ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଜାରି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ପ୍ରଥମେ କୁହାଗଲା, ଉଦ୍ୟାନ କୃଷି ବିଭାଗରେ ଦୁର୍ନୀତି ସଂକ୍ରାନ୍ତରେ ଖୋଳତା଼ଡ଼ କଲେ ବୋଲି ମନ୍ତ୍ରୀ ପଦରୁ ଡାକ୍ତର ଦାମୋଦର ରାଉତଙ୍କୁ କାଢ଼ି ଦିଆଗଲା। ବିରୋଧୀ ବିଜେପି ଏ ପ୍ରସଙ୍ଗରେ ଟିପ୍ପଣୀ ଦେବାକୁ ପଛାଇଲା ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏ ସଂପର୍କରେ କଟାକ୍ଷ କରିଥିଲେ। ହେଲେ ମୁହଁ ଖୋଲିନଥିଲେ ଡାକ୍ତର ରାଉତ।
ବ୍ରାହ୍ମଣଙ୍କୁ ଭିକମଗା କଥା କହି ମନ୍ତ୍ରୀପଦ ହରାଇବାର ପ୍ରାୟ ମାସେ ପରେ ଡାକ୍ତର ରାଉତ ଆଜି ନିଜର ‘ସଞ୍ଚାର’ ଖବରକାଗଜରେ ସୂଚାଇଛନ୍ତି, ତିନି ଯୁବ ନେତା ତାଙ୍କ ମନ୍ତ୍ରୀ ପଦ ଯିବା ପଛର ମୁଖ୍ୟ ଖଳନାୟକ। ହେଲେ ନିର୍ଦିଷ୍ଟ କେଉଁ ତିନି ଯୁବ ନେତା ଷଡ୍ଯନ୍ତ୍ର କରିଥିଲେ, ସେମାନଙ୍କ ନାଁ କିନ୍ତୁ କହିନାହାନ୍ତି ପୂର୍ବତନ ମନ୍ତ୍ରୀ। ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଦଳ ଭିତରେ ଟଣାଓଟରା ଚାଲିଥିବା ବେଳେ ଡାକ୍ତରଙ୍କ ଏହି ଗୁଗ୍ଲିକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ କମ୍ପନ ସୃଷ୍ଟି ହେଲାଣି।
ଡାକ୍ତର ରାଉତ ଏଥିରେ ଦର୍ଶାଇଛନ୍ତି, ବେଳେବେଳେ ଅନୁଭବର ଅନୁଭୂତି ଦୁଃଖ, ଅନୁଶୋଚନା ଏବଂ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ନେଇଆସେ। ସେମିତି ଏକ ତିକ୍ତ ଅନୁଭୂତିକୁ ସେ ଏବେ ସାମ୍ନା କରୁଛନ୍ତି। ମାତ୍ର ଏହି ତିକ୍ତ ଅନୁଭୂତିକୁ ବିସ୍ତାରିତ ଭାବେ ଦୁନିଆ ସାମ୍ନାରେ ପ୍ରକାଶ କରିବାକୁ ସ୍ୱତଃ ପ୍ରୟାସ କରିପାରୁ ନାହାନ୍ତି, କାରଣ ମନରେ ଆଶଙ୍କା ଉପୁଜୁଛି କାଳେ ତାଙ୍କର ତିକ୍ତ ଅନୁଭୂତିକୁ ଶୁଣିଲେ ତାଙ୍କ ଘର ଉଜୁଡିଯିବ। ତାଙ୍କ ଘରକୁ ସେ ଭଲପାଆନ୍ତି। ତାଙ୍କ ଘରର ମୁରବିଙ୍କ ମନରେ ଦୁଃଖହେବ। ଅଶୁଭ କାମନା କରିବା କିମ୍ବା ତାଙ୍କର ମୁରବିତ୍ୱ ଉପରେ ଆଞ୍ଚ ଆଣିବା ପାଇଁ ତାଙ୍କ ବିବେକ ବାଧା ଦେଇଥାଏ ବୋଲି କହିଛନ୍ତି ଡାକ୍ତର ରାଉତ।
ସାତ ସାତଥର ବିଧାୟକ ହୋଇଥିବା ଏହି ଅଭିଜ୍ଞ ରାଜନେତା ଆହୁରି କହିଛନ୍ତି, ମନ୍ତ୍ରୀ ପଦ ଯିବା ନେଇ ସେ ଆଦୌ ଦୁଃଖିତ କିମ୍ବା ବିଚଳିତ ନୁହନ୍ତି। କାରଣ ତାଙ୍କର ଘର ହେଉଛି ବିଜୁ ଜନତା ଦଳ। ତାଙ୍କ ଘରର ମୁରବି ହେଉଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ସେ ମନ୍ତ୍ରୀ ହୋଇଥିଲେ, ତାଙ୍କ ଇଚ୍ଛାରେ ମନ୍ତ୍ରିମଣ୍ଡଳରୁ ଅନ୍ତର ହେବାରେ ସେ ଦୁଃଖିତ ନୁହନ୍ତି। କାରଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ତାଙ୍କର ସାମ୍ବିଧାନିକ ଅଧିକାର ନୁହେଁ। କିନ୍ତୁ ଅନୁଭବର ତିକ୍ତ ଅନୁଭୂତିକୁ ପ୍ରକାଶ କଲେ ବିଭିନ୍ନ ସ୍ତରରେ ଭୁଲ ବୁଝାମଣା ସୃଷ୍ଟି ହେଉଥିବାରୁ, ଏ ଅନୁଭୂତିକୁ ସେ ଏଠାରେ ବ୍ୟକ୍ତ କରିବାକୁ ଉଚିତ ମନେକରିଥିବା ସେ ଜଣାଇଛନ୍ତି। ଏଥିସହିତ ବିନା ତଦନ୍ତରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଏହି ଉପାୟରେ ପ୍ରତିବାଦ କରିଛନ୍ତି।
କେଉଁ ନେତାଙ୍କ ଲାଗି ଦାମ ତାଙ୍କ ମନ୍ତ୍ରୀ ପଦ ହରାଇଲେ, ସର୍ବୋପରି କିଏ ଖଳନାୟକ ସାଜିଥିଲେ, ସେ ନେଇ ଏକାଧିକ ନାମର ଚର୍ଚ୍ଚା ଚାଲିଛି। ଏହା ଆସନ୍ତା ଦିନରେ ପୁଣି ଥରେ ବିସ୍ଫୋରକ ମୋଡ଼ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଏପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦଳ ଭିତରେ ସଜବାଜ ଚାଲିଛି। ପ୍ରତିଦିନ ଗୋଟିଏ ଗୋଟିଏ ବ୍ଲକର ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବିରୋଧରେ ଫେରାଦ ହେଉଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ଦାବି କରି କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚାପ ରଖୁଛନ୍ତି। ଏହି କ୍ରମରେ ଆଜି ପଟ୍ଟାମୁଣ୍ଡାଇ ଓ ରାଜନଗର ନେତାମାନେ ମୁଖିଆଙ୍କୁ ଭେଟିଥିଲେ। ସେହିଭଳି ବିଜେପି ଜିଲ୍ଲା ସଭାପତି ଧ୍ରୁବ ସାହୁ ମଧ୍ୟ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜଣାଇଛନ୍ତି। ଏକାଧିକ ଉଦାହରଣ ସାମ୍ନାକୁ ଆଣି ସୁପ୍ରିମୋଙ୍କୁ ବୁଝାଇବାକୁ ଚାହିଁଛନ୍ତି ଯେ ସାଂସଦ ବିଜେଡି ସ୍ୱାର୍ଥ ସହିତ ଆଉ ପ୍ରାୟ ନାହାନ୍ତି। ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ଚିିରାଚରିତ ଢଙ୍ଗରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କଥା କହି ସଙ୍କେତ ଦେଇଛନ୍ତି ଯେ ସେ ରିପୋର୍ଟକୁ ଅପେକ୍ଷା କରୁଛନ୍ତି।