ପରିବାରର ଜଣଙ୍କୁ ଟିକେଟ୍‌: ଜିତେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ପ୍ରତି ପରିବାରର ଜ‌ଣଙ୍କୁ ମିଳିବ ଟିକେଟ୍‌। କୌଣସି ପରିସ୍ଥିତିରେ ବାପ-ପୁଅଙ୍କୁ ଟିକେଟ୍‌ ଦେବ ନାହିଁ କଂଗ୍ରେସ। ତେବେ ଯଦି ବାପା ଇଚ୍ଛା କରିବେ, ସେ ତାଙ୍କୁ ମିଳୁଥିବା ଟିକେଟ୍‌ ପୁଅଙ୍କୁ ଦେଇପାରିବେ। ଏ କଥା କହିଛନ୍ତିି କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଜି ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ପ୍ରଭାରୀ ଶ୍ରୀ ସିଂହ କହିଲେ ଯେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍‌ ମିଳିବ ନାହିଁ। ପୂର୍ବରୁ ‌ଏ ପ୍ରସଙ୍ଗ ଉଠିଥିଲେ ବି ଗତକାଲି ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକ ପରେ ପ୍ରଭାରୀଙ୍କ ଏଭଳି ଘୋଷଣା କିଛି ‌ନେତାଙ୍କ ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି।

ଏହି ପରିପ୍ରେକ୍ଷୀରେ ଗତକାଲିର ପିଇସି ବୈଠକ ପରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ତାଲିକା ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ସେ ନେଇ ପ୍ରଦେଶ କଂଗ୍ରେସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ତାଲିକାକୁ ନକଲି କହିଛନ୍ତି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି, ଗତକାଲି ଗୁରୁତ୍ବପୂର୍ଣ୍ଣ ପିଇସି ବୈଠକ ପରେ ପ୍ରସ୍ତାବିତ ପ୍ରାର୍ଥୀମାନଙ୍କର ନାମ ତାଲିକାକୁ ଚୂଡାନ୍ତ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଇ ଦିଆଯାଇଛି। ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ପ୍ରାର୍ଥୀ ତାଲିକା ଗଣମାଧ୍ୟମରେ ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର