ଦାମ-ସୂର୍ଯ୍ୟ କଳି

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲା ପରେ ଦାମୋଦର ରାଉତଙ୍କ ସହ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ କଥା କଟାକଟି ରାଜ୍ୟ ରାଜନୀତିକୁ ସରଗରମ କରୁଛି। ଏକଦା ଘନିଷ୍ଠ ସହଯୋଗୀ ଥିବା ଏହି ନେତାମାନେ ଏବେ ପରସ୍ପରର ଗୋହି ଖୋଳିବାରେ ଲାଗିଛନ୍ତି। ଆଜି ବିଧାନସଭା ପରିସରରେ ଗୃହ ମୁଲତବୀ ଥିବା ସମୟରେ ଗଣମାଧ୍ୟମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ଦାମଙ୍କ ମଧ୍ୟରେ କଥା କଟାକଟି ହୋଇଛି।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଦାମ ବାବୁ ନିଜକୁ ସଚ୍ଚୋଟ ବୋଲି ଦେଖାଇ ହେଉଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ। ରାଉରକେଲାରେ କ୍ଷୁଦ୍ର ଶିଳ୍ପର ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ୨୦୧୪ରେ ପାରାଦୀପକୁ ସ୍ଥାନାନ୍ତର ହୋଇଥିଲା। ପାରାଦୀପରେ ଦାମ ବାବୁଙ୍କ ଜ୍ୱାଇଁଙ୍କ ଘରେ ତାହା ଭଡ଼ାରେ ଚାଲିଲା। ସେଥିପାଇଁ ୫୦ ହଜାର ଟଙ୍କା ଭଡ଼ା ଆକାରରେ ସେ ନେଉଛନ୍ତି। ଇଫ୍‌କୋ କମ୍ପାନିରେ ତାଙ୍କ ପୁଅର କମ୍ପାନି ଜରିଆରେ ସମସ୍ତ ଗାଡ଼ି ଭଡ଼ାରେ ଦେଇ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ପାଉଛନ୍ତି। ତାଙ୍କର ଗ୍ୟାଙ୍ଗଷ୍ଟର୍‌ ଟିଟୋ ସହ ସମ୍ପର୍କ ରହିଛି। ବିଭିନ୍ନ ସମୟରେ ଜାତିଗତ ଭେଦଭାବ ସୃଷ୍ଟି କରି ନିଜକୁ ନିଜେ ମିଡିଆ ଆଗରେ ପ୍ରତିଷ୍ଠିତ କରାଇବାକୁ ଉଦ୍ୟମ କରୁଛନ୍ତି।

ଶ୍ରୀ ପାତ୍ର ଆହୁରି କହିଛନ୍ତି, ଦାମ ବାବୁ ସମବାୟ ବିଭାଗରେ ଘୋଟାଲା କଥା କହୁଛନ୍ତି। ଯଦି ତାଙ୍କ କଥା ଅଫିସର୍‌ ଶୁଣିଲେନି, ତେବେ ସେ ସଂପୃକ୍ତ ଅଫିସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥା’ନ୍ତେ। ଯଦି ସେ ନିଜେ ଠିକ୍‌ ଥିଲେ, ତେବେ ସଙ୍ଗେ ସଙ୍ଗେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗଣମାଧ୍ୟମରେ କହିପାରିଥା’ନ୍ତେ। ତାହା ନ କରି ମନ୍ତ୍ରୀ ପଦ ଦୁଇ ବର୍ଷ କାହିଁକି ମାଡ଼ି ବସୁଥିଲେ ? ଯେଉଁ ଦିନ ପର୍ଯ୍ୟନ୍ତ ସେ ଦଳରେ ଥିଲେ କହୁଥିଲେ ଯେ ମୁଖ୍ୟମନ୍ତ୍ରୀ ସଚ୍ଚୋଟ ଓ ଭଲ ଲୋକ। ଯେବେ ସେ ବହିଷ୍କୃତ ହୋଇଗଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଖରାପ ହୋଇଗଲେ।

ତେବେ ସୂର୍ଯ୍ୟଙ୍କୁ ଜବାବ ଦେବାକୁ ଯାଇ ଦାମ କହିଛନ୍ତି, ସୂର୍ଯ୍ୟ ପାତ୍ର ସମ୍ପତ୍ତି ପାଇଁ ସବୁ କରିପାରନ୍ତି। ସେ ଏବେ ଗଡ୍‌ ଫାଦର୍‌ଙ୍କୁ ପୂଜା କରୁଛନ୍ତି। ତାଙ୍କ କଥାର କିଛି ମୂଲ୍ୟ ନାହିଁ। ପାରାଦୀପରେ ମୋ ଜ୍ୱାଇଁର ଘର ଭଡ଼ା ଲାଗିବା ଦୂରର କଥା। ପାରାଦୀପରେ ଜ୍ୱାଇଁର ଘର ଅଛି ବୋଲି ସୂର୍ଯ ପାତ୍ର, ତାଙ୍କ ବାପା ଓ ଅଜା ପ୍ରମାଣ କରିବାକୁ ମୁଁ ଆହ୍ଵାନ ଦେଉଛି। ମୋର ନିଜର କିଛି କମ୍ପାନି ନାହିଁ। ଆଉ ମୋ ପୁଅ ଇଫ୍‌କୋ କମ୍ପାନିକୁ ଦୁଇ ଚାରି ଥର ଯାଇଥିବ କି ନାହିଁ, ସନ୍ଦେହ। ସୂର୍ଯ୍ୟ ପାତ୍ର ବୋଧେ ନିଜ ପୁଅକୁ ଲକ୍ଷ୍ୟ କରି ଏମିତି କହୁଥିବେ। ତାଙ୍କର କେତେ ଘର ଓ ପ୍ଲଟ୍‌ ଅଛି, ତାହାର ହିସାବ ନାହିଁ। ସମ୍ପତ୍ତି ପାଇଁ ସେ କ’ଣ କ’ଣ ତ୍ୟାଗ କରିପାରନ୍ତି, ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। ସେ ଜଣେ ମଣିଷ ଭାବେ ଗଣାଯାଆନ୍ତିନି। ସେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ। ତାଙ୍କ ସହ ଜଣେ ଭଦ୍ର ଲୋକ କଥା ହୋଇପାରିବେନି। ଯଦି ମୁଁ ମନ୍ତ୍ରୀ ଥିଲା ବେଳେ ଦୁର୍ନୀତି ଓ ଅନିୟମିତତା କରିଥିଲି, ତେବେ ତାହା ସବୁ ଫାଇଲ୍‌ରେ ଥିବ। ଏବେ ସେହି ଫାଇଲ୍‌ ଖୋଲି ମୋ ବିରୋଧରେ ସରକାର ତଦନ୍ତ କରାନ୍ତୁ ବୋଲି ଦାମ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର