କୁଆଡ଼େ ଯିବିନି, ନିର୍ବାଚନ ଲଢ଼ିବି: ଦାମ

ମୋତେ ବହିଷ୍କାର କରିବାକୁ ନବୀନ କିଏ?

ଭୁବନେଶ୍ୱର : ବହିଷ୍କାର ପରେ ଦାମ ଆହୁରି ତାତିଛନ୍ତି। ବିଜେଡିର ବର୍ତ୍ତମାନ ସ୍ଥିତି, ଦଳୀୟ ପରିଚାଳନା ଓ ନେତୃତ୍ୱର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିଜ ଭବିଷ୍ୟତ ସମ୍ପର୍କରେ କହିଛନ୍ତି, ମୁଁ କୁଆଡ଼େ ଯିବିନି। ଶେଷ ପର୍ଯ୍ୟନ୍ତ ବିଜୁଙ୍କ ନାଁ ନେଇ ଲୋକଙ୍କ ସହ ରହିବି। ଆଉ ଆସନ୍ତା ବିଧାନସଭା ନିର୍ବାଚନ ବି ଲଢ଼ିବି।

ବହିଷ୍କାର ଖବର ଜଣାପଡ଼ିବା ପରେ ଦାମଙ୍କ ଫରେଷ୍ଟ ପାର୍କସ୍ଥିତ ସରକାରୀ ବାସଭବନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା। ସେହି ସମୟରେ ଦାମ କଟକରେ ଥିଲେ। କଟକରୁ ଫେରିଲା ପରେ ଗଣମାଧ୍ୟମକୁ କହିଥିଲେ, ମୁଁ ଏ ପର୍ଯ୍ୟନ୍ତ ବହିଷ୍କାର ଆଦେଶ ପାଇ ନାହିଁ। ଗଣମାଧ୍ୟମରୁ ଏ କଥା ଜାଣୁଛି। ମୋତେ ବହିଷ୍କାର ଆଦେଶ ମିଳିଲା ପରେ ପ୍ରତିକ୍ରିୟା ଦେବି। ତେବେ ମୋତେ ମନ୍ତ୍ରିମଣ୍ଡଳରୁ ବିନା କାରଣରେ ବିଦା କରାଗଲା। ପରେ ଉପସଭାପତି ପଦରୁ ବି ବିଦା କରାଗଲା। ଏହା ପରେ ବି ମୁଁ କେବେ ଯାଇ ଦଳର ସଭାପତିଙ୍କୁ ଏହାର କାରଣ ପଚାରିନି। ଗତ କିଛି ମାସ ହେଲା ମୁଁ ଦଳରେ ଅଛି ବୋଲି ଅନୁଭବ କରୁ ନ ଥିଲି। ଆଜି ବହିଷ୍କାର କରି ତାହାକୁ ସେମାନେ ଅଫିସିଆଲ୍‌ କରିଦେଲେ। ମୁଁ ଏଥିରେ ବିବ୍ରତ ନୁହେଁ।  ବିଜେଡିର ପରିଚାଳନା ନେଇ ଅସନ୍ତୋଷ ଉଗାଳି କହିଛନ୍ତି, ଗୋଟିଏ ରାଜନୈତିକ ଦଳର କିଛି ଲକ୍ଷଣ ବିଜେଡିରେ ନାହିଁ। ରାଜନୈତିକ ଦଳର ଯେମିତି ନିୟମକାନୁନ୍‌ ରହିବା କଥା, ଏଥିରେ କିଛି ନାହିଁ। ନା କାର୍ଯ୍ୟକାରୀ କମିଟି ବୈଠକ ବସୁଛି ନା କର୍ମକର୍ତ୍ତା ନିର୍ବାଚନ ହେଉଛନ୍ତି। ଦଳର ପରିଚାଳନା ଆଦୌ ଠିକ୍‌ ନାହିଁ। ଦାମ ପୁଣି ପ୍ରଶ୍ନ କରିଛନ୍ତି, ମୋତେ ବହିଷ୍କାର କରିବାକୁ ନବୀନ ପଟ୍ଟନାୟକ କିଏ? ସିଏ ନିଜେ ଜୋର୍‌ ଦେଇ କହିପାରିବେ କି ସେ ବିଜେଡିର ସଭାପତି ଅଛନ୍ତି ବୋଲି। ଦିଲ୍ଲୀରେ ଥାଇ ମୋତେ କ’ଣ ବହିଷ୍କାର କରୁଛନ୍ତି? ବିଜୁଙ୍କ ନାଁରେ ଦଳ ହୋଇଛି। ବିଜୁଙ୍କ ସହ ଥିବା କେଉଁ ଲୋକ ନବୀନ ବାବୁଙ୍କ ପାଖରେ ଅଛନ୍ତି ?

ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ଦାମ କହିଛନ୍ତି, ମୁଁ ବିଜୁ ବାବୁଙ୍କ ଚେଲା। ତାଙ୍କ ଆଦର୍ଶକୁ ନେଇ ରାଜନୀତି କରୁଛି ଓ କରୁଥିବି। ମୁଁ ସାଧାରଣ ଜୀବନରୁ କେବେ ଦୂରେଇ ଯିବିନି। ଅନ୍ୟ କୌଣସି ଦଳକୁ ବି ଯିବାର ନାହିଁ। କିନ୍ତୁ ନିର୍ବାଚନ ଲଢ଼ିବି ନିଶ୍ଚିତ।

ସମ୍ବନ୍ଧିତ ଖବର