କଂଗ୍ରେସ ପ୍ରତିଷ୍ଠା ଦିବସରେ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି : ଜାନୁଆରୀ ୯ରୁ ଆରମ୍ଭ ହେବ ପ୍ରଚାର ଅଭିଯାନ

ଭୁବନେଶ୍ବର : ୨୦୧୯ ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ କରିଛି ବଡ଼ ଯୋଜନା । ଠିକ୍ ଛତିଶଗଡ଼ର ବିଜୟ ଫର୍ମୁଲାକୁ ଆପଣାଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୯ ତାରିଖରୁ ଦଳ ହାଇପ୍ରୋଫାଇଲ୍ କ୍ୟାମ୍ପେନ୍ ଆରମ୍ଭ କରୁଥିବା ବେଳେ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡିଛି । ସେହିପରି ଚାଷୀଙ୍କ ପାଇଁ ଋଣଛାଡ଼ ଏବଂ ସାଧାରଣ ଜନତାଙ୍କ ହିତରେ କଂଗ୍ରେସ ନେଉଥିବା ପଦକ୍ଷେପ ସଂପର୍କରେ ଲୋକଙ୍କୁ ଅବଗତ କରିବାକୁ ଦଳର ପ୍ରତିଷ୍ଠା ଦିବସରେ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି ।

ଦଳର ୧୩୪ତମ ପ୍ରତିଷ୍ଠା ଦିବସରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏକ ବ୍ୟାପକ ଖସଡା ପ୍ରସ୍ତୁତ କରିଛି କଂଗ୍ରେସ । ତୃଣମୁଳ ସ୍ତରରେ ଦଳକୁ ମଜବୁତ କରିବାକୁ ଆହ୍ୱାନ ଦେବା ସହ ଛତିଶଗଡ଼ର ବିଜୟ ଫର୍ମୁଲାକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଇଛି ଦଳ । ଆଉ ଏଥିପାଇଁ ଆସନ୍ତା ମାସରୁ ଆରମ୍ଭ ହୋଇଯିବ କଂଗ୍ରେସର ହାଇପ୍ରୋଫାଇଲ କ୍ୟାମ୍ପେନ୍ ।

ଏହି ଅବସରରେ ୫୫୪ଟି ଜୋନର ସଭାପତିଙ୍କୁ ନେଇ ହୋଇଥିବା ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ପିସିସି ସଭାପତି । ଛତିଶଗଡ଼ରେ ଯେମିତି ଜିଲ୍ଲା ଅପେକ୍ଷା ଜୋନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା, ଠିକ୍ ସେହି ରଣନୀତିରେ ଲଢ଼େଇକୁ ଓହ୍ଲାଇବାକୁ ଯାଇଛି ଓଡ଼ିଶା କଂଗ୍ରେସ । ଏପଟେ ଦଳରେ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ପ୍ରସୟ ଦିଆଯିବ ନାହିଁ ବୋଲି ଖୋଲାଖୋଲି ନେତା ଓ କର୍ମୀଙ୍କୁ ଶୁଣାଇ ଦିଆଯାଇଛି । ସେହିପରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ମଜବୁତ ଥିବା ବେଳେ ଉପକୂଳ ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଛି । ଆଉ ଏସବୁ ଭିତରେ ବିଜୁ ଯୁବ ବାହିନୀକୁ ଅଟକାଇବାକୁ ଉଦ୍ୟମ କରିବା ସହ ବିଜେଡି ଓ ବିଜେପିର ରଣନୀତିକୁ ପ୍ରତିହତ କରିବା ପାଇଁ କଂଗ୍ରେସ ପ୍ରତିଷ୍ଠା ଦିବସରେ ରଣନୀତି ପ୍ରସ୍ତୁତ ହୋଇଛି ।

ସମ୍ବନ୍ଧିତ ଖବର