ନୂଆ ଦଳ ଗଢ଼ିବାକୁ ବୈଜୟନ୍ତ ରାଜି: ଦାମ ରାଉତ

କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକରେ ଯୋଗଦେଲେ ବିଜେଡିରୁ ବହିଷ୍କୃତ ଦାମ

ଭୁବନେଶ୍ୱର: ନୂଆ ଦଳ ଗଢ଼ିବାକୁ ସାଂସଦ ବୈଜୟନ୍ତ ପଣ୍ଡା ରାଜି ବୋଲି ବିଜୁ ଜନତା ଦଳରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମଙ୍ଗଳବାର କହିଛନ୍ତି। କଂଗ୍ରେସ ଭବନରେ ଦାମ କହିଛନ୍ତି, ରାଜ୍ୟରେ ଆଉ ଏକ ଦଳ ଗଠନ ହେବା ଦରକାର ଅଛି। ମାଲଦାର ଲୋକମାନେ ଧରାଦେଇ ଖସି ଯାଉଛନ୍ତି ବୋଲି ସେ କହିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଦାମ ରାଉତ ଆଜି କଂଗ୍ରେସ ଭବନ ପହଞ୍ଚିଥିଲେ। ଦାମ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପାଖରେ ବସି କିଛି ସମୟ କଥା ହୋଇଥିଲେ। ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତଙ୍କ କଂଗ୍ରେସ ଭବନ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କଂଗ୍ରେସ ଭବନରେ ଆୟୋଜିତ ସର୍ବଦଳୀୟ କାର୍ଯ୍ୟକ୍ରମରେ ଦାମଙ୍କ ଗସ୍ତକୁ ରାଜନୈତିକ ସମୀକ୍ଷକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦାମଙ୍କ ଏହି ଗସ୍ତକୁ ନେଇ ନୂଆ ନୂଆ ସମୀକରଣ ମଧ୍ୟ ସାମ୍ନାକୁ ଆସୁଛି। କାରଣ ଅଣକଂଗ୍ରେସ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଦାମ ବିଜେଡିରୁ ବହିଷ୍କାର ହେବା ପରେ ନିଜର ପରବର୍ତ୍ତୀ ରାଜନୈତିକ ଭବିଷ୍ୟତ ପାଇଁ ଏକ ପ୍ରଭାବୀ କ୍ୟାମ୍ପର ଆବଶ୍ୟକ ମଧ୍ୟ କରୁଛନ୍ତି। ଯାହା ସହାୟତାରେ ବିଜେଡି ବିରୋଧରେ ଲଢିବା ହୁଏତ ତାଙ୍କୁ ସହଜ ହୋଇପାରେ।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତ କୌଣସି ଦଳରେ ଯୋଗ ମଧ୍ୟ ଦେଇନାହାନ୍ତି। ତେଣୁ ଦାମଙ୍କ ଏହି କଂଗ୍ରେସ ଭବନ ଗସ୍ତ ପରେ ରାଜ୍ୟ ରାଜନୀତିର ପାରା ମଧ୍ୟ ବଢିଯାଇଛି।

ସମ୍ବନ୍ଧିତ ଖବର