ପୁଣି ମହାରଥୀଙ୍କୁ ଟାର୍ଗେଟ କଲେ ଦାମ, କହିଲେ, ‘ମନ୍ତ୍ରୀ ପଦ ଯିବା ପଛରେ ମହାରଥୀଙ୍କ ହାତ ! ମହାରଥୀଙ୍କ ଅମଳରେ ହୋଇଛି ସବୁ ଦୁର୍ନୀତି’

ଭୁବନେଶ୍ୱର: ଆଜି ଓମଫେଡ ଦୁର୍ନୀତିକୁ ନେଇ ପୁଣି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଡା.ଦାମୋଦର ରାଉତ । ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ମହାରଥୀଙ୍କ ଅମଳରେ ସବୁ ଦୁର୍ନୀତି ହୋଇଥିବା କହିଛନ୍ତି ଦାମୋଦର ରାଉତ । ଗତକାଲି ଚାରା ଦୁର୍ନୀତିକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଜି ଓମଫେଡରେ ଦୁର୍ନୀତି ଅଭିଯୋଗ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ ।

ଦାମ କହିଛନ୍ତି ଯେ, ଓମଫେଡ୍ ମିଲ୍କ ପାଉଚ୍ ପାଇଁ ଯେଉଁ ପଲିଥିନ୍ ବ୍ୟବହାର ହୁଏ ସେଥିରେ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଯେଉଁଥି ପାଇଁ ଓମଫେଡ ଏମଡି ଭିଜିଲାନ୍ସ ତଦନ୍ତ ପାଇଁ ଚିଠି ଲେଖିଥିଲେ । ସେତେବେଳେ କାହିଁକି ଭିଜିଲାନ୍ସ ତଦନ୍ତ ପାଇଁ ଦିଆଗଲା ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଜାରି କରାଗଲା । ତଦନ୍ତ ପରେ ଏମଡିଙ୍କୁ ବଦଳି କରାଗଲା ଏବଂ ଯାହାଙ୍କ ସମୟରେ ଦୁର୍ନୀତି ହୋଇଥିଲା ତାଙ୍କୁ ପୁର୍ନବାର ପଦବିରେ ବସାଗଲା । ଶେଷରେ ତାଙ୍କ ସପକ୍ଷରେ ତଦନ୍ତ ରିପୋର୍ଟ ଆସିଲା । ଏହା ପଛରେ କିଏ ଗଡ ଫାଦର ବୋଲି ପ୍ରଶ୍ନ କରିଛନ୍ତି ଦାମ?

Odisha Samaya

ସେପଟେ ଦାମଙ୍କ ଅଭିଯୋଗରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ମହାରଥୀ କହିଛନ୍ତି ଯେ, ମୁଁ କ’ଣ ପାଇଁ ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ ଭାଗିଦାର ହେବି? ତେଣୁ ଯଦି ଦାମ ବାବୁ ଏମିତି କିଛି କହିଥିବେ ତାହା ତାଙ୍କ ଉଦ୍ଭଟ ଚିନ୍ତା ଧାରା । ଓମଫେଡ ଏକ ସ୍ୱୟଂ ଚାଳିତ ସଂସ୍ଥା, ନିଜ ନିଷ୍ପତ୍ତି ନିଜେ ନିଅନ୍ତି ତେଣୁ , ଯଦି କିଛି ଦୁର୍ନୀତି ହୋଇଥିବା ବିଧାନସଭା ପରେ ପରେ ମୁଁ ନିଜେ ତାହାର ତର୍ଜମା କରିବି। କଳିଯୁଗରେ ଏମିତି କେହି ସତୀ ନାହିଁ ଯେ ଲାଞ୍ଚ ଯାଚିଲେ ନେବ ନାହିଁ ବୋଲି କହି ଦାମଙ୍କ କୋର୍ଟକୁ ବଲ ଫିଙ୍ଗିଚନ୍ତି ପ୍ରଦୀପ ମହାରଥୀ ।

ସମ୍ବନ୍ଧିତ ଖବର