ନିର୍ବାଚନ ଲଢିବାକୁ ପାଣ୍ଠି ନାହିଁ ! ୪୫ ଦିନରେ ୫୦୦ କୋଟିର ଚାନ୍ଦା ଆଦାୟ କରିବ କଂଗ୍ରେସ

ନୂଆଦିଲ୍ଲୀ: ନିର୍ବାଚନ ଲଢିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ ! ଗତ କିଛି ମାସ ଧରି ଏଭଳି କହି ଆସୁଛି କଂଗ୍ରେସ ଦଳ । ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୬ ମାସର ସମୟ ରହିଛି । ଆଉ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଣ୍ଠି ଏକାଠି କରିବାରେ  ବ୍ୟସ୍ତ । ଆଉ ସବୁଠାରୁ ବଡ କଥା ହେଉଛି ପାଣ୍ଠି ଏକାଠି କରିବା ପାଇଁ କଂଗ୍ରେସ ଲୋକ ସମ୍ପର୍କ ଯାତ୍ରା ଆରମ୍ଭ କରିବାକୁ ଯାଉଛି । କଂଗ୍ରେସର ଏହି ଯାତ୍ରା ମହାତ୍ମା ଗାନ୍ଧିଙ୍କର ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ । ଆଉ ଏହି ଯାତ୍ରାରେ କଂଗ୍ରେସ ଚାନ୍ଦା ଜରିଆରେ ପାଣ୍ଠି ଏକାଠି କରିବ । ତେବେ ଜାଣନ୍ତୁ କିପରି କଂଗ୍ରେସ ଏକାଠି କରିବ ଟଙ୍କା।

ଲୋକ ସମ୍ପର୍କ ଯାତ୍ରା ଜରିଆରେ କଂଗ୍ରେସର ଉଦ୍ଦେଶ୍ୟ ୪୫ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ଏକାଠି କରିବା । ଆଉ ଏଥିରେ ପ୍ରଥମେ ଦଳର ସାଂସଦ ଏବଂ ବିଧାୟକ ନିଜର ଗୋଟିଏ ମାସର ଦରମା ଦଳକୁ ଦାନ କରିବେ । ଏହା ଛଡା ସାରା ଦେଶରେ ଥିବା ୧୦ ଲକ୍ଷ ବୁଥ୍ ମଧ୍ୟରୁ ପ୍ରତିଟି ବୁଥରେ ୫୦୦୦ ଟଙ୍କା ଜମା କରାଯିବ । କଂଗ୍ରେସର ସମସ୍ତ ଶାଖା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ମହିଳା କଂଗ୍ରେସ ଏହି ଅଭିଯାନକୁ ଆଗକୁ ବଢାଇବେ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସାମ୍ନାରେ ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରାଯାଇଛି। ଆଉ ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ୧୦୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି । ତେବେ ୨୦୧୮ ମେ ମାସରେ ଦଳ ପକ୍ଷରୁ ସୋସିଆଲ୍ ମିଡିଆରେ ନିବେଦନ କରାଯାଇଥିଲା ଯେ, ସେମାନେ ଦଳ ପାଇଁ ୨୫୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାନ କରନ୍ତୁ । ତେବେ କଂଗ୍ରେସ ପାଖରେ ସତରେ ଟଙ୍କା ଅଛି କି ନାହିଁ, ତାକୁ ନେଇ ଏବେ ସର୍ବସାଧାରଣରେ ଏକ ବଡ ପ୍ରଶ୍ନ ଉଠିଛି ।
ସମ୍ବନ୍ଧିତ ଖବର