ରାଜ୍ୟରେ ଏବେ ବିଚାର ବିଭାଗ ସ୍ଥାଣୁ ପାଲଟି ଯାଇଛି। ଓକିଲମାନଙ୍କର ଆନ୍ଦୋଳନ ଯୋଗୁଁ ଦୁଇ ମାସ ହେଲା ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ଛୋଟ କେସରେ ଗିରଫ ହୋଇଥିବା ଲୋକମାନେ ଜାମିନ ନ ପାଇଁ ଏଥିପାଇଁ ଜେଲରେ ସଢୁଛନ୍ତିି । ରାଜ୍ୟରେ ବିଚାର ବିଭାଗର ଏହି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଦାୟୀ। ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ ଗୃହ ବିଭାଗ ଏବଂ ଆଇନ୍ ବିଭାଗ କାର୍ଯ୍ୟ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏହାର ଘୋର ନିନ୍ଦା କରୁଛି। ଏହା ଶାସକ ଦଳର ପାରିବା ପଣିଆକୁ ପଦାରେ ପକାଇ ଦେଇଛି।

ହାଇକୋର୍ଟ ପରିସରରେ ଓକିଲ ସଂଘର ୨ ଗୋଷ୍ଠୀ ମୁହାଁମୁହିଁ ଓ ଏଥିପାଇଁ ହାଇକୋର୍ଟ ବାର ଭିତରକୁ ପୁଲିସ ପ୍ରବେଶ କରିବା ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ଓକିଲ ସମାଜକୁ ରାଜନୀତିକ ବିବାଦ ଭିତରକୁ ଶାସକ ଦଳ ଟାଣିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବିଜୁ ଜନତା ଦଳର ଲିଗାଲ୍ ସେଲ୍ ଅତ୍ୟନ୍ତ ଅପରିପକ୍ୱ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେମାନେ ଚାହିଁଥିଲେ ବିଚାର ବ୍ୟବସ୍ଥାର ଏହି ଅଚଳାବସ୍ଥାରେ ସୁଧାର ଆଣିପାରିଥାନ୍ତେ। ମାତ୍ର ତାହା ନକରି ସେମାନେ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ବିଭୁପ୍ରସାଦ ତରାଇ, ସୁଦର୍ଶନ ଦାସ, ହିମାଂଶୁ ଲେଙ୍କା, ମନୋଜ ମହାପାତ୍ର, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର