ଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କ ଦମ୍ଭୋକ୍ତି : ପୁଅ,ଝିଅ କାହା କଥା ଶୁଣିବି ନାହିଁ, ପକେଇବା ଛେପ ଢ଼ୋକିବି ନାହିଁ

ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି। ବିଜୁ ଜନତା ଦଳରୁ ତଡା ଖାଇବା ପରେ ଦାମବାବୁ ନିଜର ନୂଆ ଦଳ ବିଜୁ ସମନ୍ତା କ୍ରାନ୍ତି ଗଢିଥିଲେ। କିନ୍ତୁ ଏବେ ସେ ପଦ୍ମ ଧରିବେ ବୋଲି ଜୋର ଚର୍ଚ୍ଚା। ଗତ ସପ୍ତାହରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ବିଜେପିରେ ଯୋଗ ଦେବା ନିଶ୍ଚିତ ଜଣାପଡୁଥିଲା। ମାତ୍ର ଏହା ଚୂଡ଼ାନ୍ତ ହୋଇ ପାରି ନଥିଲା। ଆଜି ପୁଣି ଦାମ ଦିଲ୍ଲୀ ଯାତ୍ରା କରିଛନ୍ତି। ଆଲୋଚନା ହେଉଛି କି ଦାମ ବିଜେପିରେ ଯୋଗ ଦେବେ।

ଅନ୍ୟପକ୍ଷରେ ଆଜି ତାଙ୍କର ପୁଅ ସମ୍ବିତ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପାରାଦ୍ୱୀପରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହ ଦେଖାଇଛନ୍ତି। ଏ ପରିପ୍ରେକ୍ଷୀରେ ସାମ୍ବାଦିକମାନେ ନୂଆଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଦାମଙ୍କ ଉତ୍ତର ବେଶ କଡ଼ା ଥିଲା। ସେ କହିଥିଲେ ‘ମୁଁ କାହା କଥା ଶୁଣିବି ନାହିଁ। ପୁଅ-ଝିଅଙ୍କ କଥା ବି ନୁହେଁ। ମୋର ୪୦ ବର୍ଷର ରାଜନୀତିକୁ ଗୋଟିଏ ମିନିଟ୍‌ରେ ଶେଷ କରାଯାଇଛି। ମୋତେ ନିନ୍ଦିତ କରାଯାଇଛି ମାନେ ମୁଁ ନିନ୍ଦିତ କରିବି। ପକେଇବା ଛେପ ମୁଁ ଢୋକିବି ନାହିଁ।

ଦାମଙ୍କ ଉତ୍ତର ସୂଚିତ କରୁଛି କି ସେ ହୁଏତ ସମ୍ବିତଙ୍କ ଲାଗି ବିଜେପିରେ ଯୋଗ ନ ଦେଇ ଚୁପ୍‌ ରହିବା ମୁଡରେ ନାହାନ୍ତି। ଦାମ ନିର୍ବାଚନ ଲଢିବା ଜୋଶ୍‌ରେ ଅଛନ୍ତି। ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଦେଇପାରେ ବିଜେଡି । ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଆଉ ଯଦି ଦାମ ନିଜେ ନିର୍ବାଚନ ଲଢିବା ପାଇଁ ସ୍ଥିର କରନ୍ତି, ତେବେ ନିର୍ବାଚନରେ ବାପ-ପୁଅଙ୍କ ଲଢେଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର