ମହିଳା କଂଗ୍ରେସର ସଂକଳ୍ପ ସ୍ବାଭିମାନ ସମାବେଶ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜନ

ମହିଳା ହିଂସା ନେଇ ଖୋଲିଲା ହେଲ୍‌ପ-ଲାଇନ

ଭୁବନେଶ୍ବର : ଉଭୟ ରାଜ୍ୟ ଓ ଦେଶରେ ମହିଳା, ନାବାଳିକାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ ଉଭୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଓ ବିଜେଡି ସରକାର ସଂପୂର୍ଣ୍ଣ ରୂପେ ବିଫଳ। ରାଜ୍ୟ ଏବଂ ଦେଶରେ ମହିଳାଙ୍କ ଉପରେ ଯେପରି ଦୁର୍ଷ୍କମ, ହିଂସା ବଢ଼ିଚାଲିଛି, ଅରାଜକତା ଦେଖାଦେଇଛି, ତା’ର ମୁକାବିଲା କରିବାକୁ ପଡ଼ିବ। ଏଥିପାଇଁ କଂଗ୍ରେସର ମହିଳାମାନେ ଆଗଭର ହୋଇ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ରାଜ୍ୟ ମହିଳା କଂଗ୍ରେସର ସଂକଳ୍ପ ସ୍ବାଭିମାନ ସମାବେଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦଳୀୟ ନେତା ନେତ୍ରୀମାନଙ୍କ ଗର୍ଜନରେ ପ୍ରକମ୍ପିତ ହୋଇଥିଲା। ମହିଳାଙ୍କ ବିରୁଦ୍ଧରେ ଅପରାଧ, ହିଂସା ଓ ଅତ୍ୟାଚାର ବୃଦ୍ଧି ହେଉ କି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ, ଏ କ୍ଷେତ୍ରରେ ଉଭୟ ସରକାର ବିଫଳ ହୋଇଛନ୍ତି। ମହିଳାଙ୍କ ଉପରେ ହିଂସା ପରିପ୍ରେକ୍ଷୀରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ୨୪ ଘଣ୍ଟିଆ ହେଲ୍‌ପ-ଲାଇନ ନମ୍ବର ୭୦୦୮୯୯୯୮୫୮ ଖୋଲା ଯାଇଛି। ଏହି ନମ୍ବରକୁ ପୀଡ଼ିତା ମହିଳାମାନେ ଫୋନ କଲେ ସେମାନଙ୍କୁ ଦଳ ତରଫରୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଏହି ସମାବେଶରେ ଅଧ୍ୟକ୍ଷତା କରି ରାଜ୍ୟ ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନା ମହିଳାଙ୍କ ଉପରେ ବଢ଼ୁଥିବା ଅପରାଧ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଗାମୀ ୧୦ ଦିନ ଭିତରେ ସେ ତାଙ୍କର ପୂର୍ଣ୍ଣାଙ୍ଗ କମିଟି ଗଠନ କରିବେ ବୋଲି କହିଥିଲେ। ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସଂପାଦକ ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲାଖେ କହିଲେ ଯେ ଦେଶରେ ମହିଳାଙ୍କ ଉପରେ ଅପରାଧ ଯଥା: ଦୁର୍ଷ୍କମ, ନାବାଳିକାଙ୍କୁ ଯୌନ ନିର୍ଯାତନା, ପାରିବାରିକ ହିଂସା ଆଦି ଘଟଣାମାନ ବଢ଼ିଚାଲିଛି। ଓଡ଼ିଶାରେ ବି ଏହାର ମାତ୍ରା ଅଧିକ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ମୋଦୀ ସରକାର ବିଫଳ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଦୀର୍ଘ ବର୍ଷ ଧରି ରାଜ୍ୟରେ ମହିଳା କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। ଏଣୁ, ମହିଳା କଂଗ୍ରେସରେ ଅଧିକ ସଂଖ୍ୟକ ନୂଆ ନୂଆ ମହିଳା ଓ ଯୁବତୀମାନେ ଯୋଗଦେଲେ ଦଳ ସୁଦୃଢ଼ ହେବ। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଦେବା କଥା କେବଳ କଂଗ୍ରେସ ହିଁ ଚିନ୍ତା କରୁଛି ବୋଲି ସେ କହିଥିଲେ। ଏହି ଅବସରରେ ମୋଦୀ ସରକାରଙ୍କୁ ବି ସେ ଆକ୍ରମଣ କରିଥିଲେ। ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ମହିଳା ନେତ୍ରୀ ଓ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର