ଦାମ ଓ ବିଷ୍ଣୁଙ୍କୁ ଭିତରେ କଥା କଟାକଟି: ପରସ୍ପର ଉପରେ ବର୍ଷିଲେ

ଭୁବନେଶ୍ବର:  ପୁଣି ଶୁଣିବାକୁ ମିଳିଛି  ଜଗତସିଂହପୁର ଜିଲ୍ଲାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବାକଯୁଦ୍ଧ। ଦାମ ବିଜେପିରେ ମିଶିବା ପରେ ବାଲିକୁଦା ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା କଥା କହିବା ପରେ ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ଦାମଙ୍କ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହାପରେ ଦାମ ଓ ବିଷ୍ଣୁଙ୍କୁ  ଭିତରେ ଆରମ୍ଭ ହୋଇଛି କଥା କଟାକଟି।

ବିଷ୍ଣୁଙ୍କ ଚାଲେଞ୍ଜ  ପରେ ଦାମ  କହିଛନ୍ତି, ବିଷ୍ଣୁ ଦାସଙ୍କୁ ମୁଁ ରାଜନୀତିକୁ ଆଣିଥିଲି । ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ  । ଏପରିକି ସାଧାରଣ ଜୀବନରେ ବିଷ୍ଣୁ ଜଣେ ଅବାଂଛିତ ବ୍ୟକ୍ତି ଏବଂ ବଂଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିପାରିବେନି । ତାଙ୍କ ଦଳରୁ ସେ ଲଢିବେ । ଏଥିରେ ମୋର କିଛି ଆପତ୍ତି ନାହିଁ କିନ୍ତୁ ସେ ଭୋଟ ପାଇବେନି ବୋଲି ବିଷ୍ଣୁଙ୍କୁ ତାତ୍ସଲ୍ୟ କରିଛନ୍ତି ଦାମ ରାଉତ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ଦାମଙ୍କ ବିରୋଧରେ ସେ ଲଢିବାକୁ ପ୍ରସ୍ତୁତ ବୋଲି ବିଷ୍ଣୁ ବୟାନ ଦେଇଥିଲେ । ବିଜେପିରେ ଦାମ ସାମିଲ ହେବା ପରେ ଏଭଳି ଚାଲେଞ୍ଜ ମାରିଛନ୍ତି ବିଷ୍ଣୁ ଦାସ । ଦାମଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ବିଷ୍ଣୁ ଦାସ ସମାଲୋଚନା କରି କହିଛନ୍ତି ଦାମ ଶୁଖିଲା ପଦ୍ମନାଡ ଧରି ବଙ୍ଗୋପସାଗରରେ ଉବୁଟୁବୁ ହୋଇ ବୁଡି ଯିବେ । ଏପରିକି ଦାମଙ୍କୁ ସେ କେବେ ନିଜ ପ୍ରତିଦ୍ୱନ୍ଦ୍ବୀ ଭାବନ୍ତି ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ଯଦି ଆସ୍ଥାପ୍ରକଟ କରନ୍ତି ତେବେ ଦାମଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ବୋଲି ବିଷ୍ଣୁ କହିଛନ୍ତି । ବିଜେପି ବାଲା ଦଳିତଙ୍କ ଘରେ ଖାଉଛନ୍ତି, ଦାମ ଜାତିଆଣ ମନ୍ତବ୍ୟ ଦେଉଥିବା ବେଳେ ତାଙ୍କୁ କିପରି ଆପଣେଇ ନେଲେ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ଦାସ।

ସମ୍ବନ୍ଧିତ ଖବର