ନୂଆ ଦଳ ଗଠନ ଘୋଷଣା କଲେ ଦାମ, ନାମ ରହିଲା ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ବର : ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ଆଜି ଆରମ୍ଭ କରିଛନ୍ତି ଏକ ନୂଆ ରାଜନୈତିକ ଇନିଂସ। ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ବିଜେଡିରୁ ତଡ଼ା ଖାଇବା ପରେ ଦୁଇ ପୂର୍ବ ବିଜେଡି ନେତାଙ୍କୁ ସାଥି କରି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ସମତା କ୍ରାନ୍ତି ଦଳର ଦୁଇ ଛାମୁଆ ନେତା ବ୍ରଜ କିଶୋର ତ୍ରିପାଠୀ ଓ ଯଜ୍ଞେଶ୍ବର ବାବୁଙ୍କ ଉପସ୍ଥିତିରେ ନୂତନ ଦଳର ଘୋଷଣା କରାଯାଇଛି।

ଶୁକ୍ରବାର ମଧ୍ୟାହ୍ଣରେ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଗଠନ ବିଷୟରେ ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଡା.ଦାମୋଦର ରାଉତ। ତାଙ୍କ ନୂଆ ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରହିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଦାମ । ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ବିଜୁଙ୍କ ନାମ ଅନୁସାରେ ଦଳ ଗଠନ କରିଛନ୍ତି।

ଡା.ରାଉତ ଓ ବ୍ରଜ କିଶୋର ତ୍ରିପାଠୀ ମିଳିତ ଭାବେ ଏ ନେଇ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ଏଥିରେ  ଓଡ଼ିଶାବାସୀଙ୍କୁ ଏକ ରାଜନୈତିକ ବିକଳ୍ପ ଦେବା ଲାଗି ଏହା ଏକ ଉଦ୍ୟମ ବୋଲି କୁହାଯାଇଛି। ଦାମ ଅଭିଯୋଗ କରିଛନ୍ତି କି ବିଜେଡି ଶାସନର ବିଷବଳୟରେ ଓଡ଼ିଶାବାସୀ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ସେମାନଙ୍କୁ ବିକଳ୍ପ ଲୋଡ଼ା।

ପୂର୍ବତନ ସାଂସଦ ତଥା ନିଜକୁ ବିଜୁପନ୍ଥୀ କହୁଥିବା ବୈଜୟନ୍ତ ପଣ୍ଡା ନୂଆ ଦଳରେ ସାମିଲ ହୋଇନାହାନ୍ତି । ପ୍ରାଥମିକ ଭାବେ ବୈଜୟନ୍ତ ପଣ୍ଡା, ପ୍ରଫୁଲ ଘଡେଇ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାଙ୍କୁ ସାଙ୍ଗରେ ନେଇ ନୂଆ ଦଳ ଗଠନ କରିବେ ବୋଲି କହିଥିଲେ ଦାମ । ତେବେ ଏକଥାକୁ ଖଣ୍ଡନ କରିଥିଲେ ତିନି ନେତା ।

ନିଜର ବେଲଗାମ ତୁଣ୍ଡ ଲାଗି ବାରମ୍ବାର ବିଜେଡିରେ ଦଣ୍ଡିତ ହୋଇଛନ୍ତି ଡା.ରାଉତ। ବିବାଦୀୟ ମନ୍ତବ୍ୟ ପାଇଁ ପ୍ରଥମେ ମନ୍ତ୍ରୀପଦରୁ ବିଦା ହୋଇଥିଲେ । ପରେ ସେପ୍ଟେମ୍ବର ୧୨ରେ ଦଳରୁ ଦାମଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହାପରେ ନବୀନଙ୍କୁ ମୁକାବିଲା କରିବାକୁ ଦାମ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର