ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇ ଦଳକୁ ଆସ୍କା ଲୋକସଭା ଆସନ ରାଜ୍ୟ କଂଗ୍ରେସ ଦଳ ଛାଡ଼ିଦେବ। ଏଥି ପାଇଁ କଂଗ୍ରେସ ଦଳ ଆପାତତଃ ରାଜି। ଏ ନେଇ ପୂର୍ବରୁ ଏକ ପ୍ରକାର ସବୁଜ ସଂକେତ ମିଳିସାରିଛି। ସେହିପରି ୪ରୁ ୭ଟି ବିଧାନସଭା ଆସନରେ ସିପିଆଇ ସହିତ ଆସନ ବୁଝାମଣା କରିପାରେ କଂଗ୍ରେସ। ଏଥିମଧ୍ୟରୁ କିଛି ଆସନ ନେଇ ବୁଝାମଣା ହୋଇପାରି ନାହିଁ। ଅତି ବେଶିରେ ୫ଟି ବିଧାନସଭା ଆସନ ସିପିଆଇକୁ ଛାଡ଼ିପାରେ କଂଗ୍ରେସ। ଏ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁୂ ବାକି ରହିଛି ଚୂଡ଼ାନ୍ତ ନିଷ୍ପତ୍ତି।

Advertisment

ଆଜି ପ୍ରଦେଶ କଂଗ୍ରେସ ମେଣ୍ଟ କମିଟି ମୁଖ୍ୟ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନ‌େର କଂଗ୍ରେସ ଓ ବାମପନ୍ଥୀ ସିପିଆଇ ଦଳ ମଧ୍ୟରେ ଆସନ ବୁଝାମଣା ବୈଠକ ବସିଥିଲା। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ମେଣ୍ଟ କମିଟି ସଦସ୍ୟ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ ଯୋଗ ଦେଇଥିଲେ। ସିପିଆଇରରୁ ଯୋଗ ଦେଇଥିଲେ ବରିଷ୍ଠ ନେତା ଦିବାକର ନାୟକ, ରାମକୃଷ୍ଣ ପଣ୍ଡା, ଆଶିଷ କାନୁନ୍‌ଗୋ, ଅଭୟ ସାହୁ, ପ୍ରଶାନ୍ତ ମିଶ୍ର। ବୈଠକରେ ଆସ୍କା ଲୋକସଭା ଆସନ ସହିତ ଛତ୍ରପୁର, ବୌଦ୍ଧ, ବ୍ରଜରାଜନଗର, ଚିତ୍ରକୋଣ୍ଡା, ସୁନ୍ଦରଗଡ଼, ଜୁନାଗଡ଼ ଓ ବାଲିକୁଦା-ଏରସମା ଆସନ ଆଦି ୭ଟି ବିଧା‌ନସଭା ନିର୍ବାଚନ ମଣ୍ଡଳୀ ଛାଡ଼ିଦେବା ପାଇଁ ସିପିଆଇ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଆସନରେ ଦଳର ସାଂଗଠନିକ ସ୍ଥିତି ସଂପର୍କରେ କଂଗ୍ରେସ ଦଳ ନେତାମାନଙ୍କୁ ଅବଗତ କରାଯାଇଥିଲା।

ଏହି ଆଲୋଚନା ସଂପର୍କରେ ମେଣ୍ଟ କମିଟି ମୁଖ୍ୟ ଶ୍ରୀ ମିଶ୍ର କହିଲେ ଯେ ଆଲୋଚନାରେ ଅଗ୍ରଗତି ହୋଇଛି। ଏଥିରେ ସେ ସନ୍ତୁଷ୍ଟ। ତେବେ କୌଣସି ନିର୍ଦିଷ୍ଟ ଆସନ ନେଇ ବୁଝାମଣା ଚୂଡ଼ାନ୍ତ ହୋଇନାହିଁ। କଂଗ୍ରେସ ଦଳର ନିର୍ବାଚନ କମିଟିରେ ଏହି ଆଲୋଚନାର ବିବରଣୀ ଉପସ୍ଥାପନ କରାଯିବ। ଆସନ୍ତା ୬ ତାରିଖରେ କମିଟିର ପରବର୍ତୀ ବୈଠକ ବସିବ। ସେହି ବୈଠକ ନିର୍ଣ୍ଣାୟକ ହୋଇପାରେ ବୋଲି ସେ କହିଥିଲେ। ଅନୁରୂପ ଭାବେ ଆସନ୍ତାକାଲି ସିପିଆଇ ତରଫରୁ ଏହି ଆଲୋଚନାର ବିବରଣୀ ନେଇ ଦଳୀୟ କାର୍ଯ୍ୟକାରୀ କମିଟିରେ ଆଲୋଚନା ହେବ। ଏହି ବୈଠକ ପରିପ୍ରେକ୍ଷୀରେ ଉଭୟ ଦଳ ନିଜ ନିଜ ଦଳୀୟ କର୍ମକର୍ତାମାନଙ୍କ ସହିତ ବସି ନିର୍ଦିଷ୍ଟ ଆସନ ସଂପର୍କରେ ନିଷ୍ପତ୍ତି ନେବେ। ଆଜି ଉଭୟ ସିପିଆଇ ଓ ସିପିଆଇ(ଏମ୍‌) ସହିତ କଂଗ୍ରେସ ଦଳର ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସିପିଆଇ(ଏମ୍‌) ନେତା ଭୁବନେଶ୍ବରରେ ନ ଥିବାରୁ ଏହି ବୈଠକକୁ ଆସନ୍ତା ୫ ତାରିଖକୁ ଘୁଞ୍ଚିଛି। ସେହିଦିନ ଝାଡ଼ଖଣ୍ଡ ମୁକ୍ତିମୋର୍ଚା(ଜେଏମ୍‌ଏମ୍‌) ସହିତ ମଧ୍ୟ ଆସନ ବୁଝାମଣା ନେଇ ବୈଠକ ହେବ ବୋଲି ମେଣ୍ଟ କମିଟି ମୁଖ୍ୟ ଶ୍ରୀ ମିଶ୍ର କହିଥିଲେ।